ନୂଆଦିଲ୍ଲୀ:ଲାଲୁ ଯାଦବଙ୍କୁ ବଡ଼ ଝଟକା । ଦଳ ବଦଳ ଜାରି ରହିଥିବାବେଳେ ହାତ ଧରିଲେ ଆରଜେଡି ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର କରୁଣା ସାଗର । ଫଳରେ ଲାଲୁ ପ୍ରସାଦ ଯାଦବଙ୍କୁ ଲାଗିଛି ଝଟକା । କରୁଣା ସାଗରଙ୍କ କଂଗ୍ରେସରେ ଯୋଗଦାନ ଫଳରେ ଦଳ ଆହୁରି ସଶକ୍ତ ହେବ ବୋଲି କୁହାଯାଉଛି । ସେପଟେ କଂଗ୍ରେସ ଯୋଗ ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ଡକ୍ଟର କରୁଣା ସାଗର । ସେ କହିଛନ୍ତି, "ମୋ ବାପା ଜଣେ ଗାନ୍ଧୀବାଦୀ ନେତା ଥିଲେ ଏବଂ ସରକାରୀ ଚାକିରିରେ ଥିଲେ । ତାଙ୍କ ଚିନ୍ତାଧାରାର ପ୍ରଭାବ ମୋ ଉପରେ ସର୍ବଦା ରହିଆସିଛି । ମୁଁ ମଧ୍ୟ ପୋଲିସ ଭାବେ କାର୍ଯ୍ୟ କରିଛି । ଆଜି କଂଗ୍ରେସ ପାର୍ଟିରେ ଯୋଗ ଦେଇ ମୁଁ ଅତ୍ୟନ୍ତ ଆନନ୍ଦିତ ।" ଏହାସହ ସେ ଦଳର ସର୍ବୋଚ୍ଚ ନେତୃତ୍ବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହାସହ ସେ କହିଛନ୍ତି, ରାଜନୀତିରେ ଏଭଳି ନିଷ୍ପତ୍ତି ନେବାକୁ ହୋଇଥାଏ । କଂଗ୍ରେସ ଦଳର ରାଜନୀତି ଆମ ଦୃଷ୍ଟୀକୋଣ ଅନୁଯାୟୀ ସମାନ । ସେଥିପାଇଁ ମୁଁ କଂଗ୍ରେସରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି । ସୂଚନା ଅନୁସାରେ, କରୁଣା ସାଗର ଚଳିତ ଲୋକସଭା ନିର୍ବାଚନରେ ଜାହାନବାଦ ଆସନରୁ ପ୍ରାର୍ଥୀ ହେବାକୁ ଆଶାୟୀ ରହିଥିଲେ । ହେଲେ ସେ ନିରାଶ ହୋଇଛନ୍ତି । ଜାହାନବାଦ ଆସନରୁ ଆରଜେଡିର ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ଯାଦବଙ୍କୁ ଟିକଟ ମିଳିଛି । ଯେଉଁଥିରେ ଅସନ୍ତୋଷ ହୋଇ ରାଷ୍ଟ୍ରୀୟ ଜନତା ଦଳ ଛାଡି କରୁଣା ସାଗର କଂଗ୍ରେସରେ ଯୋଗ ଦେଇଥିବା ଚର୍ଚ୍ଚା ହେଉଛି ।