ଦାନ୍ତେୱାଡାରେ ନକ୍ସଲଙ୍କ IED ବିସ୍ଫୋରଣ, ୧୦ ଯବାନ ଶହୀଦ; ଦେଖନ୍ତୁ ଗ୍ରାଉଣ୍ଡ ରିପୋର୍ଟ - ମାଓବାଦୀ ଆକ୍ରମଣରେ ୧୦ ଜଣ ଯବାନ ଶହୀଦ
🎬 Watch Now: Feature Video
ମାଲକାନଗିରି: ଛତିଶଗଡ଼ ଦନ୍ତେୱାଡାର ଆରାନପୁରରେ ମାଓବାଦୀ ଆକ୍ରମଣରେ ୧୦ ଜଣ ଯବାନ ଶହୀଦ ହୋଇଛନ୍ତି । ସେଠାରେ ଜଣେ ସାଧାରଣ ନାଗରିକଙ୍କର ମଧ୍ୟ ହତ୍ୟା କରାଯାଇଛି । ସମସ୍ତ ଯବାନ ଦନ୍ତେୱାଡା ଜିଲ୍ଲାର DRG (ଜିଲ୍ଲା ରିଜର୍ଭ ଗାର୍ଡ)ରେ କାର୍ଯ୍ୟରତ ଥିଲେ । ତେବେ ମାଓ ଆକ୍ରମଣକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସହ କଥା ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ସେ ନିଶ୍ଚିତ କରିଛନ୍ତି ।
ପ୍ରାପ୍ତ ସୂଚନା ଅନୁଯାୟୀ ନକ୍ସଲମାନଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ କୁମ୍ବିଂ ଅପରେସନରେ ଯବାନମାନେ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲରୁ ଫେରିବା ସମୟରେ ନକ୍ସଲମାନେ IED (Improvised Explosive Device) ବିସ୍ଫୋରଣ କରିଥିଲେ । ଯବାନଙ୍କ ଗାଡିକୁ ଟାର୍ଗେଟ୍ କରିଏହି ବିସ୍ଫୋରଣ ଘଟାଇଥିଲେ ମାଓବାଦୀ । ଏହି ଘଟଣାରେ ୧୦ ଜଣ ଯବାନ ଶହୀଦ ହୋଇଥିଲେ । ତେବେ କୁହାଯାଉଛି ଯେ ଯବାନ ମାନେ ଏକ ଘରୋଇ ଗାଡିରେ କୁମ୍ବିଂ ପାଇଁ ଯାଇଥିଲେ । ଏହି ଆକ୍ରମଣରେ ସେହି ଘରୋଇ ଗାଡ଼ି ଚାଳକଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଏହି ଆକ୍ରମଣ ପରେ ଯବାନମାନେ ମଧ୍ୟ ପ୍ରତିଶୋଧ ପରାୟଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏଥିରେ କେତେକ ନକ୍ସଲମାନେ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛି । ତେବେ ଦେଖନ୍ତୁ ଗ୍ରାଉଣ୍ଡ ରିପୋର୍ଟ ।
ଛତିଶଗଡ଼ରେ ନକ୍ସଲ ଆତଙ୍କ ପରେ ଓଡ଼ିଶାରେ ହାଇ ଆଲର୍ଟ ଜାରି ହୋଇଛି । ଛତିଶଗଡ଼ର ସୀମାକୁ ଲାଗିଥିବା ୩ ଜିଲ୍ଲା ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରକୁ ହାଇ ଆଲର୍ଟ ଜାରି କରିଛନ୍ତି ରାଜ୍ୟ ସରକାର। ହାଇ ଆଲର୍ଟ ଜାରି ପରେ ଏହି ସବୁ ସୀମାନ୍ତ ଅଂଚଳରେ କମ୍ବିଂ ଅପରେସନ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ସୀମାନ୍ତରେ ଅଞ୍ଚଳରେ ତନତନ କରି ଯାଞ୍ଚ ସହ ବ୍ଳକିଙ୍ଗ କୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପୁଲିସ ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା ।
ଇଟିଭି ଭାରତ, ମାଲକାନଗିରି