ରଥଖଳା ହାଲଚାଲ: କଟକ ଖପୁରିଆ କରତକଳରୁ ଆସିଲା ପହି

By

Published : May 31, 2022, 3:53 PM IST

thumbnail

ପୁରୀ: ମାସକ ପରେ ଅନୁଷ୍ଠିତ ହେବ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଭାଇଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ମାଉସୀ ଘର ବୁଲିଯିବେ ମହାବାହୁ । ଏଥିପାଇଁ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ରଥନିର୍ମାଣ କାର୍ଯ୍ୟ । ଚାରି ନାହାକା ଓ ୧୪ ନାହାକା ନିର୍ମାଣ ଶେଷ ହୋଇଛି । ତିନି ରଥର ୪୨ ଚକ ମଧ୍ୟରୁ ୩୯ ଚକ ନିର୍ମାଣ ସମ୍ପୂର୍ଣ୍ଣ ସରିଛି । ଓରାଗୁଡିକରେ ବିନ୍ଧ କରାଯାଉଛି । ନନ୍ଦିଘୋଷ ରଥର ନାହାକା ଅଖ ନିର୍ମାଣ ଆରମ୍ଭ ହୋଇଛି । ବ୍ରେକ୍ ନିର୍ମାଣ ଶେଷ ହୋଇଛି । ରୂପକାର ସେବକମାନେ ସାଲଗୁଜରେ ସିଂହବରାଳ ମୂର୍ତ୍ତି ଖୋଦେଇ କରୁଛନ୍ତି । ଅସ୍ଥାୟୀ କମାରଶାଳରେ ଓଝା ସେବକଙ୍କ ଦ୍ଵାରା ଘଡିମୁହଁ, ଦଣ୍ଡାକଣ୍ଟା, ବିଡ଼ିଆ କଣ୍ଟା, ଧ୍ଵଜବତା କଣ୍ଟା ପ୍ରସ୍ତୁତ କରାଯାଉଛି । କଟକ ଖପୁରିଆ କରତକଳରୁ ପହି ଆସି ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ଏହାପରେ ସମସ୍ତ ଚକ ନିର୍ମାଣ ଶେଷ ହେବ । ମହାରଣା ସେବକମାନେ ଅଖ ଓ ଦଣ୍ଡା ନିର୍ମାଣ କରୁଛନ୍ତି । ମହାପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ ରଥର ୧୪ ଚକ ମଧ୍ୟରୁ ୧୩, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ୧୬ ଚକ ମଧ୍ୟରୁ ୧୫ ଏବଂ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ୧୨ଚକ ମଧ୍ୟରୁ ୧୧ଟି ଶେଷ ହୋଇଛି । ଅନ୍ୟ ତିନୋଟି ତୁମ୍ବରେ ଅର ସଂଯୋଗ କରାଯିବା ସହ ଅଖବିନ୍ଧ କରାଯାଇଛି । ବଳା ଓ ପନ୍ଦାରି ଲଗାଯାଇଛି । ଅଖ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଗାମୀ ୧୪ତାରିଖ ଦିନ ଦାରୁବ୍ରହ୍ମଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ଶୀତଳଷଷ୍ଠୀ ପୂର୍ବରୁ ୨୧ ଅଖ ଏବଂ ୪୨ଚକ ନିର୍ମାଣ ଶେଷ କରାଯିବ । ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.