ପୁରୀ: ବାଲି ବୋଝେଇ ଟ୍ରକ୍କୁ ପଛପଟୁ ଧକ୍କା ଦେଲା ‘ମୋ ବସ୍’ । ପରେ ପରେ ‘ମୋ ବସ୍’ ପଛରେ ଆସୁଥିବା ଯାତ୍ରୀବାହୀ ଓ୍ବିଙ୍ଗର ଗାଡି ମଧ୍ୟ ମୋ ବସ୍କୁ ଧକ୍କା ଦେଇଛି । ଏହି ସିରିଜ ଦୁର୍ଘଟଣାରେ ପ୍ରାୟ ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଚନ୍ଦନପୁର ନିକଟ ସମଯାଜପୁର ଓଭରବ୍ରିଜ୍ ଉପରେ ଏହି ମର୍ମନ୍ତୁଦ ସିରିଜ୍ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ମୋ ବସ୍ରେ ଥିବା କିଛି ଯାତ୍ରୀ ଗୁରୁତର ହୋଇଛନ୍ତି । ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି ।
- ସିରିଜ୍ ଦୁର୍ଘଟଣା:
ସୂଚନା ଅନୁଯାୟୀ,ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଚନ୍ଦନପୁର ନିକଟ ସମଯାଜପୁର ଓଭରବ୍ରିଜ୍ ରାସ୍ତା ପାର୍ଶ୍ଵରେ ଚକା ଫାଟିଯିବାରୁ ଏକ ବାଲି ବୋଝେଇ ଟିପର ମରାମତି ପାଇଁ ଛିଡା ହୋଇଥିଲା । ସେପଟେ ୩୫ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ମୋ ବସ୍ ଉକ୍ତ ଟିପର୍କୁ ପଛପଟୁ ଧକ୍କା ଦେଇଥିଲା । ସେପଟେ ବସ୍ ପଛରେ ଆସୁଥିବା ଏକ ଯାତ୍ରୀବାହୀ ଓ୍ବିଙ୍ଗର ଗାଡି ଆସି ମୋ ବସ୍କୁ ଧକ୍କା ଦେଇଥିଲା । ଫଳରେ ମୋ ବସ୍ରେ ଥିବା ୩୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କ ସହ ଓ୍ବିଙ୍ଗରରେ ଥିବା ଗୋରଖପୁର ଓ ଟାଟା ଅଞ୍ଚଳର ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ଆମ୍ବୁଲାନ୍ସ ପହଞ୍ଚିଥିବା ବେଳେ ସମସ୍ତ ଆହତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସିରିଜ୍ ଦୁର୍ଘଟଣା ଯୋଗୁଁ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ..ସିରିଜ ଦୁର୍ଘଟଣା ଘଟାଇଲା 'ମୋ ବସ' ଏହା ମଧ୍ୟ ପଢ଼ନ୍ତୁ..ପୁଷ୍ପକରୁ ଡେଇଁଲେ, ମାଡ଼ିଗଲା କର୍ଣ୍ଣାଟକ ଏକ୍ସପ୍ରେସ, ୧୩କୁ ବଢ଼ିଲା ମୃତ୍ୟୁସଂଖ୍ୟା |
- କ'ଣ କହୁଛନ୍ତି ଆହତ ଯାତ୍ରୀ:
ଘଟଣାସ୍ଥଳରେ ଚନ୍ଦନପୁର ଓ ସଦରଥାନା ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଆସିଥିବା ଆହତ ମାନଙ୍କୁ ସ୍ବାସ୍ଥ୍ୟବସ୍ଥା ବୁଝିବା ପାଇଁ କୌଣସି ପ୍ରଶାସନିକ ଅଧିକାରୀଙ୍କ ଦେଖା ମିଳିନଥିଲା । ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଜଣେ ଆହତ ଯାତ୍ରା କହିଛନ୍ତି, "ଆମେ ମୋ ବସ୍ରେ ପୁରୀରୁ ଫେରୁଥିବା ବେଳେ ରାସ୍ତା ଉପରେ ଏକ ଟ୍ରକ ଛିଡ଼ା ହୋଇଥିଲା । ମୋ ବସ୍ ଯାଇ ଟ୍ରକ ପଛରେ ପିଟି ହୋଇଗଲା । ସେପଟେ ପଛରୁ ଆସୁଥିବ ଆଉ ଏକ ଗାଡି ଆସି ମୋ ବସ୍ ସହ ପଛରୁ ପିଟି ହୋଇଗଲା । ଦୁର୍ଘଟଣା ସମୟରେ ବସ୍ରେ ପାଖାପାଖି ୩୦ରୁ ୩୫ ଜଣ ଯାତ୍ରୀ ଥିଲେ ।"
ଇଟିଭି ଭାରତ, ପୁରୀ