ମୋ ହସ୍ପିଟାଲ ପାଇଁ ତିନିଦିନ ହେବ ଆନ୍ଦୋଳନ, ବସିଛନ୍ତି 90ରୁ ଅଧିକ ଗାଁର ଲୋକେ - ଆମ ହସ୍ପିଟାଲ ଦାବି
🎬 Watch Now: Feature Video
ଅନୁଗୋଳ: ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀର ମୁଖ୍ୟାଳୟ ଛେଣ୍ଡିପଦା ଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆମ ହସ୍ପିଟାଲ ଯୋଜନାରେ ସାମିଲ କରିବା ଦାବିରେ ଗ୍ରାମବାସୀଙ୍କ ଅନଶନ । ପ୍ରାୟ ୯୦ଟି ଗ୍ରାମର ଲୋକେ ଆମ ହସ୍ପିଟାଲ ଦାବି କରି ଅନଶନରେ ବସିଛନ୍ତି । ଦୀର୍ଘ ୩ଦିନ ହେଲା ଅହରାତ୍ର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିଛନ୍ତି । ସରକାର ରାଜ୍ୟର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ମୁଖ୍ୟାଳୟରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକୁ ଆମ ହସ୍ପିଟାଲ ଯୋଜନାରେ ସାମିଲ କରିଛନ୍ତି । କିନ୍ତୁ ଛେଣ୍ଡିପଦା ଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆମ ହସ୍ପିଟାଲରେ ସାମିଲ କରିବା ପରିବର୍ତ୍ତେ କୋଶଳା ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏହି ଯୋଜନାରେ ସାମିଲ କରାଯାଇଛି । ଯାହାକୁ ଛେଣ୍ଡିପଦାବାସୀ ତୀବ୍ର ବିରୋଧ କରିଛନ୍ତି । ଲୋକଙ୍କ ଅଭିଯୋଗ ଅନୁଯାୟୀ, ସରକାର କୋଶଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆମ ହସ୍ପିଟାଲ ଯୋଜନାରେ ସାମିଲ କରିବା ନେଇ ସେମାନେ ବିରୋଧ କରୁ ନାହାନ୍ତି । କିନ୍ତୁ ୯୦ରୁ ଅଧିକ ଗ୍ରାମ ନିର୍ଭର କରୁଥିବା ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମଧ୍ୟ ଏଥିରେ ସାମିଲ କରାଯାଉ । ତେବେ ଅନଶନର ୩ଦିନ ବିତି ଯାଇଥିଲେ ମଧ୍ୟ ସେମାନଙ୍କ ନିକଟକୁ କେହି ଆସି ନଥିବା ଲୋକେ ଅଭିଯୋଗ କରିଛନ୍ତି । ସୋମବାର ସୁଦ୍ଧା ପ୍ରଶାସନ ସେମାନଙ୍କୁ କୌଣସି ପ୍ରତିଶୃତି ନଦେଲେ ମଙ୍ଗଳବାର ଠାରୁ ଅର୍ଥନୈତିକ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି ।
ଇଟିଭି ଭାରତ, ଅନୁଗୋଳ