ଜଉ କଣ୍ଢେଇଙ୍କ ପଡ଼ିଲା ହାତଗଣ୍ଠି, ଜମିଲା ବାହାଘର
🎬 Watch Now: Feature Video
ବାଲେଶ୍ବର: ବାଜିଲା ସାହାନାଇ, ପଡ଼ିଲା ହାତଗଣ୍ଠି । ଭୋଜିଭାତ ସାଙ୍ଗକୁ ବରଯାତ୍ରୀ ନେଇ ବର ପହଞ୍ଚିଥିଲା କନିଆର ଘରେ। ଡିଜେ ବାଜା ସାଙ୍ଗକୁ ବରଯାତ୍ରୀ ନାଚି ନାଚି କନିଆଁ ଘରେ ପହଁଚିବା ପରେ, ପାଛୋଟି ନେଇଥିଲେ କନିଆଁ ଘର ଲୋକେ। ଆଉ ତା ପରେ ସମସ୍ତ ବୈଦିକ ରୀତିନୀତି ଅନୁସାରେ ହୋଇଥିଲା ବିବାହ। ଏମିତି ଏକ ନିଆରା ବିବାହ ଦେଖିବାକୁ ମିଳିଛି ବାଲେଶ୍ବରରେ । ଏଠି ମଣିଷ କିମ୍ବା କୌଣସି ଜୀବଙ୍କ ବିବାହ ନୁହେଁ ବରଂ ଦୁଇଟି ଜଉ କଣ୍ଢେଇଙ୍କ ହୋଇଥିଲା ବିବାହ । ଯଉ କଣ୍ଢେଇ ବର ଚନ୍ଦ୍ରଭାନୁ ସହିତ ଲାବଣ୍ୟବତୀର ପଡିଥିଲା ହାତଗଣ୍ଠି ।
ସନ୍ଧ୍ୟା ପ୍ରାୟ 7ଟା ବେଳେ ଏକ ବିଶାଳ ସମ୍ପର୍କଯାତ୍ରା ବାଲେଶ୍ଵରର ଆଇଟିଆଇ ପଡ଼ିଆରୁ ବାହାରି ସହର ପରିକ୍ରମା କରିଥିଲା। ବର ଚନ୍ଦ୍ରଭାନୁଙ୍କୁ ନେଇ ହଜାର ହଜାର ବରଯାତ୍ରୀ ଦଳ ସୁନହଟର ସୁନାରୀ ସାହିରେ ରାତ୍ରି ପ୍ରାୟ 11ଟାରେ ପହଞ୍ଚିଥିଲା । ବରଯାତ୍ରୀଙ୍କ ସହ ବରକର୍ତା ଶମ୍ଭୁନାଥ ଦାସ ଓ ତାଙ୍କ ସହଧର୍ମିଣୀ ଅନାମିକା ଦାସଙ୍କୁ କନ୍ୟାପକ୍ଷ ତରଫରୁ ଲାବଣ୍ୟବତୀର ପିତାମାତା ସୁକାନ୍ତ ବିଶ୍ୱାଳ ଓ ସୋନାଲି ବିଶ୍ୱାଳ ପାଛୋଟି ନେଇଥିଲେ। ତାପରେ ରାତିରେ ସମସ୍ତଙ୍କ ଉପସ୍ଥିତିରେ କୁଳ ପୁରୋହିତ ପଣ୍ଡିତ ବିମଳ ଚନ୍ଦ୍ର ପଣ୍ଡା ଲାବଣ୍ୟବତୀଙ୍କର ହାତ ଚନ୍ଦ୍ରଭାନୁଙ୍କୁ ଦେଇଥିଲେ। ବରଯାତ୍ରୀମାନଙ୍କୁ ସୁନାରୀ ଗ୍ରାମବାସୀ ତଥା ବିଶ୍ବାଳ ପରିବାର ତରଫରୁ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ରାତ୍ରି ଭୋଜନରେ ଆପ୍ୟାୟିତ କରାଯାଇଥିଲା ।
ପ୍ରାୟ 4 କିଲୋମିଟରର ବିଶାଳ ସମ୍ପର୍କ ଯାତ୍ରାରେ ପୁରୀର ସାହିଜାତ, ଗଞ୍ଜାମର ଗୋଟିପୁଅ, ନୀଳଗିରିର ଆଦିବାସୀ ନୃତ୍ୟ, ବାଲେଶ୍ଵରର କଣ୍ଢେଇ ନାଚ, ରଙ୍ଗ ଢୋଲ, ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ଢେମସା ତଥା କିନ୍ନର କଥାନୃତ୍ୟ ଆଦି ବିମୋହିତ କରିଥିଲା। ରାସ୍ତାର ଦୁଇକଡ଼ରେ ହଜାର ହଜାର ଲୋକ ବିଳମ୍ବିତ ରାତ୍ରିଯାଏଁ ଜଉକଣ୍ଢେଇ ବାହାଘରର ଏହି ସମ୍ପର୍କଯାତ୍ରାକୁ ଉପଭୋଗ କରିଥିଲେ । ବିବାହକାର୍ଯ୍ୟ ସମ୍ପନ୍ନ ହେଲା ପରେ ନବ ବଧୂ ଲାବଣ୍ୟବତୀଙ୍କୁ ନେଇ ପ୍ରଭାତରେ ବରଯାତ୍ରୀଦଳ ଆଇଟିଆଇ ପଡିଆକୁ ଫେରି ଆସିଥିଲେ। ଆଇଟିଆଇ ପଡ଼ିଆରେ 18 ତାରିଖ ଯାଏଁ ମେଳା ମହୋତ୍ସବ ଚାଲୁଥିବା ବେଳେ ବରଘର ପକ୍ଷରୁ ଚତୁର୍ଥୀ ଭୋଜିର ମଧ୍ୟ ଆୟୋଜନ କରାଯାଇଛି। ବାସ୍ତବରେ ଏମିତି ଏକ ବାହାଘର ନିଆରା ଓ ସ୍ବତନ୍ତ୍ର ।
ଇଟିଭି ଭାରତ, ବାଲେଶ୍ବର