ଓଡିଶା

odisha

ETV Bharat / bharat

ଉପକୂଳ ମୁହାଁ ବାତ୍ୟା 'ଫେଙ୍ଗାଲ': ତାମିଲନାଡୁରେ ଆଲର୍ଟ, ଓଡ଼ିଶାରେ ବର୍ଷା ସମ୍ଭାବନା - CYCLONE FENGAL

ବଙ୍ଗୋପସାଗରରେ ବାତ୍ୟା 'ଫେଙ୍ଗାଲ' ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା । ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ପୂର୍ବାନୁମାନ ।

Cyclone Fengal  LIVE Update IMD Red Alerts In Tamil Nadu
Cyclone Fengal LIVE Update IMD Red Alerts In Tamil Nadu (ETV Bharat Odisha)

By ETV Bharat Odisha Team

Published : Nov 27, 2024, 12:40 PM IST

ଚେନ୍ନାଇ (ତାମିଲନାଡୁ): ବଙ୍ଗୋପସାଗରରେ ବାତ୍ୟା 'ଫେଙ୍ଗାଲ'। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ (Low Pressure) ପରେ ଅବପାତ (Depression) ରୂପ ନେଇଥିଲା । ପରେ ଏହା ଅଧିକ ଘନିଭୂତ ହୋଇ ଗଭୀର ଅବପାତ (Deep Depression)ରେ ପରିଣତ ହୋଇଛି । ଭାରତୀୟ ପାଣିପାଗ ବିଭାଗ (IMD)ର ଆକଳନ ଅନୁସାରେ, ଗଭୀର ଅବପାତ ଆଜି ବାତ୍ୟା (Cyclonic storm)ରେ ପରିଣତ ହୋଇ ସ୍ଥଳଭାଗ ଛୁଇଁପାରେ । ଏହି ବାତ୍ୟାର ନାମ ରଖାଯାଇଛି 'ଫେଙ୍ଗାଲ' ।

ବାତ୍ୟା 'ଫେଙ୍ଗାଲ':

ଉପକୂଳ ମୁହାଁ ବାତ୍ୟା ଫେଙ୍ଗାଲ । ଏହା ଗତ ୬ ଘଣ୍ଟାରୁ ଅଧିକ ସମୟ ଧରି ଘଣ୍ଟାକୁ ୧୦ କିଲୋମିଟର ବେଗରେ ଗତି କରୁଛି । ଏହାର ପ୍ରଭାବରେ ତାମିଲନାଡୁ ପାଇଁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ତାମିଲନାଡୁରେ ୨୫ଟି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ଉପକୂଳବର୍ତ୍ତୀ ୧୫ଟି ଜିଲ୍ଲାରେ ଛୁଟି ଘୋଷଣା କରିଛନ୍ତି ।

ଆଉ ଦୁଇ ଦିନ ପ୍ରବଳ ବର୍ଷିବ :

ଚେନ୍ନାଇ, କାଞ୍ଚିପୁରମ, ଚେଙ୍ଗଲପାଟ୍ଟୁ ଏବଂ ତିରୁଭାଲୁର ଜିଲ୍ଲାରେ ପ୍ରବଳ ବର୍ଷା ପୂର୍ବାନୁମାନ କରିଛି IMD । ଗତକାଲି ୨୬ ତାରିଖରୁ ଏସବୁ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଥିବା ବେଳେ, ଆଜି ଏବଂ ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି । ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମି ରହିଥିବା ବେଳେ, ରାସ୍ତା ଘାଟ ବୁଡ଼ିବା ସହିତ ଘରଦ୍ବାରରେ ପାଣି ପଶିଛି ।

Cyclone Fengal LIVE Update IMD Red Alerts In Tamil Nadu (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ-

IMDର ଆକଳନ: ନଭେମ୍ବର ୨୭ ଓ ୨୮ରେ ଓଡ଼ିଶାରେ ବର୍ଷା

IMD ପୂର୍ବାନୁମାନ: ଓଡ଼ିଶାରେ କାଲିଠୁ ବର୍ଷା, ବଙ୍ଗୋପସାଗରରେ ଗଭୀର ଅବପାତ

ବିମାନ ସେବା ପ୍ରଭାବିତ :

