ନୂଆଦିଲ୍ଲୀ/କୋଲକାତା:ପଶ୍ଚିମବଙ୍ଗରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଟିମ୍ ଉପରେ ଆକ୍ରମଣ କରିଛନ୍ତି ଉତ୍ୟେକ୍ତ ସ୍ଥାନୀୟ ଗ୍ରାମବାସୀ। 2022ରେ ହୋଇଥିବା ଏକ ବିସ୍ଫୋରଣ ମାମଲାରେ ଅଭିଯୁକ୍ତକୁ ଗିରଫ କରିବାକୁ ଯିବା ବେଳେ ପୂର୍ବ-ମେଦିନାପୁର ଜିଲ୍ଲାର ଭୂପତିନଗରରେ ଏହି ଆକ୍ରମଣ ହୋଇଛି । ଏନଆଇଏ ଟିମର ଗାଡିକୁ ପଥରମାଡ କରାଯାଇଥିଲା । ଶତାଧିକ ମହିଳା-ପୁରୁଷ ରାସ୍ତାରେ କେନ୍ଦ୍ରୀୟ ସଂସ୍ଥାର ଟିମକୁ ରୋକିଥିଲେ । ଗ୍ରାମରେ ପୁରାଇ ଦେଇନଥିଲେ । ଜଣେ କେନ୍ଦ୍ରୀୟ ଅଧିକାରୀ ଏଥିରେ ଆହତ ମଧ୍ୟ ହୋଇଛନ୍ତି । 2022ରେ ହୋଇଥିବା ଏକ ବିସ୍ଫୋରଣ ମାମଲାରେ ତଦନ୍ତ ପାଇଁ ଆଜି କେନ୍ଦ୍ରୀୟ ସଂସ୍ଥା ଭୂପତିନଗରରେ ଚଢାଉ କରିଥିଲା ।
ଏହାକୁ ନେଇ ବଙ୍ଗରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ବିରୋଧୀ ବିଜେପି ସିଧା ଏହି ଆକ୍ରମଣ ପାଇଁ ଶାସକ ତୃଣମୂଳ କଂଗ୍ରେସ ଉପରେ ବର୍ଷିଛି । ଦଳର ରାଜ୍ୟ ୟୁନିଟ ଏହାକୁ ନେଇ ନିର୍ବାଚନ କମିଶନଙ୍କୁ ଚିଠି ମଧ୍ୟ ଲେଖିସାରିଛି । ଏହା ଉଦ୍ଦେଶ୍ୟମୂଳକ ଆକ୍ରମଣ ଓ ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ ବୋଲି ବିଜେପି ଅଭିଯୋଗ କରିଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ନେଇ ସିଧା ବିଜେପି ଉପରେ ବର୍ଷିଛନ୍ତି । ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ବିଜେପି ଇସାରରେ କାମ କରୁଛି । ସେମାନେ ଏହି କାର୍ଯ୍ୟାନୁଷ୍ଠାନ ନେବା ବେଳେ ରାଜ୍ୟ ପୋଲିସ ସହ ଯୋଗାଯୋଗ କରିଥିଲେ କି ବୋଲି ମମତା ପାଲଟା ପ୍ରଶ୍ନ କରିଛନ୍ତି । ନିର୍ବାଚନ ପୂର୍ବରୁ ଏପରି ଗିରଫଦାରୀ କାହିଁକି । ସେମାନେ କେତେ ବୁଥକର୍ମୀଙ୍କୁ ଗିରଫ କରିବେ ବୋଲି ମଧ୍ୟ ମମତା ପ୍ରଶ୍ନ କରିଛନ୍ତି ।