ଜମୁଛି ଖଣ୍ଡଗିରି ମେଳା, ପ୍ରଥମ ଦିନରେ ଯାତ୍ରା ପରିବେଷଣ କଲେ ସୂର୍ଯ୍ୟମନ୍ଦିର ଓ ବିଶ୍ୱ ଦରବାର - ରାଜଧାନୀର ଜମୁଛି ଖଣ୍ଡଗିରି ମେଳା
🎬 Watch Now: Feature Video
ଭୁବନେଶ୍ବର: ରାଜଧାନୀର ଜମୁଛି ଖଣ୍ଡଗିରି ମେଳା । ନାଗା ବାବାଙ୍କ ପାଖରେ ଆଶୀର୍ବାଦ ପାଇଁ ଲାଗୁଛି ଭକ୍ତଙ୍କ ଭିଡ । କିଏ ମନ କଥା ଜଣାଉଛି ତ ଆଉ କିଏ ବାବାଙ୍କ ଠାରୁ ବିଭୂତି ନେଇ ଫେରୁଛି । ଏପଟେ ଗତକାଲି (ସୋମବାର)ଠୁ ଦୁଲୁକୁଛି ଖଣ୍ଡଗିରି ଅପେରା ମଞ୍ଚ । ଚିକମିକ ଆଲୁଅ ସାଙ୍ଗକୁ ଦମଦାର ଡ଼ାଏଲଗରେ କମ୍ପୁଛି ଯାତ୍ରା ପେଣ୍ଡାଲ । ହିରୋ ହିରୋଇନଙ୍କ ରୋମାଣ୍ଟିକ୍ ଯୋଡ଼ି ସାଙ୍ଗକୁ ଖଳନାୟକଙ୍କ ଛାତିଥରା ସଂଳାପ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଛି ।
ଯାତ୍ରା କଳାକାରଙ୍କ ଜୀବନ୍ତ ଅଭିନୟକୁ ଦେଖିବା ପାଇଁ ଦର୍ଶକଙ୍କ ଭିତରେ ଦେଖିବାକୁ ମିଳିଛି ନାହିଁ ନଥିବା ଉତ୍ସାହ। ଚଳିତବର୍ଷ ଯାତ୍ରା ପରିବେଷଣ ପାଇଁ ୬ଟି ଯାତ୍ରା କମିଟିକୁ ଅନୁମତି ମିଳିଥିବା ବେଳେ ବିଶ୍ଵ ଦରବାର, ତୁଳସୀ, ସାଇ ସମ୍ରାଟ, କୋଣାର୍କ, ସୂର୍ଯ୍ୟ ମହଲ ,କଳିଙ୍ଗ, ଶିବାନୀ, ରଙ୍ଗ ମହଲ, ସୂର୍ଣ୍ଣ ମହଲ, ସ୍ବପ୍ନ ମହଲ ଅପେରା ଦଳ ଯାତ୍ରା ମଇଦାନକୁ ଓହ୍ଲାଇ ଯାତ୍ରା ପରିବେଷଣ କରିଛନ୍ତି। ଗତକାଲି ପ୍ରଥମ ସନ୍ଧ୍ୟାରେ ସୂର୍ଯ୍ୟମନ୍ଦିରର ନାଟକ' ଗୁମୁରି ଗୁମୁରି କାହାଣୀ କାନ୍ଦେ’ ନାଟକ ପରିବେଷଣ ହୋଇ ଥିବା ବେଳେ ବିଶ୍ବ ଦରବାର ମୃତ୍ୟୁର ମଣିଷ ନାଟକ ପରିବେଶିତ ହୋଇଥିଲା। ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲସା ।