ଲଗାଣ ବର୍ଷା ଯୋଗୁଁ ଚେନ୍ନାଇ ବିମାନ ବନ୍ଦର ସମେତ ବିଭିନ୍ନ ବିମାନ ବନ୍ଦରରେ ବିମାନ ସେବା ପ୍ରଭାବିତ ହୋଇଛି । ମଦୁରାଇ, କୋଏମବାଟୁର, ହାଇଦ୍ରାବାଦ ଏବଂ କୋଲକାତାରୁ ଉଡ଼ାଣ ଭରିଥିବା ଇଣ୍ଡିଗୋ ବିମାନ ଲ୍ୟାଣ୍ଡିଂ କରିବାରେ ସମସ୍ୟା ସୃଷ୍ଟି ହୋଇଥିଲା । ଚେନ୍ନାଇ ବିମାନବନ୍ଦର ରନ ୱେରେ ପାଣି ଜମି ରହିଥିବାରୁ, ବିମାନଗୁଡ଼ିକ ଅବତରଣ କରିବା କଷ୍ଟକର ହୋଇପଡ଼ିଥିଲା । ସେହିପରି ପ୍ରତିକୂଳ ପାଗ ଯୋଗୁଁ ଏଠାରୁ ହାଇଦ୍ରାବାଦ, ଲକ୍ଷ୍ମୌ, ମୁମ୍ବାଇ ଏବଂ ଦିଲ୍ଲୀ ଯାତ୍ରା କରିବାକୁ ଥିବା ବିମାନ ଚଳାଚଳରେ ବିଲମ୍ବ ହୋଇଛି । ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ମୋଟ ୧୫ଟି ବିମାନର ଚଳାଚଳ ପ୍ରଭାବିତ ହୋଇଛି ।

Cyclone Fengal LIVE Update IMD Red Alerts In Tamil Nadu (ETV Bharat Odisha)

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା:

ବାତ୍ୟା ଫେଙ୍ଗାଲ ଯୋଗୁଁ ସମୁଦ୍ର ଅଶାନ୍ତ ରହିଛି । ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ମାଛ ଧରିବାକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଯେଉଁମାନେ ସମୁଦ୍ର ଭିତରକୁ ଯାଇଛନ୍ତି, ଶୀଘ୍ର ଫେରି ଆସିବାକୁ ଆଲର୍ଟ ଜାରି କରାଯାଇଛି । ସେହିପରି ସମୂଦ୍ରକୂଳରେ ହାଇ ଆଲର୍ଟ ଜାରି ରହି ତଟରକ୍ଷା ବାହିନୀ ନିୟୋଜିତ ହୋଇଛନ୍ତି । ଚେନ୍ନାଇ, କାଞ୍ଚିପୁରମ , ଥିରୁଭାଲୁର ଏବଂ ଚେଙ୍ଗାଲପାଟ୍ଟୁ ଜିଲ୍ଲାରେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

ଏହା ମଧ୍ୟ ପଢ଼ନ୍ତୁ-

ବଙ୍ଗୋପସାଗରରେ ଲଘୁଚାପ: ୨୬ ଓ ୨୭ରେ ପ୍ରବଳ ବର୍ଷା, ଓଡ଼ିଶାରେ କେମିତି ରହିବ ପ୍ରଭାବ ?

ଆସୁଛି ବାତ୍ୟା ! ୩ ଦିନ ଓଡ଼ିଶାରେ ଲାଗି ରହିବ ବର୍ଷା

ସ୍କୁଲ-କଲେଜ ବନ୍ଦ:

ବାତ୍ୟା ଫେଙ୍ଗାଲ ପ୍ରଭାବରେ ବର୍ଷା କାରଣରୁ ତାମିଲନାଡୁରେ ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି । କୁଡାଲୋର, ନାଗପଟ୍ଟିନମ, ମାଇଲାଦୁଥୁରାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ( ନଭେମ୍ବର ୨୭ରେ) ସମସ୍ତ ଶିକ୍ଷାନୁଷ୍ଢାନ ବନ୍ଦ ଘୋଷଣା କରାଯାଇଛି । ତାମିଲନାଡୁର ବିଭିନ୍ନ ଜିଲ୍ଲାରେ ବର୍ଷାକୁ ନେଇ ରେଡ୍ ଏବଂ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ସମସ୍ତ ବିଭାଗୀୟ ଅଧିକାରୀ ଏବଂ ଉପକୂଳ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିବା ସହ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଭାବିତଙ୍କୁ ଉଦ୍ଧାର କରିବା ସହ ରିଲିଫ ବଣ୍ଟନ ପାଇଁ ପରାମର୍ଶ ଦେଇଛନ୍ତି ।

ପରୀକ୍ଷା ବାତିଲ :

ବାତ୍ୟା ଫେଙ୍ଗାଲକୁ ନଜରରେ ରଖି ତାମିଲନାଡୁରେ ସମସ୍ତ ପରୀକ୍ଷା ବାତିଲ କରାଯାଇଛି । ପାଣିପାଗରେ ପରିବର୍ତ୍ତନ ଆସିବା ପରେ ପରୀକ୍ଷାକୁ ନେଇ ପରବର୍ତ୍ତୀ ତାରିଖ ଘୋଷଣା କରାଯିବ ବୋଲି ଆନ୍ନା ବିଶ୍ବବିଦ୍ୟାଳୟ (Anna University) ପକ୍ଷରୁ ସୂଚନା ଦିଆଯାଇଛି ।

