ଭୁବନେଶ୍ବର: ବୈକୁଣ୍ଠଧାମ ଆଶ୍ରମ ପାଇଁ ବଢ଼ିଲା ଅଡ଼ୁଆ। ଆଶ୍ରମ ଉପରେ ବୁଲଡୋଜର ବୁଲିବା ନେଇ ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । କେଉଁ ବି ସମୟରେ ଭଙ୍ଗାଯାଇପାରେ ବୈକୁଣ୍ଠଧାମ ଆଶ୍ରମ । ଆଶ୍ରମକୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ସୁରକ୍ଷା ଆଦେଶକୁ ଉଠାଇ ଦେଇଛନ୍ତି ହାଇକୋର୍ଟ । ବିଡିଏ ଏବେ ଯେକୌଣସି ସମୟରେ ବିବାଦୀୟ ଆଶ୍ରମକୁ ଭାଙ୍ଗି ଦେଇପାରେ ।
ଭାଙ୍ଗିବ ବୈକୁଣ୍ଠଧାମ ଆଶ୍ରମ
ଭୁବନେଶ୍ବର ଘାଟିକିଆ ମୌଜା ଅନ୍ତର୍ଗତ ଖଣ୍ଡଗିରିବାରିସ୍ଥିତ ଥିବା ଆଶ୍ରମକୁ ନେଇ ରୁଜୁ ମାମଲାରେ ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ସୁରକ୍ଷା ଆଦେଶକୁ ହାଇକୋର୍ଟ ଉଠାଇ ଦେଇଛନ୍ତି। ପୂର୍ବରୁ ୨୦୨୪, ଡିସେମ୍ବର ୨୦ରେ ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଏହି ଜମିକୁ ଟ୍ରଷ୍ଟ ନାଁରେ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୁପାରିଶ କରିଥିବା ଦର୍ଶାଇ ଆବେଦନକାରୀ ଦାଖଲ କରିଥିବା ଚିଠି ଜାଲ ଥିଲା । ତେବେ ଏ ନେଇ ସତ୍ୟପାଠ ଦାଖଲ କରିବାକୁ ଗତ ଡିସେମ୍ବର ୨୦ରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଜାନୁଆରି ୨ରେ ସରକାରଙ୍କ ତରଫରୁ ଏହି ମର୍ମରେ ସତ୍ୟପାଠ ଦାଖଲ କରାଯାଇଥିଲା। ଏପରି କୌଣସି ଚିଠି ଜାରି କରାଯାଇ ନଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ଏହି ସତ୍ୟପାଠର କପି ଆବେଦନକାରୀ ଓ ବିଏମସିକୁ ପ୍ରଦାନ କରିବାକୁ ହାଇକୋର୍ଟ ଜାନୁଆରି ୩ରେ ନିର୍ଦ୍ଦେଶ ଦେଇଥିଲେ।
ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ବୈକୁଣ୍ଠଧାମ ସେବାଶ୍ରମ ଟ୍ରଷ୍ଟ ଆବେଦନର ଶୁଣାଣି ସମୟରେ ସତ୍ୟପାଠରେ ଉଲ୍ଲେଖ କରାଯାଇଥିବା ତଥ୍ୟ ସଂକ୍ରାନ୍ତରେ ସରକାରଙ୍କ ତରଫରୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାପରେ ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ଆଦେଶ ଉଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ସରକାରଙ୍କ ସତ୍ୟପାଠ ଉପରେ ପ୍ରତିଜବାବ ଦାଖଲ ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫେବ୍ରୁଆରି ୩କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ବୈକୁଣ୍ଠନାଥ ଧାମ ଆଶ୍ରମ
ଉଚ୍ଛେଦ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ଦାୟର କରିଥିବା ଆବେଦନର ନଭେମ୍ବର ୨୧ରେ ହାଇକୋର୍ଟ ଶୁଣାଣି କରି ଜବାବ ତଲବ କରିଥିଲେ। ଏଥି ସହିତ ଆବେଦନକାରୀ ଟ୍ରଷ୍ଟ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ହାଇକୋର୍ଟ ଅନ୍ତରୀଣ ରୋକ ଲଗାଇଥିଲେ। ଆବେଦନକାରୀ ଦର୍ଶାଇଥିଲେ ଯେ ଟ୍ରଷ୍ଟ ଯୋଗ ଶିକ୍ଷା ପାଇଁ କାର୍ଯ୍ୟ କରୁଥିବା ବେଳେ ଏହି ଜମିକୁ ଟ୍ରଷ୍ଟ ନାମରେ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଏ ବିଭାଗକୁ ସୁପାରିସ କରାଯାଇଥିଲା। ହାଇକୋର୍ଟ ଏହି ଚିଠି ଆଧାରରେ ଆଶ୍ରମ ଭଙ୍ଗାଯିବା ଉପରେ ରୋକ୍ ଲଗାଇଥିଲେ ।
ଏହା ମଧ୍ୟ ପଢନ୍ତୁ ରାଗିଂ ମାମଲାରେ ହାଇକୋର୍ଟଙ୍କ ରାୟ, ଅନାଥାଶ୍ରମରେ ପାଠ ପଢ଼ାଇବେ ଆଇନ ଛାତ୍ର
ଏହା ମଧ୍ୟ ପଢନ୍ତୁ ବିବାଦୀୟ ଆଶ୍ରମ ନାଁରେ ମାମଲା ରୁଜୁ, ବାବା କାଶୀନାଥ କହିଲେ '୧୦ ବର୍ଷ ତଳର ଫଟୋ'
ସରକାରୀ ଜମିରେ ଗଢିଉଠିଛି ଆଶ୍ରମ !
ଗତ ବର୍ଷ ନଭେମ୍ବରରେ ରାଜଧାନୀରେ ବିବାଦ ଘେରକୁ ଆସିଥିଲା ବୈକୁଣ୍ଠଧାମ ଆଶ୍ରମ । ଯେଉଁଠି ପୂଜା ପାଉଥିବା ବାବାଙ୍କୁ ନେଇ ଘୋର ବିରୋଧ ଦେଖିବାକୁ ମିଳିଥିଲା । ମନୁଷ୍ୟ ପାଦ ତଳେ ତୁଳସୀ ପତ୍ର ରଖି ପୂଜା ହେଉଥିବା ଅଭିଯୋଗ ହୋଇଥିଲା । ସରକାରୀ ଜମି ଉପରେ ଆଶ୍ରମ ଗଢି ଉଠିଥିବା ନେଇ ଅଭିଯୋଗ ପରେ ଭରତପୁର ଥାନାର ଏକ ଟିମ୍ ପହଞ୍ଚି ତଦନ୍ତ କରିଥିଲେ । ଏପରିକି ତୁଳସି ଗୋଡ ରଖି ପୂଜା ପାଉଥିବା କୁନି ବାବାଙ୍କ ସମ୍ପର୍କରେ ପଚରାଉଚରା କରାଯାଇଥିଲା । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଆଶ୍ରମର ଦୁର୍ନୀତି ପଦାରେ ପଡିଥିଲା ।
