ହାଇଦ୍ରାବାଦ: ବର୍ଷ 2024 ଆଉ କିଛି ଦିନ ପରେ ଶେଷ ହେବାକୁ ଯାଉଛି । ବିଦାୟୀ ବର୍ଷରେ ଭାରତରେ ଇଲେକଟ୍ରିକ ବାହନ ଲଞ୍ଚ ସଂଖ୍ୟା ବୃଦ୍ଧି ପାଇଛି । ଖାଲି ଲଞ୍ଚ କାହିଁକି, ଇଲେକଟ୍ରିକ କାର ବିକ୍ରି ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । 2024ରେ କାର ନିର୍ମାତା କମ୍ପାନୀଗୁଡ଼ିକ ଅନେକ ଅତ୍ୟାଧୁନିକ ଫିଚର ସହିତ ବଜାରରେ ଏହି କାରକୁ ପ୍ରବେଶ କରାଇଥିଲେ । କିନ୍ତୁ 400 କିଲୋମିଟର ରେଞ୍ଜ ପ୍ରଦାନ କରୁଥିବା କାର ବିଷୟରେ କହିଲେ, ଚଳିତ ବର୍ଷ ସେପରି କିଛି କାର ଲଞ୍ଚ ହୋଇଛି । ଏଠାରେ ଆମେ ଆପଣଙ୍କୁ ଏପରି 10ଟି କାର ସମ୍ପର୍କରେ କହିବାକୁ ଯାଉଛୁ, ଯାହାକି ଥରେ ସମ୍ପୂର୍ଣ୍ଣ ଚାର୍ଜ କଲେ 400 କିଲୋମିଟରରୁ ଅଧିକ ଯାତ୍ରା କରିପାରିବ ।
1. Mahindra XEV 9e
ସ୍ବଦେଶୀ କାର ନିର୍ମାତା କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ନଭେମ୍ବର ମାସରେ Mahindra XEV 9eକୁ ଲଞ୍ଚ କରିଛି । ଏଥିରେ ଦୁଇଟି ବ୍ୟାଟେରୀ 59kWh ଓ 79kWhର ବିକଳ୍ପ ମିଳିଥାଏ । ବଡ଼ ବ୍ୟାଟେରୀ ସହିତ ଏହି କାର 656 କିଲୋମିଟର ଏବଂ ଛୋଟ ବ୍ୟାଟେରୀ ସହିତ ଏହି କାର 542କିମି ରେଞ୍ଜ ପ୍ରଦାନ କରିଥାଏ । ଅର୍ଥାତ କାରକୁ ଥରେ ଫୁଲ୍ ଚାର୍ଜ କଲେ ଯଥାକ୍ରମେ ଏହା 656 କିଲୋମିଟର ଓ 542କିମି ପର୍ଯ୍ୟନ୍ତ ଯାତ୍ରା କରିପାରେ । କମ୍ପାନୀ ଏହି କାରକୁ 21.90 ଲକ୍ଷ ଟଙ୍କା ପ୍ରାରମ୍ଭିକ ମୂଲ୍ୟ ସହିତ ଲଞ୍ଚ କରିଛି । ଏହାସହିତ କମ୍ପାନୀ ଏଥିରେ ଅନେକ ଉନ୍ନତମାନର ଫିଚର ମଧ୍ୟ ଦେଇଛି ।
2. Mahindra BE 6e
XEV 9e ସହିତ କମ୍ପାନୀ ଏହି ଇଲେକଟ୍ରିକ SUVକୁ ଭାରତୀୟ ବଜାରରେ ଲଞ୍ଚ କରିଥିଲା । କମ୍ପାନୀ ଏହି କାରକୁ କେବଳ ଗୋଟିଏ ବ୍ୟାଟେରୀ ପ୍ୟାକ୍ 59kWh ସହିତ ଲଞ୍ଚ କରିଥିଲା, ଯାହାକି ଏହି କାରକୁ 556KM ରେଞ୍ଜ ପ୍ରଦାନ କରିଥାଏ । ମହିନ୍ଦ୍ରା ନୂଆ BE 6e କାରକୁ 18.90ଲକ୍ଷ ଟଙ୍କା (ଏକ୍ସ-ଶୋ'ରୁମ) ପ୍ରାରମ୍ଭିକ ମୂଲ୍ୟ ସହିତ ଲଞ୍ଚ କରିଥିଲା । ଏଥିରେ ଅନେକ ଅତ୍ୟାଧୁନିକ ଫିଚର ମଧ୍ୟ ଯୋଡ଼ିଛି କମ୍ପାନୀ ।