ନାଗପଟ୍ଟିନମରେ ରେକର୍ଡ ବର୍ଷା:

ଚେନ୍ନାଇ ସ୍ଥିତ ପାଣିପାଗ ବିଭାଗ ସୂଚନା ଅନୁସାରେ, ନାଗପଟ୍ଟିନମରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଏଠାରେ ସବୁଠୁ ଅଧିକ ୧୨୭ ମିଲିମିଟର ବର୍ଷା ହୋଇଥିବା ବେଳେ,କୁଡାଲୋରରେ ୬୭ ମିମି, ତାଞ୍ଜାଭରରେ ୫୪ ମିମି ଏବଂ କରାଇକଳାରେ ୫୨ ମିଲିମିଟର ବର୍ଷା ହୋଇଛି ।

ବାତ୍ୟା ସତର୍କତା :

  • ତାମିଲନାଡୁ ଏବଂ ପୁଡୁଚେରୀରେ ୭ଟି NDRF ଟିମ ମୁତୟନ
  • ବିମାନ ଯାତ୍ରୀଙ୍କ ପାଇଁ ଆଲର୍ଟ ଜାରି, ଯାତ୍ରା ପୂର୍ବରୁ ବିମାନ ଯାତ୍ରା ସଂପର୍କରେ ଅପଡେଟ ସଂଗ୍ରହ କରନ୍ତୁ ଏବଂ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଦେଖନ୍ତୁ
  • ବର୍ଷା ଏବଂ ପବନ ସମୟରେ ଘରୁ ବାହାରନ୍ତୁ ନାହିଁ
  • ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହୁଅନ୍ତୁ

ଓଡ଼ିଶାରେ ବର୍ଷା:

ବାତ୍ୟା 'ଫେଙ୍ଗାଲ' ପ୍ରଭାବ ଓଡ଼ିଶାରେ ବିଶେଷ ଭାବେ ପଡ଼ିବ ନାହିଁ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଓଡ଼ିଶାର ଦକ୍ଷିଣ ଉପକୂଳ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆଜିଠାରୁ (ନଭେମ୍ବର ୨୭) ଠାରୁ ଦୁଇ ତିନି ଦିନ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ କୁହୁଡି଼ ଅନୁଭୂତ ହୋଇଛି । କିଛି ସ୍ଥାନରେ ତାପମାତ୍ରା ମଧ୍ୟ ହ୍ରାସ ପାଇଛି ।

କାହିଁକି ବାତ୍ୟାର ନାମକରଣ 'ଫେଙ୍ଗାଲ' ?

ଫେଙ୍ଗାଲ ଶବ୍ଦର ଆକ୍ଷରିକ ଅର୍ଥ ସେମିତି କିଛି ଦର୍ଶାଯାଇ ନଥିବା ବେଳେ , ବାତ୍ୟା ସମୟରେ ଦିଆଯାଉଥିବା ଆଲର୍ଟର ଏକ ନାମ ବୋଲି ଧରାଯାଇ ପାରିବ । ଯେ କୌଣସି ଏକ ବାତ୍ୟାର ନାମକରଣ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏକ ପ୍ରାକୃତିକ ବିପର୍ଯ୍ୟୟ ପୂର୍ବର ଆଲର୍ଟ ବା ପୂର୍ବ ସୂଚନା ଜାରି କରାଯିବା । ଏହାଦ୍ବାରା ସାଧାରଣ ଜନତାଙ୍କୁ ବାତ୍ୟା ସଂପର୍କରେ ଧାରଣା ବା ବ୍ୟାପକ ସୂଚନା ମିଳିପାରିବ । ବାତ୍ୟା ଫେଙ୍ଗାଲ ର ନାମକରଣ ସାଉଦ ଆରବ ଦେଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଭାରତ ମହାସାଗରରେ ସୃଷ୍ଟି ହେଉଥିବା ବାତ୍ୟାଗୁଡ଼ିକର ନାମକରଣ ବର୍ଣ୍ଣାନୁକ୍ରମିକ କ୍ରମ (alphabetical order) ଅନୁସାରେ ହୋଇଥାଏ । ପଡ଼ୋଶୀ ଦେଶଗୁଡ଼କ ଜଣକ ପରେ ଜଣେ ସମ୍ଭାବ୍ୟ ବାତ୍ୟାର ନାମ ଦେଇଥାନ୍ତି ।

ABOUT THE AUTHOR

...view details