କମୁଛି କପଡାଗୁନ୍ଦା ଚାହିଦା, ହଜିଯିବକି ଡଙ୍ଗରିଆଙ୍କ ପରିଚୟ...
🎬 Watch Now: Feature Video
ରାୟଗଡା: ହସ୍ତକଳା ଓ ହସ୍ତତନ୍ତରେ ସିଦ୍ଧ ହସ୍ତ ଓଡିଶାର କୋଣ-ଅନୁକୋଣରେ ରହୁଥିବା ବୁଣାକାର ଓ କାରିଗର । ଆଉ ଏମାନଙ୍କ ହାତର ନିଖୁଣ କାରିଗରି ବଖାଣେ କଳିଙ୍ଗର ଅନନ୍ୟ ସଂସ୍କୃତି । କାହାକୁ ଅଛପା ନାହିଁ ଆମ ହସ୍ତକଳାର ନିଖୁଣତା । ଆମ ରାଜ୍ୟର ଆଦିବାସୀ ଦୁର୍ଗମ ଅଞ୍ଚଳ ରାୟଗଡା ଜିଲ୍ଲା ନିୟମଗିରିର ଡଙ୍ଗରିଆ କନ୍ଧ ପ୍ରଦର୍ଶନ କରେ କଳା ନୈପୁଣତାର ନିଚ୍ଛକ ନିଦର୍ଶନ । ଏହି ଡଙ୍ଗରିଆଙ୍କୁ ପରିଚୟ ଦେଇଛି ତାଙ୍କ ହାତ ତିଆରି କପଡା ଗୁନ୍ଦା ବା ସାଲ୍ । ହେଲେ ବଦଳୁଥିବା ସମୟରେ ହଜିବାକୁ ବସିଛି କପଡାଗୁନ୍ଦା । ହାତ ଗଣତି ଅନୁଭୂତି କାରିଗରଙ୍କୁ ଛାଡ଼ି ଦେଲେ ନୂତନ ଯୁବପିଢ଼ିଙ୍କ ସ୍ପର୍ଦ୍ଧା ଦେଖିବାକୁ ମିଳୁନାହିଁ । ଏହି ଜନଜାତି ପୂର୍ବଘାଟ ପର୍ବତମାଳାର ନିୟମଗିରିରେ ବସବାସ କରନ୍ତି । ଏମାନେ ସମସ୍ତେ ଡଙ୍ଗର ପାହାଡରେ ରହୁଥିବାରୁ ଡଙ୍ଗରିଆ କୁହାଯାଉଥିବା ବେଳେ ସମସ୍ତେ କନ୍ଧ ସମ୍ପ୍ରଦାୟର । ବର୍ତ୍ତମାନ ଏମାନେ ରାୟଗଡା ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତରେ ରହୁଛନ୍ତି । ଯେତେ ପୁରୁଣା ଏହି ଜନଜାତି ସେତେ ପୁରୁଣା ତାଙ୍କ କଳା ସଂସ୍କୃତି । ଆଧୁନିକତାର ଚାକଚମକରେ ପୂର୍ବ ଭଳି ଆଉ ଘରେ ଘରେ ଡଙ୍ଗରିଆ ରମଣିଙ୍କ ପାରମ୍ପରିକ ହାତ ତିଆରି ପ୍ରେମର ପ୍ରତୀକ କପଡାଗୁନ୍ଦା ବା ଉତ୍ତରୀୟ ଆଉ ଦେଖିବାକୁ ମିଳୁନାହିଁ । ହେଲେ ପରମ୍ପରାଗତ କଳା, ସଂସ୍କୃତିକୁ ବଞ୍ଚେଇ ରଖିବା ନ୍ୟାୟରେ କାଁ ଭାଁ କେଉଁଠି ଜାରି ରହିଛି ହସ୍ତତନ୍ତ କଳା ।