ପୂର୍ବରୁ ବିବାଦରେ ଅଛି ଏସବୁ ଆଶ୍ରମ
ପୂର୍ବରୁ ବାଲିପାଟଣା ଥାନା ତ୍ରାହି ଅଚ୍ୟୁତ ଆଶ୍ରମ ଏପରି ବିବାଦ ଘେରକୁ ଆସିଥିଲା । ସେତେବେଳେ ଆଶ୍ରମର ମୁଖ୍ୟ ସ୍ବର୍ଗତ ସୁରବାବା ମଧ୍ୟ ଚର୍ଚ୍ଚାକୁ ଆସିଥିଲେ । ପରେ ଏହି କେସ ହସ୍ତକ୍ଷେପ ପରେ ଘଟଣାର ତନାଘନା ଆରମ୍ଭ ହୋଇଥିଲା । ଏନେଇ କମିସନରେଟ ପୋଲିସ ପକ୍ଷରୁ ଏନେଇ ସେହି ଅଞ୍ଚଳରେ ଘୋର ବିରୋଧ ଓ ଲୋକଙ୍କ ଆକ୍ରୋଶ ପାଇଁ ଆଇନଶୃଙ୍ଖଳା ଭଳି ପରିସ୍ଥିତି ଉପୁଜିଥିଲା । ଏବେ ପୁଣି ଏଭଳି ଏକ ଘଟଣା କମିସନରେଟ ପୋଲିସ ପାଇଁ ଚିନ୍ତା ଜନକ ହୋଇଛି । ସେହିପରି ୨୦୧୫ମସିହା ଅଗଷ୍ଟ ୮ତାରିଖରେ ବାବା ସାରଥୀ ଓରଫ ସନ୍ତୋଷ ରାଉଳଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଜନୈକା ଡାକ୍ତରୀ ଛାତ୍ରୀଙ୍କୁ ପତ୍ନୀର ପରିଚୟ ଦେଇ ହାଇଦ୍ରାବାଦର ଗୋଲକୁଣ୍ଡା ସ୍ଥିତ ବଞ୍ଜାରା ହିଲସ୍ ହୋଟେଲରେ ନେଇ ରହିବା ଖବର ପ୍ରଚାରିତ ହେବା ପରେ ଅଗଷ୍ଟ ୫ରୁ ସାରଥୀଙ୍କୁ ବିଭିନ୍ନ ମହଲରେ ବିରୋଧ ଆରମ୍ଭ ହୋଇଥିଲା । ରାଜ୍ୟ ସରକାରଙ୍କ ତ୍ବରିତ କାର୍ଯ୍ୟାନୁଷ୍ଠାନ ସ୍ବରୂପ କ୍ରାଇମବ୍ରାଞ୍ଚ ସାରଥୀଙ୍କୁ ତାଙ୍କ ଆଶ୍ରମରୁ ଗିରଫ କରିଥିଲା । ଅନ୍ୟପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ସାରଥୀଙ୍କ ୨୫ ଗୋଟି ସ୍ଥାବର ଅସ୍ଥାବର ସମ୍ପତ୍ତି ଉପରେ କଟକଣା ଲଗାଇଥିଲା ।
ଭଙ୍ଗାଯାଇଛି ଆଶ୍ରମ
ଜମି ଜବରଦଖଲ ଅଭିଯୋଗରେ ସୁର ବାବାଙ୍କ ତ୍ରାହି ଅଚ୍ୟୁତ ଆଶ୍ରମର କିଛି ଅଂଶ ଭଙ୍ଗାଯାଇଥିଲା । ସେହିପରି 2015ରେ କୋଣାର୍କର ବାନା ବାବା ଗୋଧନପଡ଼ା ଗାଁ ଲୋକଙ୍କ ସ୍ଥିତିବାନ ଜମି, ସରକାରୀ ଅନାବାଦି, ଗୋଚର, ଶ୍ମଶାନ ଜମି ଓ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ଜମିକୁ ଜବରଦଖଲ କରି ଏଠାରେ ଏକ ଅଟ୍ଟାଳିକା ନିର୍ମାଣ କରିଥିବା ଅଭିଯୋଗ ହୋଇଥିଲା। ବନ ବିଭାଗର ପ୍ରାୟ ୧୫ ଏକର ଜମି ଜବରଦଖଲ ହୋଇଥିଲା । ଏହା ଜଣାପଡିବା ପରେ ତଦନ୍ତ ହୋଇ ଆଶ୍ରମ ଭଙ୍ଗାଯାଇଥିଲା ।
ଇଟିଭି ଭାରତ, କଟକ