ଭୁବନେଶ୍ବର: ‘ଉତ୍କର୍ଷ ଓଡିଶା-ମେକ ଇନ ଓଡିଶା କନକ୍ଲେଭ-2025’ର ରେକର୍ଡ ପରିମାଣାର 12 ଲକ୍ଷ 89 ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ 145ଟି ଚୁକ୍ତିନାମା ସ୍ୱାକ୍ଷରିତ କରିଛନ୍ତି ରାଜ୍ୟ ସରକାର । ଚଳିତ କନକ୍ଲେଭରେ ମୋଟ 16.73 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି । ବିଗତ 3ଟି ଶିଳ୍ପ ମହାକୁମ୍ଭରୁ ଆସିଥିବା ମିଳିତ ପ୍ରସ୍ତାବରୁ ଚଳିତ ସମ୍ମିଳନୀ ଅଧିକ ନିବେଶ ଆକୃଷ୍ଟ କରିବାରେ ସଫଳ ହୋଇଛି । ଏହା ମୋଦି ଗ୍ୟାରେଣ୍ଟିରୁ ସମ୍ଭବ ହେଇଛି ବୋଲି ବିଜେପି ସରକାର ପକ୍ଷରୁ କୁହାଯାଇଛି । ମାତ୍ର ଏହି କନସେପ୍ଟକୁ ରାଜ୍ୟରେ ନବୀନ ପଟ୍ଟନାୟକ ହିଁ ଆରମ୍ଭ କରିଥିଲେ ବୋଲି କହିଛି ବିଜେଡି । ସେହିପରି ଅତୀତରେ ଅନେକ ଶିଳ୍ପ ପ୍ରତିଷ୍ଠା କରିବାକୁ ଚୁକ୍ତି କରି ଓହରି ଯାଇଛନ୍ତି । ହୋଇଥିବା ଚୁକ୍ତିନାମାକୁ ଗ୍ରାଉଣ୍ଡିଂ କର କହି ସରକାରଙ୍କୁ ଆହ୍ବାନ ଦେଇଛି ଦଳ ।
- ନବୀନ ଆରମ୍ଭ କରିଥିଲେ ଏହି କନସେପ୍ଟ : ବିଜେଡି
‘ଉତ୍କର୍ଷ ଓଡିଶା’ କାର୍ଯ୍ୟକ୍ରମକୁ ନେଇ ବରିଷ୍ଠ ବିଜେଡି ବିଧାୟକ ବଦ୍ରୀ ପାତ୍ର କହିଛନ୍ତି, "ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ‘ମେକ ଇନ୍ ଓଡିଶା’ କନସେପ୍ଟ ପ୍ରସ୍ତୁତ ହୋଇଛି । ଓଡିଶାରେ ନିବେଶ କରିବା ଲାଗି ପୁଞ୍ଜିପତିଙ୍କୁ ନିମନ୍ତ୍ରଣ କରାଯାଇଛି । ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍ଥାନକୁ ଯାଇ ରୋଡ଼ ସୋ’ ମଧ୍ୟ କରିଥିଲେ । ସେତେବେଳେ ଆମେ ଯାହା କରିଥିଲୁ, ବିଜେପି ସରକାର ତାହା ରିପିଟ କରୁଛନ୍ତି । ନବୀନ ସରକାରରେ ନିବେଶକ ଦେଇଥିବା ପ୍ରସ୍ତାବରୁ ଅନେକର କାର୍ଯ୍ୟ ଆରମ୍ଭ ହୋଇଛି । ନବୀନ ସରକାରରେ ଯଦି କିଛି ହୋଇନାହିଁ, ତେବେ କଳିଙ୍ଗ ନଗର ଷ୍ଟିଲ ହବ କି’ଏ କରିଛି ?’’