ତେବେ ଆଗକୁ 'ଭୁଲିଜା ଯାହା ଭୁଲ୍ ହୋଇଛି’, ଓ ‘ଯମ ଯନ୍ତ୍ରଣା’ ପରି ନାଟକ ଦେଖିବାକୁ ମିଳିବ। ସେହିପରି କୋଣାର୍କରେ ‘ତୋ ବିନା ମୁଁ ଅଧା’, ‘କନିଆଁ କାନ୍ଦୁଛି କୋଣାର୍କରେ’ ଓ ‘ଆଖି ଅବୁଝାକୁ ଲୁହ ଅବୁଝା’ ଆଗକୁ ପରିବେଶିତ ହେବ। ଏଥିରେ ଚର୍ଚ୍ଚିତ ଖଳନାୟକ ଦୈତ୍ୟାରୀ ପଣ୍ଡାଙ୍କୁ ଦର୍ଶକ ଦେଖିବାକୁ ପାଇବେ। ସବୁଠାରୁ ବଡ କଥା ହେଉଛି ୩ ବର୍ଷ ପରେ ଖଣ୍ଡଗିରି ମାଘ ମେଳାରେ ଯାତ୍ରାର ସମ୍ଭାର ଦେଖିବାକୁ ମିଳିଥିବା ବେଳେ ଯାତ୍ରା ପ୍ରେମୀ ବେଶ ଖୁସି ଅଛନ୍ତି । ତେଣୁ ନିଜ ପସନ୍ଦର ନାୟକ ନାୟିକାଙ୍କର ଯାତ୍ରା ଦେଖିବାକୁ ଟିକେଟ କାଟି ରାତିରେ ଭିଡ ଜମାଉଛନ୍ତି ଦର୍ଶକ । ଯାତ୍ରା ପ୍ରେମୀ ଟିକେଟ କାଟି ଯାତ୍ରା କଳାକାରଙ୍କର ଦାମୋଦର କଳା ପଦର୍ଶନର ମଜା ଉଠାଉଛନ୍ତି ।
ଅନ୍ୟପଟେ ଦର୍ଶକଙ୍କ ମନୋରଞ୍ଜନ ପାଇଁ କଳାକାରଟିଏ ମୁହଁରେ ପାଉଡର ଲଗାଇ ଯାତ୍ରା ମଞ୍ଚକୁ ଓହ୍ଳାଇଛି। ୩ ବର୍ଷ ପରେ ଯାତ୍ରା ପେଣ୍ଡାଲରେ କଳା ପ୍ରଦର୍ଶନ କରି ବେଶ ଖୁସି ଅଛନ୍ତି। ଚଳିତ ଥର ଯାତ୍ରା କରିବାର ସୁଯୋଗ ପାଇଥିବାରୁ କଳାକାର ମାନେ ମଧ୍ୟ ବେଶ ଖୁସି ଅଛନ୍ତି। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଯାତ୍ରା ହେବାକୁ ଥିବା ବେଳେ ଏଣିକି ରାତି ହେଲେ କମ୍ପୁଛି ଖଣ୍ଡଗିରି । ଆଉ ଭିନ ଭିନ ପେଣ୍ଡାଲରେ ପରିବେଷିତ ହେବାକୁ ଥିବା ଯାତ୍ରା ଦେଖି ଖୁସି ହେବେ ଦର୍ଶକ । ତେବେ ଖଣ୍ଡଗିରି ମେଳା ଦେଖିବାକୁ ଲୋକେ ଭିଡ ଜମାଉଥିବା ବେଳେ ରାତି ହେଲେ ଅପେରା ଦେଖିବାକୁ ଭିଡ ଜମୁଛି । ଏକାସାଙ୍ଗରେ ଭିନ୍ନ ଭିନ୍ନ କଳାକାର ଦମଦାର କାହାଣୀକୁ ନେଇ ନୂଆ ନୂଆ ନାଟକ ଭେଟି ଦେଉଛନ୍ତି । କେବଳ ରାଜଧାନୀବାସୀ ନୁହନ୍ତି ରାଜ୍ୟର କୋଣାନୁକୋଣରୁ ଯାତ୍ରା ଦେଖୁବାକୁ ଏଠାରେ ଲୋକଙ୍କ ଭିଡ ଜମିଥାଏ। ।
ଇଟିଭି ଭାରତ, ଭୁବନେଶ୍ବର