ହାଇଦ୍ରାବାଦ: ବଲିଉଡ ବରିଷ୍ଠ ଲୋକପ୍ରିୟ ଅଭିନେତା ଟିକୁ ତଲସାନିଆ ହୃଦଘାତର ଶିକାର ହୋଇଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, 70 ବର୍ଷୀୟ ଅଭିନେତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଖବର ସାମ୍ନାକୁ ଆସିବା ପରେ ସେଲିବ୍ରିଟି ଏବଂ ଫ୍ୟାନ୍ସ ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଚିନ୍ତିତ ହେବା ସହ ଅଭିନେତାଙ୍କ ଶୀଘ୍ର ସୁସ୍ଥତା କାମନା କରିଥିଲେ । ବର୍ତ୍ତମାନ ଖବର ଆସିଛି ଯେ ଅଭିନେତା ସୁସ୍ଥ ଥିବା ବେଳେ ଘରକୁ ଫେରିଛନ୍ତି । ଯାହା ପରେ ସମସ୍ତଙ୍କୁ ଆରମ ମିଳିଛି ।
ଟିକୁ ତାଲସାନିଆ ହସ୍ପିଟାଲରେ ଭର୍ତ୍ତି
ରିପୋର୍ଟ ଅନୁସାରେ, ଅଭିନେତା ଟିକୁ ତାଲସାନିଆଙ୍କୁ ଜାନୁଆରୀ ୧୦, ଶୁକ୍ରବାର ଦିନ ହୃଦଘାତ ହୋଇଥିଲା । ଯାହା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିନେତା ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଅଭିନେତା ସୁସ୍ଥ ଥିବା ବେଳେ ଘରକୁ ଫେରିଥିବା କୁହାଯାଉଛି ।
ଟିକୁ ତାଲସାନିଆଙ୍କ କ୍ୟାରିଅର
ସେ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଉଭୟରେ କାମ କରିଛନ୍ତି । ଟିକୁ ତଲସାନିଆ ଅନ୍ଦାଜ୍ ଅପନା ଅପନା, ଦେବଦାସ, ସ୍ପେଶାଲ୍ ୨୬ ଏବଂ ଲୋକପ୍ରିୟ ଟିଭି ଶୋ 'ଉତ୍ତରନ'ରେ କାମ କରିଛନ୍ତି । ଟିକୁ ତଲସାନିଆ ୧୯୮୪ ମସିହାରେ ଟିଭି ଶୋ’ ‘ୟେ ଜୋ ହେ ଜିନ୍ଦେଗୀ’ ମାଧ୍ୟମରେ ଅଭିନୟ ଜଗତରେ ଡେବ୍ୟୁ କରିଥିଲେ । ଦୁଇ ବର୍ଷ ପରେ, 1986ରେ ସେ 'ପ୍ୟାର କେ ଦୋ ପଲ' ସହ ବଲିଉଡରେ ଡେବ୍ୟୁ କରିଥିଲେ । ଏହା ପରେ ସେହି ବର୍ଷ ସେ 'ଡ୍ୟୁଟି' ଏବଂ 'ଅସଲି ନକଲି' ଭଳି ଫିଲ୍ମରେ ମଧ୍ୟ ନଜର ଆସିଥଲେ । ଏଠାରୁ ତାଙ୍କ କ୍ୟାରିଅର ଆରମ୍ଭ ହେଲା ଏବଂ ସେ 'ବୋଲ ରାଧା ବୋଲ', 'କୁଲି ନମ୍ବର 1', 'ରାଜା ହିନ୍ଦୁସ୍ତାନୀ', 'ହିରୋ ନମ୍ବର 1' ଏବଂ 'ବଡ଼େ ମିଆଁ ଛୋଟେ ମିଆଁ' ଭଳି ଦମଦାର ଚଳଚ୍ଚିତ୍ରରେ ମନୋରଞ୍ଜନକାରୀ ଅଭିନୟ କରି ଘରେ ଘରେ ପରିଚିତ ।
ଏହା ମଧ୍ୟ ପଢନ୍ତୁ: ହୃଦଘାତରେ ଆଖିବୁଜିଲେ ଲୋକପ୍ରିୟ ଟିଭି ତାରକା ଋତୁରାଜ ସିଂହ
ଟିକୁ ଶେଷ ଥର ପାଇଁ ୨୦୨୪ ମସିହାରେ ରାଜକୁମାର ରାଓ ଏବଂ ତ୍ରିପ୍ତୀ ଡିମ୍ରିଙ୍କ ଅଭିନୀତ ଫିଲ୍ମ "ବିକି ବିଦ୍ୟା କା ୱ ୱାଲା ଭିଡିଓ"ରେ ନଜର ଆସିଥିଲେ । ଟିକୁଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ସେ ଦୀପ୍ତିଙ୍କୁ ବିବାହ କରିଥିଲେ । ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି । ପୁଅ ରୋହନ ତଲସାନିଆ, ଯିଏ ଜଣେ ସଂଗୀତଜ୍ଞ । ତାଙ୍କ ଝିଅ ଶିଖା ତଲସାନିଆ ଜଣେ ଅଭିନେତ୍ରୀ ଏବଂ ବୀରେ ଦି ୱେଡିଂରେ କାମ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