thumbnail

ଆଡପ ମଣ୍ଡପରେ ମହାପ୍ରଭୁଙ୍କ ନବମୀ ସନ୍ଧ୍ୟା, ଅପରାହ୍ନ ୫ଟା ପରେ ଦର୍ଶନ ବନ୍ଦ

By

Published : Jun 24, 2023, 5:26 PM IST

ପୁରୀ: ଆଡ଼ପ ମଣ୍ଡପରେ ମହାପ୍ରଭୁ ବିଜେ କରିଥିବା ବେଳେ ହଜାର ହଜାର ଭକ୍ତ ପ୍ରତିଦିନ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ଆସନ୍ତା ୨୮ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ।  ଏହା ପୂର୍ବ ଦିନ ଅର୍ଥାତ ୨୭ ତାରିଖ ଦିନ ମହାପ୍ରଭୁଙ୍କ ନବମୀ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ। ତେବେ ନିଷ୍ପତ୍ତି ମୁତାବକ ଚଳିତ ବର୍ଷର ଏହି ସନ୍ଧ୍ୟା ଦର୍ଶନ ଅପରାହ୍ନ ୫ଟା ଯାଏଁ ଚାଲିବ। ୫ଟା ପରେ ଦର୍ଶନ ବନ୍ଦ ରହିବ ।  

ପରଦିନ ବାହୁଡ଼ା ଯାତ୍ରା ଥିବାରୁ ମହାପ୍ରଭୁଙ୍କ ଅନେକ ନୀତିକାନ୍ତି ରହିଛି । ଏଣୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ। ବରିଷ୍ଠ ଦଇତାପତି ତଥା ଦଇତାପତି ନିଯୋଗର ସଭାପତି ରାମକୃଷ୍ଣ ଦାସ ମହାପାତ୍ର ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏ ନେଇ ସୂଚନା ଦେଇଛନ୍ତି । ଆସନ୍ତା ୨୭ ତାରିଖ ଦିନ ସକାଳ ୭ଟାରୁ ଅପରାହ୍ନ ୫ଟା ଯାଏଁ ଦର୍ଶନ ଚାଲିବ। ଏଣୁ ଯେଉଁ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଚାହୁଁଛନ୍ତି ସେମାନେ ସନ୍ଧ୍ୟା ୫ଟା ପୂର୍ବରୁ କିଭଳି ଦର୍ଶନ କରିବେ ସେ ନେଇ ପ୍ରସ୍ତୁତି ହୋଇ ଆସିବାକୁ କୁହାଯାଇଛି। 

ଏହା ବି ପଢନ୍ତୁ- Hera Panchami: ଆଜି ହେରାପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗିବେ ଅଭିମାନିନୀ ମା’ ଲକ୍ଷ୍ମୀ

ତେବେ ସନ୍ଧ୍ୟା  ୭ଟା ଯାଏଁ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ କରିବାକୁ ଜଗନ୍ନାଥପ୍ରେମୀ ସବୁବେଳେ ଦାବି କରିଥାନ୍ତି । ସନ୍ଧ୍ୟା ୭ଟା ଯାଏଁ କାହିକିଁ ଦର୍ଶନ ହେବ ନାହିଁ ଏହି ପ୍ରଶ୍ନର ଉତ୍ତରରେ ଦଇତାପତି ନିଯୋଗ ସଭାପତି ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି, " ପରଦିନ ବାହୁଡ଼ା ଯାତ୍ରା ଲାଗି ମହାପ୍ରଭୁଙ୍କ ବହୁତ ନୀତି ଓ ଅନେକ ପ୍ରସ୍ତୁତି ଥାଏ । ସନ୍ଧ୍ୟା ୫ଟା ପରେ ଭକ୍ତଙ୍କ ଦର୍ଶନ ଚାଲିଲେ ଏହି ସବୁ ନୀତି ଓ ବାହୁଡ଼ା ଯାତ୍ରା ପ୍ରସ୍ତୁତିରେ ବିଳମ୍ବ ହେବ। ଏଣୁ ୨୭ ତାରିଖ ନବମୀ ସନ୍ଧ୍ୟା ଦର୍ଶନ ଅପରାହ୍ନ ୫ଟା ଯାଏଁ ଅନୁଷ୍ଠିତ ହେବ ।"

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.