ପୁରୀ: ଦୟା ନଦୀ ପ୍ରଦୂଷିତ ହେବା ଯୋଗୁଁ କଣାସ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଥିଲା । ଅନେକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଦୟା ନଦୀରେ ମିଶୁଥିବା ପ୍ରଦୂଷିତ ଗଙ୍ଗୁଆ ନାଳର ବର୍ଜ୍ୟଜଳ ଯୋଗୁଁ ଦୟାନଦୀର ପାଣି ପ୍ରଦୂଷିତ ହୋଇଛି । ଭୁବନେଶ୍ବରର ସମସ୍ତ ଆବର୍ଜନା ଜଳ ଗଙ୍ଗୁଆ ଦେଇ ଦୟା ନଦୀରେ ମିଶୁଛି । ଗଙ୍ଗୁଆ ଜଳକୁ ବିଶୋଧନ କରିବା ପାଇଁ ଖୁବଶୀଘ୍ର ଏକ ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଗଙ୍ଗୁଆ ନାଳ ଉପରେ ନିର୍ମାଣ କରାଯିବ । ଫଳରେ ଦୟା ନଦୀର ଜଳ ପ୍ରଦୂଷିତ ହେବ ନାହିଁ । ଏନେଇ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସହ ଆଲୋଚନା କରିଛନ୍ତି ।
'ଦୟା ନଦୀ ପାଇଁ ହେବ ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ':
ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ କହିଛନ୍ତି," ଦୟା ନଦୀକୁ ପ୍ରଦୂଷିତ କରୁଛି ଗଙ୍ଗୁଆର ବର୍ଜ୍ୟଜଳ । ଏହି ଜଳକୁ ବିଶୋଧନ ପାଇଁ ଏକ ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ କିଭଳି ଶୀଘ୍ର କାର୍ଯ୍ୟକାରୀ ହୋଇପାରିବ, ସେନେଇ ପୁରୀ ଜିଲ୍ଲାପାଳଙ୍କୁ ସାକ୍ଷାତକରି ଆଲୋଚନା କରିଛି । ସରକାର ଏନେଇ ତତ୍ପର ଅଛନ୍ତି । ଖୁବ ଶୀଘ୍ର ଏହା କାର୍ଯ୍ୟକାରୀ କରାଯାଇ ଦୟା ନଦୀକୁ ପ୍ରଦୂଷଣରୁ ମୁକ୍ତ କରାଯିବ । ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ପୂର୍ବ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ତେବେ ଆମ ସରକାର ଲୋକଙ୍କ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନା 'ହର ଘର ନଲ୍' ଯୋଜନାରେ ବିଶୁଦ୍ଧ ଜଳ ଆମେ ଲୋକଙ୍କ ନିକଟରେ ଶୀଘ୍ର ପହଞ୍ଚାଇବୁ ।
କଣାସ ଅଞ୍ଚଳ ଲୋକଙ୍କୁ ମିଳିବ ବିଶୁଦ୍ଧ ପାନୀୟ ଜଳ:
ସେପଟେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି,"ଗଙ୍ଗୁଆ ଉପରେ ଏକ ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ନେଇ ଯୋଜନା ପ୍ରସ୍ତୁତି କରାଯାଇଛି । ରାଜ୍ୟ ସରକାରଙ୍କୁ ଏହି ପ୍ରସ୍ତାବ ଦିଆଯିବା ପରେ ସରକାରଙ୍କ ଅନୁମୋଦନ ମିଳିବା ପରେ ଗଙ୍ଗୁଆ ଉପରେ ଜଳ ବିଶୋଦ୍ଧନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏହା ଦ୍ବାରା ଦୟାନଦୀ ଜଳକୁ ପ୍ରଦୂଷଣରୁ ରୋକିହେବ । ସେପଟେ କଣାସରେ ବ୍ୟାପିଥିବା ଝାଡ଼ାବାନ୍ତି ଏବେ ନିୟନ୍ତ୍ରଣକୁ ଆସିଛି । ଲୋକଙ୍କୁ ସମସ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସତର୍କତା ଅବଲମ୍ବନ କରିଛି । କଣାସ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ରାଜ୍ୟ ସରକାର ଖୁବଶୀଘ୍ର କାର୍ଯ୍ୟକାରୀ କରିବେ ।"
ଇଟିଭି ଭାରତ, ପୁରୀ