ଭୁବନେଶ୍ଵର: ସାଧାରଣତଃ କୌଣସି ଅଙ୍ଗ ଅକାମୀ ହେଲେ ମେଡିକାଲ ସାଇନ୍ସରେ ରୋପଣ ପ୍ରତ୍ୟାରୋପଣ ଭଳି ସୁବିଧା ଉପଲବ୍ଧ ଅଛି । ନିର୍ଦ୍ଧାରିତ ମୂଲ୍ୟ ଦେଇ ରୋଗୀଟିଏ ଶରୀରରେ ପ୍ରତ୍ୟାରୋପଣ କରିଥାଏ । କ୍ୟାନସର ଭଳି ଦୂରାରୋଗକୁ ବି ଆଜିର ଉନ୍ନତ ଚିକିତ୍ସା ବିଜ୍ଞାନ ଦ୍ବାରା ମୁକାବିଲା କରି ହେଉଛି । କିନ୍ତୁ ଜଣେ କ୍ୟାନସର ରୋଗୀର ସବୁଠାରୁ ବଡ ସମସ୍ୟା ବିଷୟରେ କେବେ ପଚାରି ବୁଝିଛନ୍ତି କି ? ଆଜ୍ଞା ହଁ ଏହା ହେଉଛି କେଶ ସମସ୍ୟା । ସାଧାରଣ ଲୋକକୁ ଏହା ଏକ ସାଧାରଣ କଥା ଲାଗୁଥାଇ ପାରେ କିନ୍ତୁ ଜଣେ କ୍ୟାନସର ରୋଗୀଙ୍କ କେଶ ଚାଲିଯିବା ତାଙ୍କୁ ମାନସିକ ଅବସାଦକୁ ଠେଲି ଦେଇଥାଏ ।
ନାରୀ ହେଉ କି ପୁରୁଷ ବ୍ୟକ୍ତିଙ୍କ ସୁନ୍ଦରତାକୁ ବୃଦ୍ଧି କରାଇଥାଏ କେଶ । ହେଲେ କ୍ୟାନସରରେ ପୀଡିତ ହେବା ପରେ ନିଜ କେଶ ହରାଇ ରୋଗୀ ବେଳେବେଳେ ମାନସିକ ଭାରସାମ୍ୟ ହରାଇଥାଏ । ଆଉ ଏହି କର୍କଟ ରୋଗୀଙ୍କ କଥା ଚିନ୍ତାକରି ସେମାନଙ୍କ ପାଇଁ କେଶଦାନ କଲେ ଯୁବ ସାମ୍ବାଦିକ ବିନୋଦ କୁମାର ବେହେରା । ସାମାଜିକ ଅନୁଷ୍ଠାନ ‘ସୋପଭା ଟ୍ରଷ୍ଟ’ ସହଯୋଗରେ ସେ ‘କେଶ ଥିଲେ ଦିଅନ୍ତୁ, ନଥିଲେ ନିଅନ୍ତୁ’ ଅଭିଯାନରେ ସାମିଲ ହୋଇ ପ୍ରାୟ 18 ଇଞ୍ଚ୍ ଲମ୍ବର କେଶ ଦାନ କରିଛନ୍ତି । କ୍ୟାନସର ପୀଡିତଙ୍କ ଉଦ୍ଦେଶ୍ୟରେ ନିୟମିତ କେଶ ଦାନ ଅଭିଯାନ ଚଳାଇ ଆସୁଥିବା ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ସୋପଭା ଟ୍ରଷ୍ଟ’ ପକ୍ଷରୁ ବିନୋଦଙ୍କ ପ୍ରୟାସକୁ ପ୍ରଶଂସା କରାଯିବା ସହ ଏକ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।
![ବିନୋଦଙ୍କ କେଶଦାନ](https://etvbharatimages.akamaized.net/etvbharat/prod-images/13-02-2025/whatsapp-image-2025-02-13-at-54613-pm_1302newsroom_1739453722_432.jpeg)
- 18 ଇଞ୍ଚର କେଶ ଦାନ
କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ବାଳକାଟି ପଞ୍ଚାୟତର ନାଗପଡା ଗ୍ରାମର ବାସିନ୍ଦା ବୈକୁଣ୍ଠ ବେହେରା ଓ ବୈଶାଳୀ ବେହେରାଙ୍କ ପୁତ୍ର ବିନୋଦ ଏକ ଘରୋଇ ଚ୍ୟାନେଲରେ ସାମ୍ବାଦିକ ଭାବେ କାର୍ଯ୍ୟରତ ଅଛନ୍ତି । କୋଭିଡ୍ ପ୍ରଥମ ଲହର ସମୟରେ ସେଲୁନ୍ ଓ ସ୍ପା କଟକଣା କାରଣରୁ ନିଜ କେଶ କାଟି ପାରିନଥିଲେ । ପରେ ସେ କିଛି ବନ୍ଧୁଙ୍କ ପରାମର୍ଶ କ୍ରମେ କ୍ୟାନସର ପୀଡିତଙ୍କ କ୍ଷେତ୍ରରେ ଏହି କେଶ ବ୍ୟବହାରଯୋଗ୍ୟ ଜାଣି ସେଥିପ୍ରତି ଉତ୍ସାହିତ ହୋଇଥିଲେ । ସେବେଠାରୁ ଆବଶ୍ଯକ ଲମ୍ବ ହେବା ଯାଏଁ ସେ କେଶର ଯତ୍ନ ନେଇଥିଲେ । ଏବେ ପ୍ରାୟ ଦୀର୍ଘ 5 ବର୍ଷ ପରେ ସେ 18 ଇଞ୍ଚ ଲମ୍ବର କେଶ ଦାନ କରିଛନ୍ତି ।
