ଭୁବନେଶ୍ବର: ସରିଲା ଶୀତ, ଆସିଲା ଖରା । ଆଜି ଠାରୁ ରାଜ୍ୟରେ ଟାଇଁ ଟାଇଁ ଖରା । ବଢିଲା ଦିନ ସହ ରାତିର ତାପମାତ୍ରା । ସ୍ବାଭାବିକ ଠାରୁ ୪ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହୋଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ୨୪ ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡି ନେଇ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ବଢିବ ପାରଦ:
ଆସନ୍ତା ୫ ଦିନ ପରେ ତାପମାତ୍ରା ଆହୁରି ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଅଧିକାଂଶ ଜିଲ୍ଲାରେ ସ୍ବାଭାବିକ ଠାରୁ ୪ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାତି । ବିଶେଷ କରି ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡିଶାରେ ବଢିବ ଦିନ ତାପମାତ୍ରା । ଉପକୂଳ ଓଡିଶାରେ ଅହେତୁକ ବଢିବ ରାତିର ତାତି । ମେଘମୁକ୍ତ ଆକାଶ ପାଇଁ ତାପମାତ୍ରା ବୃଦ୍ଧି ହୋଉଥିବା ପାଣିପାଗ କେନ୍ଦ୍ରର ସୂଚନା ଦେଇଛି । ଆଜି ଦିନ ସାଢେ ୧ଟା ସୁଦ୍ଧା ୩୧ ଡିଗ୍ରୀ ଅତିକ୍ରମ କଲା ରାଜଧାନୀ ଭୁବନେଶ୍ୱର ତାପମାତ୍ରା ।
କୁହୁଡି କରିବ ଅସ୍ତବ୍ୟସ୍ତ:
ତାପମାତ୍ରା ବୃଦ୍ଧି ସହ ରାଜ୍ୟର କିଛି ସ୍ଥାନରେ ଘନ କୁହୁଡି କରିବ ଅସ୍ତବ୍ୟସ୍ତ । ୨୪ ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡି ନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେ ଗୁଡ଼ିକ ହେଲା କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ଅନୁଗୋଳ, ଢେଙ୍କାନାଳ, କଟକ ଏବଂ କେନ୍ଦୁଝର । ସେହିପରି ଆସନ୍ତା ୧ ତାରିଖରେ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭଗ । ସେଗୁଡ଼ିକ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୋଳ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ମୟୂରଭଞ୍ଜ । ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସିବ ଦୃଶ୍ୟମାନ ଦୂରତା । ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ସତର୍କତାର ସହ ଗାଡି ଚାଳନା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।
ଏମିତି କହିଲେ ଆଞ୍ଚଳିକ ପାଣିିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା:
ଏନେଇ ଆଞ୍ଚଳିକ ପାଣିିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି," ଆଗାମୀ ୫ ରୁ ୭ ଦିନ ଭିତରେ କୌଣସି ବର୍ଷା ହେବା ସମ୍ଭାବନା ନାହିଁ । ପାଗ ମୁଖ୍ୟତଃ ଶୁଖିଲା ରହିବ । ଆଗାମୀ ଦିନରେ ତାପମାତ୍ରା ଧିରେ ଧିରେ ସାମାନ୍ୟ ବୃଦ୍ଧି ହେବା ସମ୍ଭାବନା ରହିଛି । ରାଜ୍ୟରେ ପାଗ ଶୁଖିଲା ରହିଛି । ମକର ସଂକ୍ରାନ୍ତି ସରିଲାଣି ତେଣୁ ସୂର୍ଯ୍ୟ ଏବଂ ପୃଥିବୀର ସ୍ଥିତି ପରିବର୍ତ୍ତନ ହେଉଛି । ଆମେ ଉତ୍ତର ଆଡ଼କୁ ଗତି କରୁଛେ । ତେଣୁ ତାପମାତ୍ରା ବୃଦ୍ଧି ପାଉଛି । ତାପମାତ୍ରା ବୃଦ୍ଧିର ଦ୍ବିତୀୟ କାରଣ ହେଲା କୁହୁଡ଼ି ପାଇଁ ମଶ୍ଚର ରହୁଛି ତେଣୁ ଉପକୂଳ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଉଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ସମ୍ଭାବନା ରହିଛି । ଆକାଶରେ ମେଘ ନଥିବାରୁ ଦିନର ତାପମାତ୍ରା ମଧ୍ୟ ବୃଦ୍ଧି ପାଉଛି । "
ଇଟିଭି ଭାରତ, ଭୁବନେଶ୍ବର