ହାଇଦ୍ରାବାଦ: ଦୁନିଆକୁ ଅଲବିଦା କହିଲେ ସାଉଥ କୋରିଆର ଲୋକପ୍ରିୟ ଅଭିନେତ୍ରୀ କିମ୍ ସେ ରନ । ସୂଚନା ଅନୁଯାୟୀ, ଫେବୃଆରୀ ୧୬ ତାରିଖରେ ଅଭିନେତ୍ରୀଙ୍କ ମୃତଦେହ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଛି । ତାଙ୍କ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରହିଛି । ମୃତ୍ୟୁ ବେଳକୁ ଅଭିନେତ୍ରୀଙ୍କୁ ମାତ୍ର 24 ବର୍ଷ ହୋଇଥିଲା । ତେବେ ତାଙ୍କ ଦେହାନ୍ତ ଖବର ଶୁଣି ଫ୍ୟାନ୍ସ ଓ ପରିବାରରେ ଶୋକର ଛାୟା ଖେଳିଯାଇଛି ।
ଘରୁ ମିଳିଲା କିମ୍ ସେ-ରନଙ୍କ ମୃତଦେହ
ପୋଲିସ ଦ୍ୱାରା ପ୍ରକାଶିତ ସୂଚନା ଅନୁଯାୟୀ, କିମ୍ ସେ ରୋନଙ୍କ ମୃତଦେହ ସିଓଲର ସୋଙ୍ଗଡୋଙ୍ଗ-ଗୁରେ ତାଙ୍କ ଘରୁ ମିଳିଛି । ଅଭିନେତ୍ରୀଙ୍କ ପରିଚିତ କେହି ଜଣେ ଅପରାହ୍ନ ୪:୫୦ ରେ ଜରୁରୀକାଳୀନ ସେବାକୁ ସୂଚନା ଦେଇଥିଲେ, ଯାହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପ୍ରାଥମିକ ପୋଲିସ ତଦନ୍ତରେ କିମ୍ଙ୍କ ମୃତ୍ୟୁରେ ଏପର୍ଯ୍ୟନ୍ତ କୌଣସି ବାହ୍ୟ ଆକ୍ରମଣ କିମ୍ବା ଅପରାଧିକ କାର୍ଯ୍ୟକଳାପର କୌଣସି ସଙ୍କେତ ମିଳିନାହିଁ । ତଥାପି, ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।
ଏହି ଫିଲ୍ମରେ କାମ କରିଛନ୍ତି କିମ୍ ସେ-ରନ
୨୦୦୦ ମସିହାରେ ସିଓଲରେ ଜନ୍ମଗ୍ରହଣ କରିଥିବା କିମ୍ ୯ ବର୍ଷ ବୟସରେ ଶିଶୁ କଳାକାର ଭାବରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ । ରିପୋର୍ଟ ଅନୁସାରେ, ସେ ୱାନି ଲେକୋମଟେଙ୍କ "ଏ ବ୍ରାଣ୍ଡ ନ୍ୟୁ ଲାଇଫ୍" (୨୦୦୯) ରେ ତାଙ୍କ ଭୂମିକା ପାଇଁ କାନ୍ସକୁ ନିମନ୍ତ୍ରିତ ହୋଇଥିବା ସବୁଠାରୁ କମ ବୟସ୍କ ଅଭିନେତାମାନଙ୍କ ମଧ୍ୟରୁ ଜଣେ ହୋଇଥିଲେ । ଏହା ପରେ କିମ୍ ଏକ ମହାନ କ୍ୟାରିଅର୍ କରିଥିଲେ ଏବଂ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯେପରିକି: ଦ ମ୍ୟାନ୍ ଫ୍ରମ୍ ନୋୱେୟାର, ଦ ନେବର (୨୦୧୨), ଏ ଗାର୍ଲ ଆଟ୍ ମାଇ ଡୋର୍ (୨୦୧୪), ସ୍ନୋଇ ରୋଡ୍ (୨୦୧୫), ଏବଂ ଦ ଭିଲେଜର୍ସ (୨୦୧୮) ଏବଂ ଟିଭି ଧାରାବାହିକ ମିରର୍ ଅଫ୍ ଦ ୱିଚ୍ (୨୦୧୬)। ବିଦେଶୀ ଗଣମାଧ୍ୟମଗୁଡ଼ିକ ରିପୋର୍ଟ ଅନୁଯାୟୀ, ସେ "ଏ ବ୍ରାଣ୍ଡ ନ୍ୟୁ ଲାଇଫ୍", "ଦି ମ୍ୟାନ୍ ଫ୍ରମ୍ ନୋହେୟାର", "ଏ ଗାର୍ଲ ଆଟ୍ ମାଇ ଡୋର୍", "ସ୍ନୋଇ ରୋଡ୍" ଏବଂ "ମିରର୍ ଅଫ୍ ଦି ୱିଚ୍" ରେ ତାଙ୍କ ଭୂମିକା ପାଇଁ ଅନେକ ପୁରସ୍କାର ଜିତିଥିଲେ ।
ଏହା ମଧ୍ୟ ପଢନ୍ତୁ: ଘରୁ ମିଳିଲା ଅଭିନେତାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ? ବଢୁଛି ସସପେନ୍ସ
ମଦ୍ୟପାନ କରି ଗାଡି ଚଳାଇବା ପଡିଥିଲା ମହଙ୍ଗା
ହେଲେ 2022 ମସିହାରେ ମଦ୍ୟପାନ କରି ଗାଡି ଚାଳନା ମାମଲା ତାଙ୍କ ଫିଲ୍ମ କ୍ୟାରିଅରରେ ବ୍ରେକ ଲଗାଇଦେଇଥିଲା । ସିଓଲରେ ଅଭିନେତ୍ରୀ ତାଙ୍କ କାରକୁ ଏକ ବୈଦ୍ୟୁତିକ ଟ୍ରାନ୍ସଫର୍ମରରେ ଧକ୍କା ଦେଇଥିଲେ, ଯାହା ଫଳରେ ସେହି ଅଞ୍ଚଳରେ ବିଦ୍ୟୁତ୍ ବିଭ୍ରାଟ ହୋଇଥିଲା । ସେ ମଦ୍ୟପାନ କରିଥିବା ଜଣାପଡିଥିଲା । ଯାହା ପରେ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଥିଲା ଏବଂ କିମଙ୍କୁ 20 ନିୟୁତ ୱାନ୍ ($13,850) ଜରିମାନା ଦେବାକୁ କୁହାଯାଇଥିଲା । ତଥାପି, କଥା ସେଠାରେ ସୀମିତ ହୋଇନଥିଲା । ମଦ୍ୟପାନ କରି ଗାଡି ଚାଳନା ସାମାଜିକ ଭାବରେ ଗ୍ରହଣୀୟ ନୁହେଁ ବୋଲି କିମ୍ କଠିନ ଟ୍ରୋଲିଂର ସମ୍ମୁଖୀନ ହୋଇଥିଲେ । ଏହି ଘଟଣା ଯୋଗୁଁ ସେ ଅନେକ ଚଳଚ୍ଚିତ୍ର ହରାଇଲେ । ତାଙ୍କୁ ଶେଷ ଥର ପାଇଁ 2023 ମସିହାରେ Netflix ସିରିଜ୍ Bloodhounds ରେ ଦେଖିବାକୁ ମିଳିଥିଲା । ତଥାପି, ଏହା ତାଙ୍କ କ୍ୟାରିଅରକୁ ପୁନର୍ଜୀବିତ କରିବାରେ ବିଫଳ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