![ବିନୋଦଙ୍କ କେଶଦାନ](https://etvbharatimages.akamaized.net/etvbharat/prod-images/13-02-2025/od-bbs-avo-hairdonate-od10039_13022025173012_1302f_1739448012_220.jpg)
ବିନୋଦ କହିଛନ୍ତି, ‘‘ଦୀର୍ଘଦିନ ହେବ ତାଙ୍କର ଏହି ଇଚ୍ଛା ଥିଲା । ଏମିତି ଛୋଟିଆ ସହଯୋଗ, କ୍ୟାନସରକୁ ହରାଇ ଜୀବନକୁ ଜିତୁଥିବା ଭାଇ ଭଉଣୀମାନଙ୍କ ମନୋବଳ ବୃଦ୍ଧି କରିବ । ସମାଜର ପ୍ରତ୍ୟେକ ସମ୍ବେଦନଶୀଳ ବର୍ଗ ପ୍ରତି ଆଜିର ଯୁବପିଢି ମଧ୍ୟରେ ସମବେଦନା, ସେବା ଓ ସହଯୋଗ ମନୋବୃତ୍ତି ରହିବା ଜରୁରୀ । ଏଥିପାଇଁ ଜାଗୃତତା ସୃଷ୍ଟି କରିବାକୁ ହେବ । ସେ ଏହି କେଶ ଦାନ କରି ଆତ୍ମସନ୍ତୋଷ ପାଇଛନ୍ତି । ଆଗକୁ ସେ ଅଙ୍ଗଦାନ କରିବାକୁ ଇଚ୍ଛୁକ ଥିବା କହିଛନ୍ତି ।’’
![ବିନୋଦଙ୍କ କେଶଦାନ](https://etvbharatimages.akamaized.net/etvbharat/prod-images/13-02-2025/od-bbs-avo-hairdonate-od10039_13022025173012_1302f_1739448012_71.jpg)
- କେମୋଥେରାପି କେଶ ଝଡିବାର କାରଣ
ଏଠାରେ ଉଲ୍ଲେଖଯୋଗ୍ୟ ଯେ, କର୍କଟ ଆକ୍ରାନ୍ତଙ୍କୁ କେମୋଥେରାପି ନେବାକୁ ପଡୁଥିବା କାରଣରୁ ସେମାନଙ୍କ କେଶ ସମ୍ପୂର୍ଣ୍ଣ ଝଡି ଯାଇଥାଏ । ଏପରିକି କ୍ୟାନସରରୁ ସୁସ୍ଥ ହେଉଥିବା ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ମଧ୍ୟ ପୁନର୍ବାର କେଶ ପ୍ରାୟତଃ ଉଠିନଥାଏ । ଏପରି ସ୍ଥଳେ ମହିଳାଙ୍କ କ୍ଷେତ୍ରରେ କେଶ ପ୍ରତି ରୋପଣର ଆବଶ୍ୟକତା ପଡିଥାଏ । ଏବେ ବିଭିନ୍ନ ସାମାଜିକ ସଂଗଠନ କେଶ ଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ନିୟମିତ କେଶ ଦାନ ଶିବିର ମଧ୍ୟ ଆୟୋଜନ କରୁଛନ୍ତି । ସୋସିଆଲ ମିଡିଆରେ ଏହି ବାର୍ତ୍ତା ପ୍ରଚାର ପ୍ରସାର କାରଣରୁ ଯୁବପିଢି ମଧ୍ୟ ଏଦିଗରେ ଆଗ୍ରହ ପ୍ରକାଶ କଲେଣି ।
ଏହା ମଧ୍ୟ ପଢନ୍ତୁ ଗବେଷଣାରୁ ଖୁଲାସା, 'ପିତ୍ତକୋଷ କର୍କଟ' ରୋଗ କାରଣ ଭୂତଳ ଜଳର ଆର୍ସେନିକ ମାତ୍ରା
ଏହା ମଧ୍ୟ ପଢନ୍ତୁ ବିଶ୍ବ କ୍ୟାନସର ଦିବସ: ଫୁସଫୁସ ଏବଂ ସ୍ତନ କର୍କଟ ପ୍ରତି କିପରି ରହିବେ ସତର୍କ ?
![ସୋପଭା ଟ୍ରଷ୍ଟର ସାର୍ଟିଫିକେଟ](https://etvbharatimages.akamaized.net/etvbharat/prod-images/13-02-2025/od-bbs-avo-hairdonate-od10039_13022025173012_1302f_1739448012_989.jpg)