ନୂଆଦିଲ୍ଲୀ: ୭୬ତମ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଛି କେନ୍ଦ୍ର ସରକାର । ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ୭ ଜଣ ପଦ୍ମବିଭୂଷଣ, ୧୯ ଜଣ ପଦ୍ମଭୂଷଣ ଏବଂ ୧୧୩ ଜଣ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହେବେ । ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ବିଜେତାମାନଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବେ ।
- ପଦ୍ମବିଭୂଷଣ ସମ୍ମାନିତ ହେବେ ୭ ଜଣ
ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ‘ପଦ୍ମବିଭୂଷଣ’ରେ ସମ୍ମାନିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି, ଦୁଭୁର ନାଗେଶ୍ୱର ରେଡ୍ଡୀ (ଚିକିତ୍ସକ-ତେଲେଙ୍ଗାନା), ଜଷ୍ଟିସ୍ (ଅବସରପ୍ରାପ୍ତ) ଜଗଦୀଶ ସିଂହ ଖେହର, କୁମୁଦିନୀ ରଜନୀକାନ୍ତ ଲାଖିଆ, ଲକ୍ଷ୍ମୀ ନାରାୟଣନ ସୁବ୍ରମଣ୍ୟମ, ଏମଟି ବାସୁଦେବନ ନାୟାର (ମରଣୋତ୍ତର), ଓସାମୁ ସୁଜୁକି ( ମରଣୋତ୍ତର) ଏବଂ ପ୍ରସିଦ୍ଧ ଗାୟିକା ଶାରଦା ସିହ୍ନା (ମରଣୋତ୍ତର)।
- ୧୯ ଜଣଙ୍କୁ ପଦ୍ମଭୂଷଣ
ଦେଶର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଭୂଷଣ ବିଜେତାଙ୍କ ମଧ୍ୟରେ ଏ ସୂର୍ଯ୍ୟ ପ୍ରକାଶ, ଅନନ୍ତ ନାଗ, ବିବେକ ଦେବରୟ (ମରଣୋତ୍ତର), ଜତୀନ ଗୋସ୍ୱାମୀ, ଜୋସ୍ ଚାକୋ ପେରିଆପ୍ପୁରମ୍, କୈଳାସ ନାଥ ଦୀକ୍ଷିତ, ପୂର୍ବତନ ଲୋକସଭା ବାଚସ୍ପତି ଏବଂ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ମନୋହର ଯୋଶୀ (ମରଣୋତ୍ତର) ପ୍ରମୁଖ ରହିଛନ୍ତି । ସେହିପରି ନାଲି କୁପ୍ପୁସ୍ୱାମୀ ଚେଟ୍ଟି, ବରିଷ୍ଠ ଦକ୍ଷିଣ ଭାରତୀୟ ଅଭିନେତା ନନ୍ଦମୁରୀ ବାଳକୃଷ୍ଣ, ପୂର୍ବତନ ଭାରତୀୟ ହକି ଖେଳାଳି ପି.ଆର ଶ୍ରୀଜେଶ, ପଙ୍କଜ ପଟେଲ, ଗାୟକ ପଙ୍କଜ ଉଧାସ (ମରଣୋତ୍ତର), ରାମ ବାହାଦୁର ରାୟ, ସାଧ୍ୱୀ ରୀତାମ୍ବ୍ରା, ଏସ. ଅଜିତ କୁମାର, ଚଳଚ୍ଚିତ୍ର ନିର୍ମାତା ଶେଖର କପୁର, ଶୋଭନା ଚନ୍ଦ୍ର କୁମାର, ପୂର୍ବତନ ବିହାରର ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି (ମରଣୋତ୍ତର) ପ୍ରମୁଖ ରହିଛନ୍ତି ।
- ୧୧୩ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ
ପଦ୍ମଶ୍ରୀ ବର୍ଗରେ ଅଦ୍ୱିତା ଚରଣ ଗଡନାୟକ, ଅଚ୍ୟୁତ ରାମଚନ୍ଦ୍ର ପାଲାଭ, ଅଜୟ ଭି ଭଟ୍ଟ, ଅନିଲ କୁମାର ବୋରୋ, ଅରିଜିତ ସିଂ, ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ, ଅରୁଣୋଦ ସାହା, ଅରବିନ୍ଦ ଶର୍ମା, ଅଶୋକ କୁମାର ମହାପାତ୍ର, ଅଶୋକ ଲକ୍ଷ୍ମଣ ସରାଫ, ଆଶୁତୋଷ ଶର୍ମା, ଅଶ୍ୱିନୀ ଭଦେ ଦେଶପାଣ୍ଡେ, ବୈଜୟନ୍ତ ମହାରାଜ ବରୀ ପ୍ରମୁଖଙ୍କ ସହ ଦେଶର ବିଭିନ୍ନ ରାଜ୍ୟର ବିଭିନ୍ନ କଳା କାରିଗରୀ, ସଙ୍ଗୀତ ସାଧାନା, ସାରସ୍ବତ ସାହିତ୍ୟ,କ୍ରୀଡା, ସମାଜସେବା, ଶିକ୍ଷା ଓ ପରିବେଶ, ନାରୀସଶକ୍ତିକରଣ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା 119 ଜଣ ବ୍ୟକ୍ତିବିଶେଷଙ୍କୁ ଏଥର ପଦ୍ମ ସମ୍ମାନରେ ସମ୍ମାନିତ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏମାନେ ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ରାଷ୍ଟ୍ରପତିଙ୍କ ଦ୍ବାରା ଏହି ସମ୍ମାନ ଗ୍ରହଣ କରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