ଭୋପାଳ:ହାଇୱେ ଉପରେ ଛକି ବସିଥିଲା ଯମ । ରାସ୍ତାକଡରେ ଛିଡା ହୋଇଥିବା ଟ୍ରକ ସହ କାର୍ ଧକ୍କାରେ ଚାଲିଗଲା ୮ ଜୀବନ । ଗତକାଲି(ବୁଧବାର) ବିଳମ୍ବିତ ରାତିରେ ମଧ୍ୟପ୍ରଦେଶର ଇନ୍ଦୋର-ଅହମ୍ମଦବାଦ ହାଇୱେରେ ଏଭଳି ଛାତିଥରା ଦୁର୍ଘଟଣା ଘଟିଛି । କାରଟି ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । କାର୍ରେ ମୋଟ ୯ ଜଣ ଯାତ୍ରୀ ଥିଲେ । ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ କିଛି ମହିଳା ଅଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଛି ।
ସୂଚନା ମୁତାବକ, ମୃତକମାନେ ଗୁନା ଜିଲ୍ଲାର ବାସିନ୍ଦା । ସେମାନେ କୌଣସି କାମରେ ଧାର ଜିଲ୍ଲା ଯାଇଥିବା ବେଳେ ସେଠାରୁ କାର୍ ଯୋଗେ ରାତିରେ ଗୁନାକୁ ଫେରୁଥିଲେ । କାରର ବେଗ ଅଧିକ ଥିବାବେଳେ ଇନ୍ଦୋର-ଅହମ୍ମଦାବାଦ ଜାତୀୟ ରାଜପଥରେ ହଠାତ୍ ଏହାର ଟାୟାର ଫାଟି ଯାଇଥିଲା । ଫଳରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡରେ ଛିଡା ହୋଇଥିବା ଗୋଟିଏ ଟ୍ରକ ସହ ପଛପଟୁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ କାର୍ରେ ବସିଥିବା ୯ ଜଣଙ୍କ ଭିତରୁ ୮ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଆଉ ଜଣେ ଗୁରୁତର ଅଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଭୋଜି ଖାଇ ଫେରୁଥିଲେ, ବାଟରେ ଟ୍ରକ ସହ କାର୍ ଧକ୍କାରେ ଚାଲିଗଲା 6 ଜୀବନ - Keonjhar Accident