ନୂଆଦିଲ୍ଲୀ:ଇଭିଏମ-ଭିଭିପାଟ୍ ମାମଲାରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାର ପୁନଃ ଶୁଣାଣି କରାଯିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ନିର୍ବାଚନ କମିଶନଙ୍କୁ ମାଗିଥିବା ଜବାବ ମିଳିଥିବାରୁ ସନ୍ତୋଷ ବ୍ୟକ୍ତ କରିବା ସହ ରାୟ ସଂରକ୍ଷିତ ରଖିଛନ୍ତି ସର୍ବୋଚ୍ଚ ଅଦାଲତ । ଏହି ଶୁଣାଣି ପ୍ରାୟ ୪୦ ମିନିଟ ଧରି ଚାଲିଥିଲା । ଜଷ୍ଟିସ ସଞ୍ଜୀବ ଖାନ୍ନା କହିଛନ୍ତି, "ଆମେ କିଛି ନିର୍ଦ୍ଦିଷ୍ଟ ଦିଗ ଉପରେ ପ୍ରଶ୍ନ କରିଥିଲୁ । ଯାହାର ଜବାବ ମିଳିଛି । "ସୂଚନା ଅନୁସାରେ, ଇଭିଏମର କାର୍ଯ୍ୟକାରିତା ନେଇ ଇସିଆଇକୁ ରିପୋର୍ଟ ମାଗିଥିଲେ ସର୍ବୋଚ୍ଚ ଅଦାଲତ । ଆଜି (ବୁଧବାର) ଇଲେକ୍ଟୋନିକ ଭୋଟିଂ ମେସିନର କାର୍ଯ୍ୟକାରିତାକୁ ନେଇ ନିର୍ବାଚନ କମିଶନରଙ୍କୁ ସ୍ପଷ୍ଟୀକରଣ ମାଗିଥିଲେ ସୁପ୍ରିମକୋର୍ଟ । ପୂର୍ବରୁ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦିପଙ୍କର ଦତ୍ତଙ୍କ ଗଠିତ ଖଣ୍ଡପୀଠ ଏନେଇ ରିପୋର୍ଟ ତଲବ କରିଥିଲେ । କିଛି ନିର୍ଦ୍ଦିଷ୍ଟ ଦିଗ ଉପରେ ସ୍ପଷ୍ଟୀକରଣ ଆବଶ୍ୟକ ବୋଲି ସେମାନେ ରାୟ ଶୁଣାଇଥିଲେ ।
ଶୁଣାଣି ସମୟରେ, ଆବେଦନକାରୀଙ୍କ ପକ୍ଷରୁ ଓକିଲ ପ୍ରଶାନ୍ତ ଭୂଷଣ, ଗୋପାଳ ଶଙ୍କର ନାରାୟଣ ଏବଂ ସଞ୍ଜୟ ହେଗଡେ ହାଜର ହୋଇଥିଲେ । ଆସୋସିଏସନ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR) ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଉପସ୍ଥିତ ରହିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ଆୟୋଗଙ୍କ ତରଫରୁ ଆଇନଜୀବୀ ମନିନ୍ଦର ସିଂ ଉପସ୍ଥିତ ଥିବାବେଳେ କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଉପସ୍ଥିତ ରହିଥିଲେ ।