ନୂଆଦିଲ୍ଲୀ:ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ କମିବାର ନାଁ ନେଉନି । ନବମ ଥର ପାଇଁ କେଜ୍ରିଓ୍ବାଲଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆସନ୍ତା ମାର୍ଚ୍ଚ 21 ତାରିଖରେ ଇଡିରେ ହାଜର ହେବାକୁ ସମନରେ କୁହାଯାଇଛି । ଏହି ମାମଲାରେ ପୂର୍ବରୁ ତାଙ୍କୁ 8 ଥର ସମନ କରିସାରିଛି ଇଡି । କିନ୍ତୁ ସେ ଥରେ ହେଲେ ଇଡିରେ ହାଜର ହୋଇନାହାନ୍ତି । ଏବେ ନବମ ସମନରେ ସେ ହାଜର ହେବେ ନା ଏହାକୁ ମଧ୍ୟ ପ୍ରତ୍ୟାଖାନ କରିବେ ତାହା ଆଗକୁ ଜଣାପଡିବ ।
ଏହା ମଧ୍ୟ ପଢନ୍ତୁ- ଅବକାରୀ ଘୋଟାଲା ମାମଲାରେ କେଜ୍ରିଓ୍ବାଲଙ୍କୁ ଆଶ୍ବସ୍ତି, ରାଉଜ ଆଭେନ୍ୟୁ କୋର୍ଟରୁ ମିଳିଲା ଜାମିନ
ଅବକାରୀ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିୱାଲଙ୍କୁ ଆଠ ଥର ସମନ କରିଥିଲା । କିନ୍ତୁ ସେ ସବୁଥର ସମନକୁ ଅଣଦେଖା କରିବାରୁ କୋର୍ଟଙ୍କ ଦ୍ବାରସ୍ତ ହୋଇଥିଲା ଇଡି । ଏହାପରେ କେଜ୍ରିଓ୍ବାଲଙ୍କୁ 16 ତାରିଖରେ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ମହାନଗର ନିଗମ ମାଜିଷ୍ଟ୍ରେଟ କୋର୍ଟରେ ହାଜର ହେବାକୁ କହିଥିଲେ । ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିରୋଧରେ ରାଉଜ ଆଭେନ୍ୟୁ କୋର୍ଟର ଦ୍ବାରସ୍ତ ହୋଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କୋର୍ଟରେ ହାଜର ହେବା ଆଦେଶ ଉପରେ ରୋକ ଲଗାଇବାକୁ ଆବେଦନ କରିଥିଲେ । ଏହି ଆବେଦନକୁ ସ୍ବତନ୍ତ୍ର ସିବିଆଇ ବିଚାରପତି ଖାରଜ କରିଦେଇଥିଲେ ।