3. Tata Curvv EV
ସ୍ବଦେଶୀ କାର ନିର୍ମାତା କମ୍ପାନୀ ଟାଟା ମୋଟର୍ସ ଏହି ଇଲେକଟ୍ରିକ ଏସୟୁଭି କୁପେକୁ ଅଗଷ୍ଟ 2024ରେ ଭାରତୀୟ ବଜାରରେ ଲଞ୍ଚ କରିଥିଲା । କମ୍ପାନୀ ଏହି ଇଲେକଟ୍ରି କାରରେ ଦୁଇଟି ବ୍ୟାଟେରୀ 45kWh ଓ 55kWh ଅପସନ ପ୍ରଦାନ କରିଛି । ଏହାର ପ୍ରଥମ ବ୍ୟାଟେରୀ ପ୍ୟାକ୍ ଏହି କାରକୁ 502କିମି ରେଞ୍ଜନ ପ୍ରଦାନ କରୁଥିବା ବେଳେ ଦ୍ବିତୀୟ ବ୍ୟାଟେରୀ 585କିମି ରେଞ୍ଜ ପ୍ରଦାନ କରିଥାଏ । ଟାଟା ଏହି କାରକୁ 17.49-21.99 ଲକ୍ଷ ଟଙ୍କା (ଏକ୍ସ-ଶୋ'ରୁମ) ଦାମ ମଧ୍ୟରେ ବିକ୍ରି କରୁଛି ।
4. Tata Punch EV
କମ୍ପାନୀ ଟାଟା ପୁଞ୍ଚ ଇଭିକୁ ଜାନୁଆରୀ 2024ରେ ଭାରତୀୟ ବଜାରରେ ଲଞ୍ଚ କରିଥିଲା । କମ୍ପାନୀ ଏହି ଇଲେକଟ୍ରିକ ଏସୟୁଭିକୁ 9.99ଲକ୍ଷ ଟଙ୍କାରୁ ଆରମ୍ଭ କରି 14.29 ଲକ୍ଷ ଟଙ୍କା (ଏକ୍ସ-ଶୋ'ରୁମ) ମଧ୍ୟରେ ବିକ୍ରି କରୁଛି । କମ୍ପାନୀ ଏହି ଏସୟୁଭି ଲାଗି ଦୁଇଟି ବ୍ୟାଟେରୀ 25kWh ଓ 35kWh ସହିତ ବିକ୍ରି କରୁଛି । ଏହାର ଛୋଟ ବ୍ୟାଟେରୀ 315କିମି ରେଞ୍ଜ ପ୍ରଦାନ କରୁଥିବା ବେଳେ ଏହାର ବଡ଼ ବ୍ୟାଟେରୀ 421କିମି ରେଞ୍ଜ ପ୍ରଦାନ କରିଥାଏ ।
5. Kia EV9 GT-Line
କୋରିଆ କାର ନିର୍ମାତା କମ୍ପାନୀ ନିଜର ଏହି ପରଫର୍ମାନ୍ସ ଇଲେକଟ୍ରିକ ଏସୟୁଭିକୁ ଭାରତୀୟ ବଜାରରେ ଅକ୍ଟୋବର 2024ରେ ଲଞ୍ଚ କରିଥିଲା । ଏହାକୁ 99.8kWh ବ୍ୟାଟେରୀ ପ୍ୟାକ୍ ସହିତ ପ୍ରବେଶ କରାଇଛି । ଏହି ବ୍ୟାଟେରୀ ପ୍ୟାକ୍ ସହିତ କାରଟି ARAI ସାର୍ଟିଫାଏଡ 561 କିଲୋମିଟର ରେଞ୍ଜ ପ୍ରଦାନ କରିଥାଏ । ସବୁଠାରୁ ଖାସ୍ କଥା ହେଉଛି ଏହାର ମୋଟରର ପାୱାର୍ ଆଉଟପୁଟ୍, ଯାହା 379bhpର ଶକ୍ତି ଏବଂ 700nm ଟର୍କ ପ୍ରଦାନ କରିଥାଏ । କମ୍ପାନୀ ଏହି କାରକୁ 1.30 କୋଟି ଟଙ୍କା (ଏକ୍ସ-ଶୋ’ରୁମ୍) ମୂଲ୍ୟରେ ବିକ୍ରି କରୁଛି ।
6. Mercedes-Benz EQS
ଜର୍ମାନ କାର ନିର୍ମାତା କମ୍ପାନୀ ସେପ୍ଟେମ୍ବର 2024ରେ ଭାରତୀୟ ବଜାରରେ ଏହାର ଇଲେକଟ୍ରିକ୍ ସେଡାନ EQS ଲଞ୍ଚ କରିଥିଲା । କମ୍ପାନୀ ଏହି ସେଡାନକୁ 1.62 କୋଟି ଟଙ୍କା (ଏକ୍ସ- ଶୋ’ରୁମ) ମୂଲ୍ୟରେ ବିକ୍ରି କରୁଛି । ସେଡାନରେ AWD ପାଇଁ ଦୁଇଟି ଇଲେକଟ୍ରିକ୍ ମୋଟର ଅଛି, ଯାହା 107.8 kWh ବ୍ୟାଟେରୀ ସହିତ ସଂଯୁକ୍ତ । ଏହି କାର ସର୍ବାଧିକ 857 କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ପ୍ରଦାନ କରିପାରିବ । ଏହାର ଇଲେକଟ୍ରିକ୍ ମୋଟର 516bhpର ପାୱାର ଏବଂ ଟର୍କ 855nm ଉତ୍ପାଦନ କରିଥାଏ ।
7. Volvo EX40
କମ୍ପାନୀ ଅକ୍ଟୋବର 2024ରେ ନିଜର ଇଲେକଟ୍ରିକ ଏସୟୁଭି XC40 Rechargeକୁ ଭାରତୀୟ ବଜାରରେ ଲଞ୍ଚ କରିଥିଲା, କିନ୍ତୁ ନିକଟରେ କମ୍ପାନୀ ଏହି କାରର ନାମକୁ ପରିବର୍ତ୍ତନ କରି ଏହାକୁ EX40 କରିଛି । ଏହି କାରକୁ କମ୍ପାନୀ 56.10 ଲକ୍ଷ ଟଙ୍କା (ଏକ୍ସ-ଶୋ'ରୁମ) ମୂଲ୍ୟରେ ଲଞ୍ଚ କରିଛି । ଏହି କାରରେ 69kWh ବ୍ୟାଟେରୀ ପ୍ୟାକ୍ର ବ୍ୟବହାର କରାଯାଇଛି, ଯାହାକି 475କିଲୋମିଟରରୁ ଅଧିକ ରେଞ୍ଜ ପ୍ରଦାନ କରିଥାଏ । ଏହି ଏସୟୁଭି RWD କନଫିଗିରେସନ ସହିତ ଆସିଥିବା ବେଳେ ଏହାର ପଛରେ ଇଲେକଟ୍ରିକ ମୋଟର ଲଗାଯାଇଛି, ଯାହାକି 238bhp ପାୱାର ଓ 420nm ଟର୍କ ପ୍ରଦାନ କରିଥାଏ ।
8. BMW i5
ବିଳାସପୂର୍ଣ୍ଣ କାର ନିର୍ମାତା BMW ଏହାର ଇଲେକଟ୍ରିକ୍ ସେଡାନ୍ BMW i5କୁ ଭାରତୀୟ ବଜାରରେ ଏପ୍ରିଲ୍ 2024ରେ ଲଞ୍ଚ କରିଥିଲା । କମ୍ପାନୀ ବର୍ତ୍ତମାନ ଏହି କାରକୁ 1.20 କୋଟି ଟଙ୍କା (ଏକ୍ସ-ଶୋ’ରୁମ) ମୂଲ୍ୟରେ ବିକ୍ରି କରୁଛି । ଏହି କାରଟି କେବଳ ଗୋଟିଏ ଭାରିଏଣ୍ଟ i5 M60 xDriveରେ ଆସିଥାଏ, ଯାହାର ବ୍ୟାଟେରୀ 83.9 kWhh ଅଟେ । ଏହି ବ୍ୟାଟେରୀ କାରକୁ ସର୍ବାଧିକ 516 କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ପ୍ରଦାନ କରିଥାଏ । କାରଟି AWD ସେଟଅପ୍ ସହିତ ଆସିଥିବା ବେଳେ ଏହାର ଆଗ ଓ ପଛ ଆକ୍ସେଲରେ ଗୋଟିଏ ଗୋଟିଏ ମୋଟର ଲଗାଯାଇଛି, ଯାହାକି 601bhp ପାୱାର ଏବଂ 795nm ଟର୍କ ପ୍ରଦାନ କରିଥାଏ ।
9. MINI Countryman Electric
MINI କମ୍ପାନୀ Countryman Electricକୁ ଭାରତୀୟ ବଜାରରେ ଜୁଲାଇ 2024ରେ ଲଞ୍ଚ କରିଥିଲା । ଏହି କାର ଏକ ଛୋଟ ହ୍ୟାଚବ୍ୟାକ୍ ସହିତ ଆସିଥାଏ, ଏହାସତ୍ତ୍ବେ ଏଥିରେ ପାୱାର ଅଭାବ ପରିଲକ୍ଷିତ ହୁଏ ନାହିଁ । କମ୍ପାନୀ ଏହି କାରକୁ କେବଳ ଗୋଟିଏ ଭାରିଏଣ୍ଟ Countryman Electric E ନାଁରେ ବିକ୍ରି କରୁଛି, ଯାହାକି FWD ସେଟଅପ୍ ସହିତ ଆସିଥାଏ । ଏହାର ଇଲେକଟ୍ରିକ ମୋଟର201bhp ପାୱାର ଓ 250nm ଟର୍କ ପ୍ରଦାନ କରିଥାଏ । ଏହାକୁ ପାୱାର ଦେବା ଲାଗି କାରରେ 66.45kWh ବ୍ୟାଟେରୀ ପ୍ୟାକ୍ ରହିଛି, ଯାହାକି 462କିମି ପର୍ଯ୍ୟନ୍ତ ରେଞ୍ଜ ପ୍ରଦାନ କରିଥାଏ ।
10. BYD eMax 7
ଚାଇନିଜ୍ କାର କମ୍ପାନୀ BYD ଏହାର ଅନେକ ଇଲେକଟ୍ରିକ ଉତ୍ପାଦକୁ ଭାରତୀୟ ବଜାରରେ ବିକ୍ରି କରୁଛି । ଅକ୍ଟୋବର 2024ରେ କମ୍ପାନୀ ଏହାର BYD eMAX 7କୁ ଭାରତରେ ଲଞ୍ଚ କରିଥିଲା । ଦୁଇଟି ବ୍ୟାଟେରୀ ଅପସନ 55.4 kWh ଏବଂ 71.8 kWh ସହିତ ଏହାକୁ ଆଣିଛି କମ୍ପାନୀ । ଏହାର ଛୋଟ ବ୍ୟାଟେରୀ 420 କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ପ୍ରଦାନ କରୁଥିବା ବେଳେ ଏହାର ବଡ଼ ବ୍ୟାଟେରୀ ସର୍ବାଧିକ 530 କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ପ୍ରଦାନ କରିଥାଏ । BYD ଏହି କାରକୁ ଭାରତୀୟ ବଜାରରେ 26.90 ଲକ୍ଷରୁ 29.90 ଲକ୍ଷ ଟଙ୍କା (ଏକ୍ସ-ଶୋ’ରୁମ୍) ଦାମ ମଧ୍ୟରେ ବିକ୍ରି କରୁଛି ।
ଏହା ବି ପଢନ୍ତୁ |
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