ଖୋର୍ଦ୍ଧା: ମାଣ୍ଡିଆରେ ରହିଛି ଭରପୂର ପୋଷକତତ୍ତ୍ବ । ଏହାର ପ୍ରଚାର ପ୍ରସାର ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ରାଜ୍ଯ ସରକାର । ତେଣୁ ସରକାର 'ମିଲେଟ ମିଶନ' ନାମରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ସରକାର । ମାଣ୍ଡିଆ ଖାଦ୍ୟର ଚାହିଦା ଦେଖି ଏବେ ବିଭିନ୍ନ ସାମଗ୍ରୀ ବଜାରକୁ ଆସିଲାଣି । ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମ ଥର ପାଇଁ ଏକ ସ୍ବୟଂ ସହାୟକ ଗୋଷ୍ଠୀ ମାଣ୍ଡିଆରେ ବିଭିନ୍ନ ଖାଦ୍ୟ ସାମଗ୍ରୀ ତିଆରି କରି ଭଲ ଦି ପଇସା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି । ଆଉ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ ।
ବଢିବାରେ ଲାଗିଛି ମାଣ୍ଡିଆର ଚାହିଦା:
ମାଣ୍ଡିଆ ଆଉ ଗରିବଙ୍କ ଖାଦ୍ୟ ହୋଇନାହିଁ । ମାଣ୍ଡିଆ ଏବେ ଅନ୍ତର୍ଜାତୀୟ ସ୍ତରରେ ବେଶ କ୍ଷାତି ଅର୍ଜନ କରିଛି । ରୋଗୀ ହୁଅନ୍ତୁ କି ସାଧାରଣ ଲୋକ, ସମସ୍ତଙ୍କ ଆହାର ପାଲଟିଛି ମାଣ୍ଡିଆ । ମାଣ୍ଡିଆରେ ଥିବା ପୁଷ୍ଟିକର ପଦାର୍ଥ ମାନବ ଶରୀର ପାଇଁ ଏକାନ୍ତ ଆବଶ୍ଯକ ବୋଲି ଡାକ୍ତର ପରାମର୍ଶ ଦିଅନ୍ତି । ମାଣ୍ଡିଆ ଏବେ ପାଲଟିଛି ଲୋକମାନଙ୍କ ପ୍ରଥମ ପସନ୍ଦ। ଯାହାକି କେବଳ ମାଣ୍ଡିଆ ଜାଉରେ ସୀମିତ ନାହିଁ, ଏବେ ମାଣ୍ଡିଆର ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ସାମଗ୍ରୀ ବଜାରକୁ ଆସିଲାଣି । ଏହାକୁ ନଜରରେ ରଖି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ମାଣିବନ୍ଧ ପଞ୍ଚାୟତର ଛାମୁଣ୍ଡିଆ ନୂଆପଲ୍ଲୀ ଗ୍ରାମର ଶ୍ରୀ ବାଲୁକେଶ୍ଵର ମହିଳା ମଣ୍ତଳ ସ୍ଵୟଂ ସହାୟକ ଗୋଷ୍ଠୀ ରୋଜଗାରର ନୂଆପନ୍ଥା ଆପଣାଇଛନ୍ତି । ବର୍ତ୍ତମାନର ସମୟରେ ଆମେ ସମସ୍ତେ ବିଶେଷକରି ସ୍ଵାସ୍ଥ୍ୟକୁ ନେଇ ଅଧିକ ଯତ୍ନବାନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମହିଳାମାନେ ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିଛନ୍ତି ଏହି ଗ୍ରୁପ । ଯାହାକି ଜାନୁଆରୀ ମାସରେ ଆରମ୍ଭ ହୋଇଥିବାବେଳେ ଲୋକଙ୍କ ଦ୍ୱାରା ବେଶ ଆଦୃତ ମଧ୍ୟ ହେଉଛି । ମହିଳା ଗୋଷ୍ଠୀ ପକ୍ଷରୁ ମାଣ୍ଡିଆରୁ ପ୍ରସ୍ତୁତ ସାମଗ୍ରୀ ସେମାନଙ୍କୁ ଦେଖାଇଛି ରୋଜଗାରର ବାଟ ।
ମାଣ୍ଡିଆ ପ୍ରସ୍ତୁତ ସାମଗ୍ରୀ:
