ବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ପରିବାରକୁ ରେଲୱେରେ ଚାକିରି ଦାବି

By

Published : Jun 7, 2023, 7:25 AM IST

thumbnail



ଭୁବନେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ରେଲୱେରେ ଚାକିରି ପାଇଁ ଦାବି ହୋଇଛି । ଏହାକୁ ନେଇ ମହା ଦସ୍ତଖତ ଅଭିଯାନ ଆରମ୍ଭ କରିଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ l ପୂର୍ବତନ ଛାତ୍ର ତନ୍ମୟ ସ୍ବାଇଁଙ୍କ ତତ୍ତ୍ବାବଧାନରେ ଛାତ୍ରଛାତ୍ରୀ ଏକାଠି ହୋଇ ଦସ୍ତଖତ ଅଭିଯାନ ଚଳାଇଛନ୍ତି ଏବଂ ଏନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।  

ଭାରତୀୟ ରେଳବାଇରେ ହଜାର ହଜାର ପଦବୀ ଫାଙ୍କା ପଡିଛି । ତେଣୁ ଯୋଗ୍ୟତା ଅନୁସାରେ ମୃତକଙ୍କ ପରିବାର ଲୋକ ଓ ଗୁରୁତର ଆହତଙ୍କୁ ନିଯୁକ୍ତି ଦିଆଯାଉ । ମୃତ ବ୍ୟକ୍ତି ଆଉ ଫେରିବେନି ତେଣୁ ତାଙ୍କ ପରିବାରରୁ କେହି ସଦସ୍ୟ ଓ ଦୁର୍ଘଟଣାରେ ନିଜର ହାତ ଗୋଡ ଓ ବିଭିନ୍ନ ଅଙ୍ଗ ହରାଇ ଜୀବନର ସାରା ଭିନ୍ନକ୍ଷମ ହୋଇ ବଞ୍ଚିବାକୁ ଯାଉଥିବା ବ୍ୟକ୍ତିଙ୍କୁ ଯୋଗ୍ୟତା ଅନୁସାରେ ଚାକିରି ଦେବା ପାଇଁ ଛାତ୍ରଛାତ୍ରୀ ଦାବି କରିଛନ୍ତି । ଏହି ଆକସ୍ମିକ ଦୁର୍ଘଟଣାରେ ଅନେକ ରୋଜଗାରିଆ ପୁଅ, ସ୍ବାମୀ ଓ ବାପା ଆତ୍ମୀୟଙ୍କୁ ଛାଡ଼ି ଚାଲି ଯାଇଛନ୍ତି । 

ରୋଜଗାରିଆ ପୁଅକୁ ହରାଇ ପୀଡିତ ପରିବାର ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି । ସେମାନଙ୍କୁ ଚାକିରି ଦେଲେ ଅସହାୟ ଲୋକମାନେ ସାହାଯ୍ୟ ପାଇବେ ବୋଲି କୁହାଯାଇଛି । ଏହି ପରିପ୍ରେକ୍ଷୀରେ ଉତ୍କଳ ବିଶ୍ବବିଦ୍ୟାଳୟରେ ମହା ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ଆଗକୁ ସବୁ କଲେଜ ଓ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଏହି ଦସ୍ତଖତ ଅଭିଯାନ କରାଯାଇ ଏକ ଜନ ସଚେତନତା ସୃଷ୍ଟି କରାଯିବ ବୋଲି କୁହାଯାଇଛି । ଏହି ଭୟଙ୍କର ଦୁର୍ଘଟଣାକୁ ନେଇ ସାରା ବିଶ୍ବ ଆଜି ସ୍ତବ୍ଧ ହୋଇଥିବା ବେଳେ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ଚାକିରି ଯୋଗାଇଦେଲେ ସେଇଟା ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କେନ୍ଦ୍ର ସରକାରଙ୍କ ଅନୁରୋଧ କରିଛନ୍ତି ବିଶ୍ବବିଦ୍ୟାଳୟ ଛାତ୍ର l  


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.