ସମ୍ବଲପୁର: ଭିନ୍ନକ୍ଷମ ଅନଗ୍ରସର ଥଇଥାନ କେନ୍ଦ୍ର ଠାରେ ଅନ୍ତେବାସୀଙ୍କୁ ନିର୍ଯାତନା ଓ ମାଡ଼ ମାରିବା ଘଟଣା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ପୁଷ୍ପାଞ୍ଜଳି ପଣ୍ଡା ଅନୁଷ୍ଠାନର ଅନ୍ତେବାସୀଙ୍କ ବୟାନ ରେକର୍ଡ କରିଛନ୍ତି । ଏହାସହ ଜଣେ ମହିଳା ଅନ୍ତେବାସୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ଏନେଇ ରିପୋର୍ଟ ପ୍ରସ୍ତୁତ କରାଯାଇ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ଉପଜିଲ୍ଲାପାଳ ପୁଷ୍ପାଞ୍ଜଳି ପଣ୍ଡା ସୂଚନା ଦେଇଛନ୍ତି । ଅନ୍ୟପଟେ ଅନୁଷ୍ଠାନର ଆଉ 2 ଜଣ କର୍ମଚାରୀଙ୍କୁ ଧନୁପାଲି ପୋଲିସ ଗିରଫ କରିଥିବା ବେଳେ ଆଗକୁ ମୁଖ୍ୟ ଅଭିଯୁକ୍ତକୁ ପଚରାଉଚରା ପାଇଁ ରିମାଣ୍ଡରେ ଅଣାଯିବ ବୋଲି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି l
"ସମର୍ଥ" ଅନ୍ତେବାସୀଙ୍କ ବୟାନ ରେକର୍ଡ:
ଉପଜିଲ୍ଲାପାଳ ପୁଷ୍ପାଞ୍ଜଳି ପଣ୍ଡା କହିଛନ୍ତି," ଅନୁଷ୍ଠାନର ଯେଉଁ ଭିଡିଓ ଭାଇରାଲ ହୋଇଥିଲା ଅନ୍ତେବାସୀଙ୍କୁ ମାଡ଼ ମରା ଘଟଣା ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ମୁଁ ସେଠାକୁ ଯାଇ ତଦନ୍ତ କରିଛି । ଅନ୍ତେବାସୀଙ୍କୁ ପଚରାଉଚରା ବେଳେ ସେମାନେ କହିଲେ ତାଙ୍କୁ କେମିତି ନିର୍ଯାତନା ଦିଆଯାଉଥିଲା । ସମସ୍ତଙ୍କ ବୟାନ ରେକର୍ଡ କରାଯାଇଛି । ଏହା ସହ ଦ୍ଵିତୀୟ ଅଭିଯୋଗ ଆସିଛି ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯାଇଛି ବୋଲି । ଉକ୍ତ ମହିଳାଙ୍କ ମଧ୍ୟ ବୟାନ ମଧ୍ୟ ରେକର୍ଡ କରାଯାଇଛି ।"
ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ:
ସେ ଆହୁରି ମଧ୍ୟ କହିଛନ୍ତି," ଯେହେତୁ ତୁରନ୍ତ ସେହି ଅନ୍ତେବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ପାରିବ ନାହିଁ ତେଣୁ ସେମାନଙ୍କ ଦେଖାରେଖା ପାଇଁ ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀଙ୍କ ତତ୍ତ୍ବାବଧାନରେ ଏକ ଏନଜିଓକୁ ଦାୟିତ୍ବ ପ୍ରଦାନ କରାଯାଇଛି । ଆଉ ଦୁଇ, ତିନି ଦିନ ଭିତରେ ଆମର ସରକାରୀ ଅନୁଷ୍ଠାନରେ ସବୁ ବ୍ୟବସ୍ଥା କରାଯାଉଛି , ସେମାନଙ୍କୁ ସେଠାକୁ ସ୍ଥାନାନ୍ତର କରାଯିବ । ଏହାର ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।"
ଏହା ମଧ୍ୟ ପଢନ୍ତୁ....'ସମର୍ଥ'ରେ ଅନ୍ତେବାସୀଙ୍କୁ ନିର୍ଯାତନା ଘଟଣାରେ କାର୍ଯ୍ୟାନୁଷ୍ଠାନ, ୨ ଗିରଫ ଗଲେ ଜେଲ୍ - SAMARTHA REHABILITATION CENTRE |
'ମୁଖ୍ୟ ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯିବ':
ଏହି ଘଟଣାରେ ପୂର୍ବରୁ ଅନୁଷ୍ଠାନର ସେକ୍ରେଟାରୀ ହରିଶ୍ଚନ୍ଦ୍ର ଦାସ ଓ କେୟାରଟେକର ସ୍ଵାଗତିକା ପ୍ରଧାନଙ୍କୁ ଗିରଫ କରାଯାଇଥିବା ବେଳେ ଗତ ରାତିରେ ଶୁଭ୍ରଜିତ ଦାସ ଓ ଶୁଭମ ବେହେରା ନାମକ ଅନ୍ୟ 2 ଜଣକୁ ପୋଲିସ ଗିରଫ କରିଛି ।
ଏନେଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି ," ଏହି ଘଟଣାରେ 2 ମୁଖ୍ୟ ଅଭିଯୁକ୍ତକୁ ପୂର୍ବରୁ ଗିରଫ କରାଯାଇଛି । ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି । ଗତକାଲି ଅନ୍ୟ 2 ଜଣଙ୍କୁ ଗିରଫ କରାଯାଇଛି । ତଦନ୍ତ ଠିକ ଠାକ୍ ଚାଲିଛି ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯେମିତି ଆଗକୁ କେହି ଏମିତି କାମ କରିବେନି l ମୁଖ୍ୟ ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯିବ ।"
ଇଟିଭି ଭାରତ, ସମ୍ବଲପୁର