ନୂଆଦିଲ୍ଲୀ: ହିନ୍ଦୁ ବିବାହ କୌଣସି ନାଚ-ଗୀତ କି ଖିଆ-ପିଆ କାର୍ଯ୍ୟକ୍ରମ କିମ୍ବା ବ୍ୟବସାୟିକ କାରବାର ନୁହଁ । ଆବଶ୍ୟକୀୟ ବିଧିବଦ୍ଧ ସଂସ୍କାର ଅଭାବରୁ ଏପରି ବିବାହକୁ ମାନ୍ୟତା ମିଳିବ ନାହିଁ । ଏଭଳି ଚକିତ କରିବା ଭଳି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ବି ଭି ନାଗରତ୍ନା ଓ ଅଗଷ୍ଟିନ ଜର୍ଜ ମାସିହଙ୍କ ଖଣ୍ଡପୀଠ କହିଛନ୍ତି ଯେ ହିନ୍ଦୁ ବିବାହ ଏକ ସଂସ୍କାର ଅଟେ, ଯାହାକୁ ଯଥା ବିଧି ମାନ୍ୟତା ପୂର୍ବକ କରାଯିବା ଆବଶ୍ୟକ କାରଣ ଏହାର ଭାରତୀୟ ସମାଜରେ ଉଚ୍ଚ ମୂଲ୍ୟବୋଧ ରହିଛି ।
କୌଣସି ବିଧି ପୂର୍ବକ ହିନ୍ଦୁ ବିବାହ ନ କରି ଏକ ପାଇଲଟ ଦମ୍ପତ୍ତିଙ୍କ ବିବାହ ବିଚ୍ଛେଦ ମାମଲାର ଶୁଣାଣି ବେଳେ କୋର୍ଟର ଖଣ୍ଡପୀଠ ଯୁବବର୍ଗଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ବିବାହ ଭଳି ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନରେ ପ୍ରବେଶ କରିବା ପୂର୍ବରୁ ଗଭୀର ଅନୁଚିନ୍ତନ କରିବା ଆବଶ୍ୟକ । ଏହା କେଉଁ ଭଳି ଭାରତୀୟ ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ ତାହାକୁ ହୃଦୟଙ୍ଗମ କରିବା ଆବଶ୍ୟକ । ବିବାହ ଏକ ନାଚ ଗୀତର ଆସର ନୁହେଁ କିମ୍ବା ଯୌତୁକ ଦିଆ ନିଆର ଅବସର ନୁହେଁ ଯାହା ପରବର୍ତ୍ତୀ ସମୟରେ ଅପରାଧକୁ ଜନ୍ମ ଦେବା ସମ୍ଭାବନା ରହିଥାଏ । ବିବାହ ଜଣେ ପୁରୁଷ ଓ ନାରୀ ମଧ୍ୟରେ ପ୍ରତିଷ୍ଠା ସମ୍ପର୍କକୁ ପତି-ପତ୍ନୀର ମାନ୍ୟତା ଦେବାର ମାଧ୍ୟମ । ଯାହା ଭାରତୀୟ ସମାଜର ମୌଳିକ ଏକକ ପରିବାରକୁ ପରିପୃଷ୍ଟ କରିବାରେ ସହାୟକ ହୋଇଥାଏ ବୋଲି ଖଣ୍ଡପୀଠ କହିଛନ୍ତି । ବିବାହ ଏକ ପବିତ୍ର ଅନୁଷ୍ଠାନ ହୋଇଥିବାରୁ ଏହା ଦୁଇଜଣଙ୍କ ମଧ୍ୟରେ ଆଜୀବନ, ସମ୍ମାନଯୁକ୍ତ, ସମାନତା, ସହମତି ଏବଂ ସୁସ୍ଥ ମିଳନର ଅବସର ଯୋଗାଇଥାଏ । ବିବାହ ପରିବାର ବୃଦ୍ଧି ପାଇଁ ପ୍ରଯୁଜ୍ୟ ହୋଇଥିବା ବେଳେ କୁଳ କୁଟୁମ୍ବ ମଧ୍ୟରେ ପାରସ୍ପରିକ ସହଯୋଗିତା ଓ ସଦଭାବନାକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।
ଏହା ମଧ୍ୟ ପଢନ୍ତୁ ... ହିନ୍ଦୁ ବିବାହରେ କନ୍ୟାଦାନ ବାଧ୍ୟତାମୂଳକ ନୁହେଁ: ଆହ୍ଲାବାଦ ହାଇକୋର୍ଟ - Allahabad High Court On Kanyadaan