thumbnail

By

Published : Jun 20, 2023, 10:41 PM IST

ETV Bharat / Videos

ଶ୍ରୀ ବଳଦେବଜୀଉ ମନ୍ଦିରରେ ଜାକଜମକରେ ହେଲା ଶ୍ରୀଗୁଣ୍ଡିଚା ଯାତ୍ରା

ଜଗତସିଂହପୁର: ପବିତ୍ର ରଥଯାତ୍ରା ଅବସରରେ ଆଜି ଶ୍ରୀଜଗନ୍ନାଥମୟ ହୋଇଛି ଜଗତସିଂହପୁର ଜିଲ୍ଲା। ଗାଁରୁ ସହର ସବୁଠି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଛି । ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମହାପ୍ରଭୁଙ୍କ ଆଶିଷ ଲାଭ କରିବା ସହିତ ଆନନ୍ଦରେ ରଥ ଟାଣିଥିବା ଦେଖିବାକୁ ମିଳିଛି। ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସିଦ୍ଧଳ ସ୍ଥିତ ଶ୍ରୀ ବଳଦେବଜୀଉ ମନ୍ଦିରରେ ଆନନ୍ଦ ଓ ଉଲ୍ଲାସର ସହ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଭୋର 4ଟାରୁ ପହଡ଼ ଫିଟା ନୀତି ସମାପନ ପରେ ମହାସ୍ନାନ, ମଙ୍ଗଳାର୍ପଣ, ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା, ରୋଷହୋମ ପରେ ଷୋଡଶ ଉପଚାର ପୂଜା ଆଦି ଅନୁଷ୍ଠିତ ହୋଇଥିଲା।

ମଧ୍ୟାହ୍ନ 12 ଟା ସମୟରେ ମଧ୍ୟାହ୍ନ ଧୂପ,ରଥ ପ୍ରତିଷ୍ଠା ଓ ପତାକା ଲାଗି କରାଯାଇଥିଲା। ଅପରାହ୍ନ ୪ଟା ସମୟରେ ମହାପ୍ରଭୁ ପହଣ୍ଡି ବିଜେ କରିଥିଲେ। ଅପରାହ୍ନ 5ଟା ରେ ଜଗତସିଂହପୁର ପିଡ଼ି ରୁଦ୍ର ନାରାୟଣ ଦାସ ଠାକୁର ରାଜା ଭାବେ ରଥରେ ଛେରାପହଁରା କରିଥିଲେ। ପରମ୍ପରା ଅନୁଯାୟୀ ଜଗତସିଂହପୁର ଜିଲ୍ଲାପାଳ ଏହି ଶ୍ରୀଗୁଣ୍ଡିଚା ଯାତ୍ରାରେ ଛେରା ପହଁରା ନୀତି ସମ୍ପାଦନ କରିଥାନ୍ତି। ସେହିପରି ପୁଷ୍ୟାଭିଷେକ ସମୟରେ ଜିଲ୍ଲାପାଳଙ୍କୁ ରାଜ୍ୟଭିଷେକ କରାଯାଇଥାଏ ।

ବର୍ତ୍ତମାନର ଜିଲ୍ଲାପାଳ ପାରୁଲ ପଟାୱାରୀ ଆଜିର ଏହି ଛେରାପହଁରା କାର୍ଯ୍ୟ କରି ପାରିନଥିବାରୁ ତାଙ୍କର ପ୍ରତିନିଧି ଭାବରେ ଜଗତସିଂହପୁର ପିଡ଼ି ରୁଦ୍ର ନାରାୟଣ ଦାଶ ଏହି କାର୍ଯ୍ୟ ସମ୍ପାଦନ କରିଥିଲେ। ସନ୍ଧ୍ୟା 6ଟା ସମୟରେ ହଜାର ହଜାର ଭକ୍ତ ମାନେ ମହାପ୍ରଭୁଙ୍କ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ। ଜାତି ଧର୍ମ ନିର୍ବିଶେଷରେ ସମଗ୍ର ପରିବେଶ ଜଗନ୍ନାଥ ମୟ ହୋଇ ଉଠିଥିଲା। ସେହିପରି ଜିଲ୍ଲାରେ ଧ୍ୟାନକୁଦ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ମଧ୍ୟ ଶ୍ରୀ ଗୁଣ୍ଡିଚା ଯାତ୍ରା ପାଳିତ ହୋଇଛି।

 

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.