- ‘ପୋସ୍କୋ’ ଉଦାହରଣ ଦେଇ ଚେତାଇଲା ବିଜେଡି
ଓଡିଶା ସରକାର ଚତୁର୍ଥ ତଥା ବିଜେପି ସରକାରର ପ୍ରଥମ ନିବେଶକ ସମ୍ମିଳନୀ ଭଲ ହୋଇଛି । ପୁଞ୍ଜି ଆଣିବା ଲାଗି ସରକାର ଏଭଳି ପ୍ରଚେଷ୍ଟା ନିଶ୍ଚୟ ଭଲ କଥା । ଆଗାମୀ ଦିନରେ ଏହାର ସଫଳତା ସମସ୍ତଙ୍କ ସାମ୍ନାକୁ ଆସିବ । କେନ୍ଦୁଝରରେ ଶିଳ୍ପ ପାଇଁ ଜମି ଅଧିଗ୍ରହଣ ହେଲା । କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ଉଭାନ ହୋଇଗଲେ । ଓଡିଶାର ବିକାଶ ଲାଗି ସରକାର ଯଦି ଭଲ କାମ କରିବାକୁ ବିଜେଡି ସଦିଛା ଦେବ । କେନ୍ଦୁଝରରେ ଏକ ଷ୍ଟିଲ ପ୍ଲାଣ୍ଟ ପାଇଁ ଉଦ୍ୟମ ହୋଇଛି । ସରକାର ଯଦି ଚେଷ୍ଟା କରିବେ ତେବେ ବ୍ୟାପକ ପରିମାଣରେ ଗ୍ରାଉଣ୍ଡିଂ ହେବ । ଅତୀତରେ ଅନେକ ପୁଞ୍ଜି ଆସିବ ବୋଲି ଏମ୍ଓୟୁ ହୋଇଥିଲା । କିନ୍ତୁ ପୋସ୍କୋ ପରି ଅନେକ ଶିଳ୍ପ କିନ୍ତୁ ଆସିନଥିଲେ ।"
- ମନ୍ତ୍ରୀ ଓ ସଚିବଙ୍କୁ ନେଇ ଗଠନ ହୋଇଛି ଏକ୍ସକ୍ଲ୍ୟସିଭ ଟିମ୍
ବିଜେଡିର ଏହି ପ୍ରତିକ୍ରିୟାର ଜବାବ ସରକାରୀ କ୍ୟାମ୍ପରୁ ମଧ୍ୟ ଆସିଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, "ବିଜେଡି ନେତା ନିଜର ପୂର୍ବ ଅନୁଭୂତିରୁ କହୁଛନ୍ତି । ସେମାନେ ଯାହା କରିଥିଲେ, ଏବେ ସେଇଆ ହେଉଛି ବୋଲି ଭାବୁଛନ୍ତି । ଆମେ କହୁଛୁ ଏହା ମୋଦି ଗ୍ୟାରେଣ୍ଟିର ପ୍ରଭାବ । ବିଜେଡି ସରକାର 3 ଥର ମେକ ଇନ ଓଡିଶା କରିଥିଲେ । ମୋଦି ଆସିନଥିଲେ । ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଛନ୍ତି । ମୋଦି ଗ୍ୟାରେଣ୍ଟି ହିଁ କାମ କରୁଛି । ସାରା ଦେଶ ଓ ଓଡିଶାରେ ମଧ୍ୟ । ଓଡ଼ିଶାରେ ନିବେଶ କହିଛନ୍ତି, ଏହି ସମୟ ହିଁ ଠିକ ସମୟ । ନିଶ୍ଚୟ ଭାବେ ଏହାର ପ୍ରଭାବ ପଡିବ । ମନ୍ତ୍ରୀମଣ୍ଡଳ ଓ ସଚିବ ସ୍ତରରେ ସରକାର ଏକ ଏକ୍ସକ୍ଲ୍ୟୁସିଭ୍ ଟିମ୍ ଗଠନ କରିଛନ୍ତି । ଯାହା ପ୍ରସ୍ତାବ ଆସିଛି, ତାହା ଗ୍ରାଉଣ୍ଡେଡ଼ କରିବା ଆମର ଲକ୍ଷ୍ୟ । ଆଇଟି ଓ ସେମିକଣ୍ଡକଟର ବଡ଼ କ୍ଷେତ୍ର । ନିକଟରେ ମୁଖ୍ୟମନ୍ତ୍ରୀ 2 ହଜାର କୋଟିରୁ ଅଧିକ ଟଙ୍କାର ଗ୍ରାଉଣ୍ଡ ବ୍ରେକିଙ୍ଗ କରିଛନ୍ତି । ଆଶା ଆସିଥିବା ସମସ୍ତ ପ୍ରସ୍ତାବ ଗ୍ରାଉଣ୍ଡେଡ଼ ହେବ । ଆମେ ସ୍ଥାନୀୟ ଏମ୍ଏସଏମ୍ଇରେ ଯୁବ ବର୍ଗଙ୍କୁ ପ୍ରୋତ୍ସାହିତ କରିବୁ । 30 ଜିଲ୍ଲାର 60 ଜଣଙ୍କୁ ସମ୍ମାନିତ କରାଯାଇଛି । ସେମାନଙ୍କ ଆଶା ଓ ଆମର ଆଶା ଓଡ଼ିଶା ଶିଳ୍ପର ହବ ହେବ । ଓଡିଶାରେ ପ୍ରତିଷ୍ଠା ହେବାକୁ ଥିବା ଶିଳ୍ପରେ ଓଡ଼ିଆ ପିଲାଙ୍କୁ ନିଯୁକ୍ତି ବ୍ୟବସ୍ଥା ହେବ ।"
