ଭୁବନେଶ୍ବର: ଓଡ଼ିଶାରେ ଗତ କିଛି ଦିନ ଧରି ଅଦିନିଆ ଲଗାଣ ବର୍ଷା ଲାଗି ରହିଛି । ବର୍ତ୍ତମାନ ପାଗରେ ସାମାନ୍ୟ ପରିବର୍ତ୍ତନ ଘଟିଥିବା ବେଳେ ଆଜି ରାଜ୍ୟରେ ଶୁଖିଲା ପାଗ ରହିଛି । କିନ୍ତୁ ଆସନ୍ତାକାଲିଠୁ ପୁଣି ମେଘୁଆ ପାଗ ସହ ବର୍ଷା ହେବାର ସମ୍ଭାବନା ରହିଛି । ପୁଣି ୨ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ । ୨୮ ତାରିଖରେ ୭ ଜିଲ୍ଲା ଓ ୨୯ ପାଇଁ ୫ ଜିଲ୍ଲାକୁ ବର୍ଷା ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
୨ ଦିନ ବର୍ଷା ଆଲର୍ଟ:
ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ୨୮ ଏବଂ ୨୯ ତାରିଖରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରଭାବ ଦେଖାଇବ ପଶ୍ଚିମାଝଡ଼ । ଫଳରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୨୮ ତାରିଖରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଯେପରିକି ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ଝାରସୁଗୁଡ଼ା, ସମ୍ବଲପୁର ଏବଂ ସୋନପୁର ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ସେହପରି ୨୯ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।
ବଢିବ ଶୀତ:
ସେପଟେ ଆସନ୍ତା ୨୪ ଘଣ୍ଟାରେ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ନବରଙ୍ଗପୁରରେ ଘନ କୁହୁଡ଼ିର ଅନୁଭୂତିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଅନ୍ଯପଟେ ପ୍ରବଳ ଶୀତ ଏବଂ ଶୁଖିଲା ପାଗ ସହ ଇଂରାଜୀ ନବବର୍ଷକୁ ସ୍ବାଗତ କରିବେ ରାଜ୍ୟବାସୀ । ଆସନ୍ତା ୩୦ରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ରହିବ ପାଗ ରହିବ । ବିଗତ କିଛିଦିନ ହେବ ରାତିର ତାପମାତ୍ରା ଅଚାନକ ବଢ଼ିଥିବା ବେଳେ ଆସନ୍ତା ୩ ଦିନ ମଧ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । କିନ୍ତୁ ୩ ଦିନ ପରେ ତାପମାତ୍ରା ୨ରୁ ୪ ଡିଗ୍ରୀ କମିବ ଆଉ ଶୀତ ବଢିବ । ବିଶେଷ କରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଶୀତର ପ୍ରଭାବ ଅଧିକ ରହିବ ।
Weather Forecast for the State.
— Meteorological Centre, Bhubaneswar (@mcbbsr) December 27, 2024
Day-1: Dry
Day-2 & Day-3 : Light Rain/Thundershower at one or two places over the marked Districts.
Day-4 to Day-7: Dry#Odisha #WeatherUpdate pic.twitter.com/wI91nQAYol
ଏହା ମଧ୍ୟ ପଢ଼ନ୍ତୁ...ବଦଳୁଛି ପାଗ, ଘନ କୁହୁଡି ପାଇଁ ୬ ଜିଲ୍ଲାକୁ ଆଲର୍ଟ ଏହା ମଧ୍ୟ ପଢ଼ନ୍ତୁ...ଆଜି ପ୍ରବଳ ବର୍ଷା ସହ ହେବ ହାଡ ଭଙ୍ଗା ଶୀତ, 8 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ |
ଅନ୍ୟପଟେ ଗତ ୨୪ ଘଣ୍ଟାରେ ଅନେକ ସ୍ଥାନରେ ହାଲୁକରୁ ବର୍ଷା ହୋଇଥିବା ବେଳେ ମାଲକାନଗିରିର ଚିତ୍ରକୋଣ୍ଡାରେ ସର୍ବାଧିକ ବର୍ଷା ୧୧.୦ ମିଲିମିଟର ରେକର୍ଡ ହୋଇଛି । ସେହିପରି ସୁନ୍ଦରଗଡ଼ର କିରେଇରେ ସର୍ବନିମ୍ନ ତାପମାତ୍ରା ୧୫.୦୦ ଡିଗ୍ରୀ ଓ ପାହାଡିଆ ଅଞ୍ଚଳ ଜି ଉଦୟଗିରିରେ ୧୩.୦୦ ଡ଼ିଗ୍ରୀ ରେକର୍ଡ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର