ଜୟପୁର:ଚଳିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଓ ଏହାର ନେତୃତ୍ବାଧୀନ ମେଣ୍ଟ ‘ଏନଡିଏ’ ମେଣ୍ଟ 4ଶହ ପାର କରିବା ଲକ୍ଷ୍ୟରେ ନିର୍ବାଚନ ଲଢୁଛନ୍ତି । 4ଶହ ଆସନ ସହ ଭାରତୀୟ ଜନତା ପାର୍ଟି ନିର୍ବାଚନ ଜିତିବା ପରେ ସଂସଦର ଉଭୟ ଗୃହରେ ଶକ୍ତିଶାଳୀ ହୋଇଯିବ । ତେବେ ସଂଖ୍ୟା ବହୁମତ ଆଧାରରେ ଭାରତର ସମ୍ବିଧାନ ପରିବର୍ତ୍ତନ କରିବାକୁ ଯୋଜନା ରଖିଥିବା ବିଭିନ୍ନ ସୟମରେ ବିଭିନ୍ନ ବିରୋଧୀ ରାଜନୈତିକ ଦଳ ସମାଲୋଚନା କରୁଛନ୍ତି । ଏହି ପ୍ରସଙ୍ଗରେ ବାଚସ୍ପତି ତଥା ରାଜସ୍ଥାନ କୋଟା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ଓମ ବିର୍ଲା କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଦେଶର ସମ୍ବିଧାନକୁ କେହି ପରିବର୍ତ୍ତନ କରି ପାରିବେନାହିଁ । କଂଗ୍ରେସ କେବଳ ଏପରି ପ୍ରଚାର କରି ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛି ବୋଲି ବିର୍ଲା କହିଛନ୍ତି ।
ଗତକାଲି ଖବର ସରବରାହ ସଂସ୍ଥା ‘ଏଏନଆଇ’ କୁ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଶ ବିର୍ଲା କହିଛନ୍ତି, ‘‘ସମ୍ବିଧାନକୁ କେହି କେବେ ମଧ୍ୟ ପରିବର୍ତ୍ତନ କରିପାରିବେ ନାହିଁ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି କଥା ସ୍ପଷ୍ଟତାର ସହ କହି ସାରିଛନ୍ତି । ହେଲେ କଂଗ୍ରେସ ଅନୁସୂଚୀତ ଜାତି ବର୍ଗର ଲୋକଙ୍କୁ ଭ୍ରମିତ କରିବାରେ ଲାଗିଛି । ମିଛ ଓ ନିରାଧାର ସୂଚନା ପ୍ରସାରିତ କରିବାରେ ଲାଗିଛି । ହେଲେ କଂଗ୍ରେସର ଏହି ଯୋଜନାରେ କେହି ବୋକା ବନିବେ ନାହିଁ ।’’
ବିର୍ଲା କହିଛନ୍ତି, ଦେଶରେ ଯଦି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଦଳିତଙ୍କ ଅଧିକାର ସୁରକ୍ଷିତ ଅଛି, ତେବେ ଏହା କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ସମ୍ଭବ ହୋଇଛି । କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ନିକଟରେ(ରବିବାର) କହିଥିଲେ ଯେ ଭାରତ ଜନତା ପାର୍ଟି ନେତୃତ୍ୱାଧୀନ କେନ୍ଦ୍ର ସରକାର ସମ୍ବିଧାନରେ ପରିବର୍ତ୍ତନ ଆଣିବାକୁ ଚାହୁଁଛି । ଏପରି କରି ବିଜେପି ସରକାର ଦେଶବାସୀଙ୍କ ଅଧିକାରକୁ ହ୍ରାସ କରିବାକୁ ଚାହୁଁଛି । ସେମାନେ ସମ୍ବିଧାନରେ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି, କାରଣ ପ୍ରଧାନମନ୍ତ୍ରୀ କେବଳ କ୍ଷମତା ଚାହୁଁଛନ୍ତି । ସେମାନେ ସଂରକ୍ଷଣକୁ ଦୁର୍ବଳ କରିବାକୁ ଚାହୁଁଛନ୍ତି ବୋଲି ପ୍ରିୟଙ୍କା କହିଥିଲେ । ଏହାକୁ ଆଜି ବିର୍ଲା କାଉଣ୍ଟର କରିଛନ୍ତି ।