ବାଘମାରୀରେ ମହାଆଡ଼ମ୍ବରେ ରାବଣ ପୋଡ଼ି ଅନୁଷ୍ଠିତ - ବାଘମାରୀରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ
🎬 Watch Now: Feature Video
ଖୋର୍ଦ୍ଧା: ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରୀ ଗ୍ରାମପଞ୍ଚାୟତ ତଳ ସାହି ସ୍ଥିତ ଶ୍ରୀଶ୍ରୀ ରଘୁନାଥ ଦେବ ନାଟ୍ୟ ସାଂସଦ ଆନୁକୂଲ୍ୟରେ 7ମ ବାର୍ଷିକ ରାବଣପୋଡ଼ି ଉତ୍ସବ 2023 ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମବାସୀଙ୍କ ସହଯୋଗରେ 50ଫୁଟ ଉଚ୍ଚର ରାବଣର ପ୍ରତିକୃତିକୁ ଅଗ୍ନି ସଂଯୋଗ କରାଯାଇ ଜଳାଯାଇଛି । ରାବଣ ଦେହରେ ବିଭିନ୍ନ ଆତସବାଜି ଖଞ୍ଜାଯାଇଥିଲା । ଯାହା ଉପସ୍ଥିତ ଦର୍ଶକଙ୍କ ମନୋରଞ୍ଜନ କରିଥିଲା । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବାଘମାରୀ ଗ୍ରାମର ଗ୍ରାମବାସୀଙ୍କ ସହଯୋଗରେ ରାମ ନବମୀ ଠାରୁ ଗ୍ରାମରେ କୁନି କୁନି କଳାକାରଙ୍କ ଦ୍ବାରା ରାମଲୀଳା ଅନୁଷ୍ଠିତ ହୋଇ ଆସୁଛି ।
ରାମଲୀଳାର ନବମ ଦିବସରେ ଆୟୋଜିତ ହୋଇଆସୁଛି ରାବଣ ପୋଡି ଉତ୍ସବ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବେଗୁନିଆ ବୋଲଗଡ଼ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ କୈଳାସ ପାତ୍ର ଯୋଗ ଦେଇଥିବା ବେଳେ, ବାଘମାରୀ ସରପଞ୍ଚ ମାନସ ବିଶ୍ୱାଳ, ସମିତିସଭ୍ୟା ନବନିତା ମହାନ୍ତି, ବଡ଼କୁମାରୀ ସରପଞ୍ଚ ପ୍ରଫୁଲ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ରାବଣ ପୋଡି ଆୟୋଜକଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ଦର୍ଶକ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।
ଇଟିଭି ଭାରତ, ଖୋର୍ଦ୍ଧା