ଏହା ମଧ୍ୟ ପଢନ୍ତୁ:- କୁଷ୍ଠ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କ ହେବ ମାଗଣା ଟୀକାକାରଣ ଫେବୃଆରୀ 15କୁ ବଢିଲା e-KYC ଡେଡଲାଇନ୍ ନବୀନଙ୍କୁ ଟପିଲେ ମୋହନ: 145 ଚୁକ୍ତିନାମା, 16.73 ଲକ୍ଷ କୋଟି ପୁଞ୍ଜି ପ୍ରସ୍ତାବ |
- ନବୀନଙ୍କ ସମ୍ମିଳନୀରେ କେତେ ଆସିଥିଲା ନିବେଶ
2015ରେ ବିଜେଡି ସରକାର ନୂଆ ଶିଳ୍ପ ନୀତି ଆଣିଥିଲେ । 2016ରେ ମେକ ଇନ ଓଡିଶା କାର୍ଯ୍ୟକ୍ରମ କରି ନିବେଶକଙ୍କୁ ଆକୃଷ୍ଟ କରିବା ଲାଗି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ବିଜେଡି ସରକାର । ପ୍ରଥମ ସଂସ୍କରଣରେ ପ୍ରାୟ 2 ଲକ୍ଷ ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା । 2018 ଦ୍ଵିତୀୟ ସଂସ୍କରଣରେ ସାଢ଼େ 4 ଲକ୍ଷ କୋଟିର ନିବେଶ ପ୍ରସ୍ତାବ ଆସିଥିଲା । ସେହିପରି 2022ର ତୃତୀୟ ସଂସ୍କରଣରେ ପ୍ରାୟ 10 ଲକ୍ଷ 30 ହଜାର କୋଟି ଟଙ୍କାର ନିବେଶ ପାଇଁ ପ୍ରସ୍ତାବ ଆସିଥିଲା । 3 ସଂସ୍କରଣରେ ଆସିଥିବା ପ୍ରାୟ 60 ପ୍ରତିଶତ ପ୍ରକଳ୍ପ ଗ୍ରାଉଣ୍ଡେଡ ହୋଇଥିବା ବିଜେଡି ପକ୍ଷରୁ ଦାବି ହୋଇଛି । ସେହିପରି ନୂଆ ସରକାରଙ୍କ ପ୍ରଥମ ଶିଳ୍ପ ମହାକୁମ୍ଭରେ 20 ଟି ସେକ୍ଟରରେ 593ଟି ପ୍ରକଳ୍ପ ପାଇଁ 16.73 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି । ଏହା ଦ୍ୱାରା 12.88 ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇପାରିବ ବୋଲି ସରକାର ଆଶା ବାନ୍ଧିଛନ୍ତି ।
- 145ଟି ଏମ୍ଓୟୁ, 12 ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ
ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ 145ଟି ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତି ଜରିଆରେ ସମୁଦାୟ 12 ଲକ୍ଷ 89 ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ରାଜିନାମା ହୋଇଛି । କେମିକାଲସ, ପେଟ୍ରୋକେମିକାଲସ, ଟେକ୍ସଟାଇଲସ, ମାଇନଙ୍ଗ ଓ ମେଟାଲର୍ଜି, ନବୀକରଣୀୟ ଶକ୍ତି, ଆଇ.ଟି, ପର୍ଯ୍ୟଟନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ପରି ବିବିଧ କ୍ଷେତ୍ରରୁ ପୁଞ୍ଜିନିବେଶର ପ୍ରସ୍ତାବ ଆସିଛି । ଏହା ଦ୍ୱାରା ରାଜ୍ୟରେ 8 ଲକ୍ଷ 94 ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଚୁକ୍ତି ସ୍ୱାକ୍ଷର ବ୍ୟତୀତ ଆହୁରି 3.84 ଲକ୍ଷ କୋଟି ଟଙ୍କାର 448 ଟି ପୁଞ୍ଜିନିବେଶ ଅଭିପ୍ରାୟ ମଧ୍ୟ ଆମେ ନିର୍ଦ୍ଧାରିତ ଫର୍ମରେ ଗ୍ରହଣ କରିଛୁ । ଏହା ଦ୍ୱାରା 3.92 ଲକ୍ଷ ନିଯୁକ୍ତି ସୁଯୋଗର ସମ୍ଭାବନା ରହିଛି ।
ଇଟିଭି ଭାରତ, ଭୁବନେଶ୍ବର