ଲକ୍ଷ୍ନୌ:ଉତ୍ତର ପ୍ରଦେଶ ସମ୍ଭାଲରେ ଏକ ମସଜିଦ ସର୍ଭେକୁ ନେଇ ବ୍ୟାପକ ହିଂସା ଦେଖିବାକୁ ମିଳିଛି । ଗତକାଲି (ରବିବାର) କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଏକ ବିବାଦୀୟ ମସଜିଦ ସମ୍ପର୍କରେ ସର୍ଭେ କରାଯାଉଥିଲା । ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଲୋକେ ଏହାକୁ ବିରୋଧ କରିବା ସହ ସର୍ଭେ ଅଧିକାରୀଙ୍କ ଟିମ୍ ଓ ପୋଲିସ ଉପରକୁ ପଥର ମାଡ କରିଥିଲେ । ଭିଡ଼ ଏକାଠି ହେବା ସହ ହିଂସା ଅଣାୟତ୍ତ ସ୍ଥିତିକୁ ଯିବାରୁ ପୋଲିସ ମଧ୍ୟ ବଳ ପ୍ରୟୋଗ କରି ସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରାୟସ କରିଥିଲା । ଏଥିରେ ୩ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ଏକାଧିକ ବରିଷ୍ଠ ଅଧିକରୀଙ୍କ ସମେତ ପ୍ରାୟ 30ରୁ ଅଧିକ ପୋଲିସ ଓ ପ୍ରଶାସନିକ ଅଧିକାରୀ ଏଥିରେ ଆହତ ହୋଇଛନ୍ତି ।
- ସର୍ଭେ ପାଇଁ ଆସିଥିବା ଅଧିକାରୀଙ୍କ ଟିମକୁ ଆକ୍ରମଣ
ସମ୍ଭାଲର ଥିବା ସାହି ଜାମା ମସଜିଦ ସ୍ଥାନକୁ ନେଇ ବିବାଦ ରହିଛି । ମାମଲାର ଶୁଣାଣି କୋର୍ଟରେ ଜାରି ରହିଛି । କୋର୍ଟ ଏହି ସମଜିଦର ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗତକାଲି (ରବିବାର) ଏହି ସର୍ଭେ ପାଇଁ ଟିମ ପହଞ୍ଚିଥିଲା । ପୂର୍ବାହ୍ନ ପ୍ରାୟ 10ଟା ବେଳେ ସର୍ଭେ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଧିରେ ଧିରେ ସେଠାରେ ଭିଡ ବଢିବା ସହ ନାରାବାଜୀ ମଧ୍ୟ ଦେଖିବାକୁ ମିଳିଥିଲା । ପରେ କ୍ରମଶଃ ଉତ୍ତେଜନାପୂର୍ଣ୍ଣ ହେବା ସହ ହିଂସାରେ ବଦଳିଯାଇଥିଲା । ମୁରଦାବାଦ କମିଶନର ଅଜନେୟ ସିଂ କହିଛନ୍ତି,‘‘ ସ୍ଥାନୀୟ ଡିଏମ ଓ ଏସପିଙ୍କ ଉପସ୍ଥିତିରେ ସର୍ଭେ ଆରମ୍ଭ ହୋଇଥିଲା । ପୂର୍ବାହ୍ନ ପ୍ରାୟ 11ଟା ସମୟରେ ସର୍ଭେ ଟିମ ମସଜିଦରୁ ବାହାରିବା ବେଳେ ଭିଡ ବେକାବୁ ହେବା ସହ ସର୍ଭେ ଟିମ ଓ ପୋଲିସ ଫୋର୍ସ ଉପରେ ପଥରମାଡ କରିବା ସହ ଜଳାପୋଡା କରିଥିଲେ । ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ ବଳ ପ୍ରୟୋଗ କରିଥିଲା ।’’