କାରାଗାର ପ୍ରତିଷ୍ଠା ଦିବସ ପାଳନ, ଦୃଷ୍ଟି ବାଧିତ ପିଲାଙ୍କ ଗୀତରେ ନାଚି ଉଠିଲେ ଅନ୍ତେବାସୀ - ସର୍କଲ ଜେଲ ପ୍ରତିଷ୍ଠା ଦିବସ

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 11, 2023, 6:55 AM IST

କୋରାପୁଟ: ଜିଲ୍ଲାର ସର୍କଲ ଜେଲରେ  ମାନବାଧିକାର ଦିବସ ତଥା ରାଜ୍ୟ କାରାଗାର ପ୍ରତିଷ୍ଠା ଦିବସ  ପାଳନ । ଏହି ଅବସରରେ କୋରାପୁଟ ସ୍ଥିତ ଦୃଷ୍ଟି ବାଧିତ ପିଲାଙ୍କ ସହିତ ଜେଲର ଅନ୍ତେବାସୀ ଦ୍ବାରା କାରାଗାର ମଧ୍ୟରେ ଆୟୋଜିତ ହୋଇଥିଲା  ଗୀତ ନାଚର କାର୍ଯ୍ୟକ୍ରମ । ଏନେଇ କାରାଗାରରେ ଏକ ନିଆରା ପରିବେଶ ସୃଷ୍ଟି ହୋଇଥିଲା । ଦୃଷ୍ଟିବାଧିତ ପିଲାଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ରଙ୍ଗବତୀ ଗୀତର ତାଳେ ତାଳେ ଦର୍ଶକ ହୋଇ ବସିଥିବା ସମସ୍ତ ଅନ୍ତେବାସୀ ଝୁମିବା ସହ ପିଲାଙ୍କ ଦକ୍ଷତା ପ୍ରତି ସ୍ବତନ୍ତ୍ର ସମ୍ମାନ ପ୍ରଦର୍ଶନ କରିଥିଲେ ।

ସପଟେ ମହିଳା ଅନ୍ତେବାସୀଙ୍କ ଦ୍ଵାରା ଢେମସା ନୃତ୍ୟ ପରିବେଷଣ ହୋଇଥିବା ବେଳେ ଗତ ଏକ ସପ୍ତାହ ବ୍ୟାପି କାରାଗାର ଅନ୍ତେବାସୀଙ୍କ ମଧ୍ୟରେ ଅନୁଷ୍ଠିତ ସଙ୍ଗୀତ ଓ କ୍ରୀଡା ପ୍ରତିଯୋଗିତାରେ କୃତି ବ୍ୟକ୍ତିଙ୍କୁ ପୁରଷ୍କୃତ କରାଯାଇଥିଲା । ଏହି ଅବସରରେ ଜେଲରେ କାର୍ଯ୍ୟରତ କର୍ମଚାରୀଙ୍କ ଉତ୍ତମ ସେବାକୁ ସମ୍ମାନ ଜଣାଇ ଜେଲ ଡିଜିଙ୍କ ଦ୍ଵାରା ଚୟନ କରାଯାଇଥିବା ନୂଆପଡା ଉପ କାରାଗାରର ଜେଲର ଦୁର୍ବଦଳ ମେହେର, ନବରଙ୍ଗପୁର ଉପ କାରାଗାରର ଫାର୍ମାସିଷ୍ଟ ଦେବ ପ୍ରସାଦ ସୁବୁଦ୍ଧି, ଭବାନୀପାଟଣା ଜିଲ୍ଲା କାରାଗାରର କାର୍ପେଣ୍ଟାରୀ ପ୍ରଶିକ୍ଷକ ବିରଞ୍ଚି ମହାରଣାଙ୍କ ସମେତ କୋରାପୁଟ ସର୍କଲ ଜେଲର କାରାଗାର ମଙ୍ଗଳ ଅଧିକାରୀ ରୁଦ୍ରପ୍ରତାପ ମେହେର, ଉପ ସହକାରୀ ଜେଲର ଦୟାମୟ ମଲ୍ଲିକ ଏବଂ ମହିଳା ୱାର୍ଡନ ରଶ୍ମି ରାଣୀ ପଟ୍ଟନାୟକଙ୍କୁ 2023 ବର୍ଷ ପାଇଁ କମେଣ୍ଡେସନ ରୋଲ ସମ୍ମାନରେ ସମ୍ମାନିତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ....କୋରାପୁଟ ଜେଲରେ ଅଭିନବ ପ୍ରୟାସ: ଅନ୍ତେବାସୀଙ୍କୁ ନେଇ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ସେହିପରେ କାରାଗାରର ଅନ୍ତେବାସୀଙ୍କ ଗହଣରେ ବିଭିନ୍ନ ସ୍ବେଚ୍ଛାସେବୀଙ୍କୁ ମଧ୍ୟ ସମ୍ମାନିତ କରାଯିବା  ଏବଂ ବିଶେଷ କରି ଦୃଷ୍ଟି ବାଧିତ ପିଲାଙ୍କ ଦ୍ୱାରା ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜିତ ହେବା ଦ୍ୱାରା ଅନ୍ତେବାସୀଙ୍କ ମଧ୍ୟରେ ମାନସିକ ପରିବର୍ତ୍ତନ ହେବାର ସମ୍ଭାବନା ଉଜ୍ଜ୍ୱଳ ହୋଇପାରିଥିବା ଜେଲ ସୁପେରିନଟେଣ୍ଡେଣ୍ଟ ମନୋରଞ୍ଜନ ପ୍ରତିହାରୀ ଆଶା ପୋଷଣ କରିଛନ୍ତି । କାରାଗାର ମଧ୍ୟରେ ଏକାକୀ ନିଷଙ୍ଗ ଜୀବନକୁ ଅତିବାହିତ କରୁଥିବା ଏହି ଅନ୍ତେବାସୀଙ୍କ ମଧ୍ୟରେ ଏପରି ଉତ୍ସବ ପାଳନ ମାଧ୍ୟମରେ ମାନସିକ ସନ୍ତୁଳନ ରକ୍ଷା କରାଯାଇପାରିବ ।  ସେମାନେ ଭାରତୀୟ ସଂସ୍କୃତିର ବିଭିନ୍ନ ଦିଗ ପ୍ରତି ସଚେତନ ହେବା ସହ ସେଗୁଡିକରେ ସକ୍ରିୟ ଅଂଶ ଗ୍ରହଣ କରି ନିଜ ମଧ୍ୟରେ ଥିବା ଯେକୌଣସି ସମ୍ଭାବ୍ୟ ନକାରାତ୍ମକ ଭାବକୁ ଦୂରେଇ ପାରିବାରେ ସକ୍ଷମ ହେଉଥିବା କାରାଗାରର ସୁପରିଟେଣ୍ଡେଣ୍ଟ  ପ୍ରତିହାରୀ ମତ ଦେଇଛନ୍ତି ।  

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.