ଚେନ୍ନାଇ:ବିବାହ ବାର୍ଷିକୀ ପାଳନ ପାଇଁ ଘରକୁ ଫେରୁଥିବା ବେଳେ ବାଟରେ ଛକି ବସିଥିଲା ଯମ । ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର 5 ଜୀବନ । ତାମିଲନାଡୁର ତିରୁପୁରରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସରକାରୀ ବସ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏଥିରେ ଗୋଟିଏ ପରିବାରର 5 ଜଣ ସଦସ୍ୟ ଆଖି ବୁଜିଛନ୍ତି । କାର ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଗତକାଲି(ସୋମବାର) ତାମିଲନାଡୁ ରାଜ୍ୟର ତିରୁପୁର ଅଞ୍ଚଳର ଚନ୍ଦ୍ରଶେଖର ଓ ଚିତ୍ରା ନିଜର 60ତମ ବିବାହ ବାର୍ଷିକୀ ପାଳନ କରିବା ପାଇଁ ପରିବାର ସହ ତିରୁପୁର ଆସୁଥିଲେ । ଆଜି (ମଙ୍ଗଳବାର) ଭୋର ସମୟରେ ଭେଲ୍ଲାକୋଭିଲ ଦେଇ ତିରୁପୁର ଯାଉଥିବା ସମୟରେ ତାମିଲନାଡୁର ଏକ ସରକାରୀ ବସ (TNSTC) ଓଲାପଲାୟମର ତ୍ରିଚୀଠାରେ ଚନ୍ଦ୍ରଶେଖରଙ୍କ କାରଙ୍କ ସହ ମୁହାମୁହିଁ ଧକ୍କା ହୋଇଥିଲା ।
ଏହାମଧ୍ୟ ପଢନ୍ତୁ..ଭାରସାମ୍ୟ ହରାଇ ଖାଇକୁ ଖସିଲା କାର୍, ଚାଲିଗଲା 8 ଜୀବନ - Nainital Accident
ଏହି ଦୁର୍ଘଟଣାରେ କାର ମଧ୍ୟରେ ଥିବା ଚନ୍ଦ୍ରଶେଖର, ଚିତ୍ରା, ପ୍ରିନ୍ସ, ଅରିଭିତ୍ର ଓ ଜଣେ 3 ମାସର ଶିଶୁ ସାକ୍ଷୀର ମୃତ୍ୟୁ ହୋଇଥିବା ବେଳେ କାର ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କାର ଚାଳକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।