thumbnail

By

Published : Aug 12, 2023, 3:12 PM IST

ETV Bharat / Videos

ମଝି ଘରିଆଣୀ ବ୍ରିଜ ନିକଟରେ ରାସ୍ତା ଅବରୋଧ; ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଭାରିଯାନ ଚଳାଚଳ ଠପ୍

ରାୟଗଡା: ରାୟଗଡା ଜିଲ୍ଲାର ମଝି ଘରିଆଣୀ ବ୍ରିଜ ନିକଟରେ ଦୀର୍ଘ ଘଣ୍ଟା ହେଲାଣି ରାସ୍ତା ଅବରୋଧ ହୋଇଛି  । ଗୋଟିଏ ଚୂନପଥର ବୋଝେଇ ଟ୍ରକ ଯାନ୍ତ୍ରିକ ତ୍ରୁଟି ପାଇଁ ରାସ୍ତା ମଝିରେ ଅଟକି ଯିବାରୁ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ଭାରିଯାନ ଚଳାଚଳ ଠପ୍ ରହିଛି  । ଗତ ରାତି ସାଢେ ୧ଟାରୁ ଏହି ବାଟ ଦେଇ କୌଣସି ଭାରିଯାନ ଚଳାଚଳ କରିପାରୁ ନାହିଁ  । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଏବେ ଶହ ଶହ ଟ୍ରକ ଅଟକି ରହିଥିବାର ଦେଖିବାକୁ ମିଳିଛି  ।  

ସୂଚନା ଅନୁଯାୟୀ, ବିଶାଖାପାଟଣାରୁ ଝାରସୁଗୁଡା ଅଭିମୁଖେ ଚୂନ ପଥର ବୋଝେଇ ଟ୍ରକ ଯାଉଥିବା ବେଳେ ରାୟଗଡା ମଝିଘରିଆଣି ମନ୍ଦିର ନିକଟ ରେଳ ବିଭାଗ ପୋଲ ତଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକି ଯାଇଛି । ଯାହାଫଳରେ ସେହି ବାଟ ଦେଇ ଭାରି ଯାନ ଚଳାଚଳ ହୋଇପାରୁନି  । ଦୀର୍ଘ ୧୨ ଘଣ୍ଟା ହେଲା ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ସଂଖ୍ୟକ ଟ୍ରକ ଅଟକି ରହିଛି  । ବର୍ତ୍ତମାନ ଚୂନପଥର ବୋଝେଇ ଟ୍ରକର ମରାମରି କାର୍ଯ୍ୟ ଚାଲିଥିବା ବେଳେ ରାୟଗଡା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି  । ଛୋଟ ଯାନବାହନ ଦ୍ବାରା ଟ୍ରାଫିକ ସମସ୍ୟା ଉପୁଜିବା ଆଶଙ୍କା କରି ପୋଲିସ ଟ୍ରାଫିକ ନିୟନ୍ତ୍ରଣ କରୁଛି  ।  

ଏହାମଧ୍ୟ ପଢନ୍ତୁ: ରାଉରକେଲାରେ ମାତିଛନ୍ତି ଦନ୍ତାପଲ, ଭୟଭୀତ ଲୋକେ

ଏଠାରେ ସୂଚନାଯୋଗ୍ୟ ଯେ, ୧୦ ବର୍ଷ ପୂର୍ବରୁ ଓଡ଼ିଶା ଆନ୍ଧ୍ରକୁ ଯୋଗାଯୋଗ କରୁଥିବା ଏହି ଏକମାତ୍ର ବ୍ରିଜର ଉଭୟ ପାର୍ଶ୍ଵରେ ବିପଦପୂର୍ଣ୍ଣ ଫଳକ ଲଗାଇ ପ୍ରଶାସନ ହାତ ବାନ୍ଧି ବସିରହିଛି । ଅନେକ ସମୟରେ ଏହି ରାସ୍ତାରେ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲେ ସୁଦ୍ଧା ଏ ଦିଗରେ କେହି ଦୃଷ୍ଟି ଦେଉ ନାହାଁନ୍ତି  । ସେପଟେ ୨୦୧୭ ମସିହାରୁ ପିତାମହଲ ଦେଇ ସିରିକଣା ବାଇପାସ୍ କାମ ଅଧାପନ୍ତରିଆ ହୋଇ ପଡ଼ିରହିଛି । କେବଳ ସେତିକି ନୁହେଁ ମଝିଘରିଆଣୀ ମନ୍ଦିର ନିକଟରେ ନିର୍ମାଣାଧୀନ ବ୍ରିଜ ଆପ୍ରୋଚ ରୋଡ଼ ଅଭାବରୁ ସମ୍ପୂର୍ଣ୍ଣ ହୋଇପାରୁନାହିଁ । ଏହି ରାସ୍ତାରେ ଯଦି ସମୟ ପୂର୍ବରୁ ବାଇପାସ୍ ରାସ୍ତା ସାଙ୍ଗକୁ ନୂତନ ବ୍ରିଜ ନିର୍ମାଣ ସମ୍ପୂର୍ଣ୍ଣ ନହୁଏ ତେବେ ବ୍ରିଟିଶ ଅମଳର ଏହି ବ୍ରିଜ ଯେ ଝଞ୍ଜାବତୀ ନଦୀ ଗର୍ଭରେ ମିଶିବ ଏଥିରେ ସନ୍ଦେହ ନାହିଁ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.