ମାଣ୍ଡିଆରେ ପ୍ରସ୍ତୁତ ହେଉଛି ଚା' ଠାରୁ ଆରମ୍ଭ କରି ଲଡୁ ଭଳି ବିଭିନ୍ନ ଖାଦ୍ୟ ସାମଗ୍ରୀ । ଯାହାର ଚାହିଦା ଢେର ରହିଛି । ଛାମୁଣ୍ଡିଆ ନୂଆପଲ୍ଲୀରୁ ପ୍ରସ୍ତୁତ ହେଉଥିବା ଏହି ସାମଗ୍ରୀ ଜିଲ୍ଲା ତଥା ଜିଲ୍ଲା ବାହାରରେ ମଧ୍ଯ ଗ୍ରାହକଙ୍କୁ ଆକୃଷ୍ଟ କରୁଛି । ପାଞ୍ଚ ପ୍ରକାର ଖାଦ୍ୟ ସାମଗ୍ରୀ ଯଥା ମାଣ୍ଡିଆ ଚା, ସେଓ, କାକରା, ଲଡୁ ଓ ମାଣ୍ଡିଆ ସେକ୍ କରି ଚର୍ଚ୍ଚାକୁ ଆସିଛନ୍ତି ଏହି ସ୍ଵୟଂ ସହାୟକ ଗୋଷ୍ଠୀ । କିପରି ମାଣ୍ଡିଆ ସାମଗ୍ରୀର ପ୍ରଚାର ପ୍ରସାର କେବଳ ସରକାରଙ୍କ ନୁହେଁ ଏ ପ୍ରଚାର ପ୍ରସାର ଆମ ଦ୍ବାରା ସମ୍ଭବ ହେବ ବୋଲି ସେମାନେ ବାର୍ତ୍ତା ରଖି ଏହିଭଳି ନିଆରା ବ୍ଯବସାୟ ଆରମ୍ଭ କରି ସେଥିରୁ ମଧ୍ଯ ଭଲ ଦିପଇସା ରୋଜଗାର କରୁଛନ୍ତି ।
ପ୍ରୋଟିନଯୁକ୍ତ ଖାଦ୍ୟ ମାଣ୍ଡିଆ:
ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଜ୍ୟୋତି କହିଛନ୍ତି, "ଖାଲି ସମୟରେ ଆମେ କିଛି କରିବାକୁ ଚିନ୍ତା କରିଥିଲୁ । ଯେହେତୁ ମାଣ୍ଡିଆକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି ଆମେ ଏଥିରୁ ସ୍ୱାଦିଷ୍ଟ ନଡିଆ ପୁର ଦିଆ କାକରା, କାଜୁ ଦିଆହୋଇଥିବା ଲଡୁ, ସେକ ସହ ସେଓ ଏବଂ ମାଣ୍ଡିଆ ଚା' ପ୍ରସ୍ତୁତ କରିବାକୁ ଚିନ୍ତା କରିଥିଲୁ । ଏହାଦ୍ବାରା ଭଲ ରୋଜଗାର ବି ହେଉଛି । ଯେଉଁମାନେ ମାଣ୍ଡିଆର ଉପକାରିତା ବିଷୟରେ ଜାଣିଛନ୍ତି ସେମାନେ ଆଗ୍ରହ ପ୍ରକାଶ କରୁଛନ୍ତି ।" ମାର୍କେଟିଂ ସଦସ୍ୟ ସୌମ୍ୟ ରଞ୍ଜନ ବଳିୟାରସିଂ କହିଛନ୍ତି, "ମାଣ୍ଡିଆକୁ ଅନେକ ଲୋକ ଭାବନ୍ତି ଗରିବଙ୍କ ଖାଦ୍ୟ । କିନ୍ତୁ ଏହା ଖୁବ ଉପକାରୀ । ଧାନ, ଗହମ ତୁଳନାରେ ଏଥିରେ ଅଧିକ ପ୍ରୋଟିନ ରହିଛି ।"
ଏହା ବି ପଢନ୍ତୁ...ସ୍ବାସ୍ଥ୍ୟ ପାଇଁ ସୁପରଫୁଡ୍ ମାଣ୍ଡିଆ, ହେଲେ ଏହି ଲୋକମାନେ ଖାଆନ୍ତୁ ନାହିଁ
ଏହା ବି ପଢନ୍ତୁ...ମାଣ୍ଡିଆ ରାଣୀରୁ ଡକ୍ଟର ରାଇମତି ଘେଉରିଆ, କାହିଁକି ଚର୍ଚ୍ଚାରେ କୋରାପୁଟ ଝିଅ
ଗୋଟିଏ ଯାଗାରେ ମା' ମାନେ ଏକତ୍ରିତ ହୋଇ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । 10 ଜଣ ମହିଳା ବ୍ଯାଙ୍କରୁ 6 ଲକ୍ଷ ଟଙ୍କା ଋଣ ଆଣି ଏଥିରେ ମାଣ୍ଡିଆ ଖାଦ୍ୟ ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଛନ୍ତି । ସେଥିରୁ ମିଳୁଥିବା ଟଙ୍କା ସମସ୍ତଙ୍କ ମଧ୍ଯରେ ବାଣ୍ଟି ବେଶ ଆରାମରେ ନିଜ ପରିବାର ଚଳାଉଛନ୍ତି । ମହିଳାଙ୍କୁ ସ୍ବାବଲମ୍ବୀ କ୍ଷେତ୍ରରେ ମାଣ୍ଡିଆ ଏମାନଙ୍କ ପାଇଁ ନୂଆ ପରିଚୟ ସୁଷ୍ଟି କରିଛି । ମହିଳା ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ଆଖପାଖ ଅଞ୍ଚଳ ସହ ନୟାଗଡ, ଭାପୂର, ଭୁବନେଶ୍ୱର, କଳା ପଥର, ସୁନାଖଳା, ବେଗୁନିଆ ପିଚୁକୁଳି, କଟକ ଓ ଖୋର୍ଦ୍ଧା ଅନେକ ଅଞ୍ଚଳର ଗ୍ରାହକ କିଣିନେଉଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା