ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାରରେ ସମ୍ମାନିତ ହେଲେ ଓଡିଆ ପୁଅ ଅନ୍ୱେଶ ଶୁଭମ ପ୍ରଧାନ - ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର
🎬 Watch Now: Feature Video
ଖୋର୍ଦ୍ଧା: ଚଳିତ ଥର 2021 ପାଇଁ ଘୋଷଣା ହୋଇଛି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର । 32 ଜଣ ଶିଶୁଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏମାନଙ୍କ ମଧ୍ୟରୁ ଓଡିଶାରୁ ସାମିଲ ଅଛନ୍ତି ଅନ୍ବେଶ ଶୁଭମ ପ୍ରଧାନ । ନବମ ଶ୍ରେଣୀର ଅନ୍ବେଶ ଶୁଭମ ପ୍ରଧାନ ଏବେସୁଦ୍ଧା 400 ସାର୍ଟଫିକେଟ ସାଙ୍ଗକୁ ମେଧାବୃତ୍ତି ମଧ୍ୟ ହାସଲ କରିସାରିଛନ୍ତି । ଏହାସହ ସେ ସିଙ୍ଗାପୁର ଓ ଏସିଆନ ସ୍କୁଲ ଗଣିତ ଅଲମ୍ପ୍ୟାଡରେ ଜାତିଛନ୍ତି 3ଟି ସ୍ବର୍ଣ୍ଣପଦକ । କେବଳ ଏତିକି ନୁହେଁ, ଥାଇଲାଣ୍ଡ ଇଣ୍ଟରନ୍ୟାସନାଲ ମେଥମେଟିକ୍ସ ଅଲମ୍ପ୍ୟାଡରେ ମଧ୍ୟ ସେ ଗୋଟିଏ ସ୍ବର୍ଣ୍ଣପଦକ ଜିତିଛନ୍ତି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ ଭର୍ଚୁଆଲ ମାଧ୍ୟମରେ କଥା ହୋଇଥିଲେ ଅନ୍ୱେଶ । ଜିଲ୍ଲାପାଳ ସନତ କୁମାର ମହାନ୍ତି ତାଙ୍କୁ ସର୍ବ ପ୍ରଥମେ ପଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ ଏବଂ ଅନ୍ୱେଶଙ୍କ ପିତାମାତା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା ସମୟରେ ଉପସ୍ଥିତ ରହିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପରେ ବହୁତ ଖୁସି ଜଣା ଅନ୍ୱେଶ । ବାପା ମା'ଙ୍କ ସହ ରହି ପ୍ରଧାନମନ୍ତ୍ରୀଙ୍କ ତିନୋଟି ଉପଦେଶକୁ ବାରମ୍ବାର ମନେ ପକାଇ ଥିଲେ ସେ । ଜିଲ୍ଲାପାଳ ମଧ୍ୟ ଏହି କୃତି ଓଡ଼ିଶାର ଗୌରବକୁ ସମ୍ବର୍ଦ୍ଧିତ କରି ନିଜର ଖୁସି ଜାହିର କରି ଅଭିନନ୍ଦନ ଜଣାଇଥିଲେ ।