thumbnail

କେନ୍ଦୁପତ୍ର କର୍ମଚାରୀ ସଂଘର ନୂଆଖାଇ ଭେଟଘାଟ, ସାମିଲ ହେଲେ 15 ଶହରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ତୋଳାଳୀ

By ETV Bharat Odisha Team

Published : Oct 19, 2023, 7:02 AM IST

ନୂଆପଡ଼ା: କେନ୍ଦୁପତ୍ର କର୍ମଚାରୀ ସଂଘ ନୂଆଖାଇ ଭେଟଘାଟ । ନୂଆପଡା ଜିଲ୍ଲା କେନ୍ଦୁପତ୍ର କର୍ମଚାରୀ ସଂଘ ଖଡ଼ିଆଳ ଡିଭିଜନ ଶାଖା ତରଫରୁ ସଂଘର ରାଜ୍ୟ ସମ୍ପାଦକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ନୂଆଖାଇ ଭେଟଘାଟ 2023 ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ 15 ଶହରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ତୋଳାଳୀ ଓ ସିଜିନାଲ ଷ୍ଟାଫ୍‌ ସାମିଲ ହୋଇଥିଲେ । ଏହାସହ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମୁଖ୍ୟ ଅତିଥି ଓ ପଦ୍ମପୁର ପୂର୍ବ ବିଧାୟକ ପ୍ରଦୀପ ପୁରୋହିତ ମୁଖ୍ୟବକ୍ତା ଭାବରେ ଯୋଗଦେଇ କେନ୍ଦୁପତ୍ର ତୋଳାଳୀ, ସିଜିନାଲ ଷ୍ଟାଫ ଓ ଅନ୍ୟାନ୍ୟ ଶ୍ରମିକମାନଙ୍କୁ ନୂଆଖାଇ ଜୁହାର କରିବା ସହିତ କେନ୍ଦୁପତ୍ର କର୍ମଚାରୀମାନଙ୍କୁ ରାଜ୍ୟ ସରକାରଙ୍କ ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ତଥା ନିଜ ହକ୍‌ ପାଇଁ ଏକଜୁଟ ହୋଇ ଲଢ଼ିବା ପାଇଁ ଆହ୍ୱାନ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...କେନ୍ଦୁପତ୍ର ତୋଳାଳୀଙ୍କୁ ୧୦୦% ବୋନସ ଦେବାକୁ କହି ଧୋକା ଦେଇଛନ୍ତି ନବୀନ ସରକାର: କୁସୁମ

ତେବେ ସାଂସଦ ବସନ୍ତ ପଣ୍ଡା କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ କେନ୍ଦୁପତ୍ର ଉପରେ ଜିଏସ୍‌ଟି ଉଚ୍ଛେଦ ପାଇଁ ଦାବିପତ୍ର ପ୍ରଦାନ ସହିତ ବିଶେଷ ଆଲୋଚନା କରିଥିବାରୁ ସଂଘ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଓ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଅଞ୍ଚଳର ସାଂସଦ ହିସାବରେ ଏପ୍ରସଙ୍ଗରେ ଆଗାମୀ ଦିନରେ ସଂଘ ଯେଉଁ ପ୍ରକାର ସହଯୋଗ ଚାହିଁବ ସେସବୁ ସହଯୋଗ କରାଯିବ ବୋଲି ବସନ୍ତ ପ୍ରତିଶୃତି ଦେଇଥିଲେ । କେନ୍ଦୁପତ୍ର ଏକ ସରକାରୀ ସଂସ୍ଥା ହେଲେ ମଧ୍ୟ ରାଜ୍ୟରେ ଦୀର୍ଘ 24 ବର୍ଷ ଧରି ଶାସନରେ ଥିବା ବିଜେଡି ସରକାର କେନ୍ଦୁପତ୍ର ତୋଳାଳୀଙ୍କ ଅଧିକାର ପ୍ରାପ୍ୟ ପ୍ରଦାନ ବେଳକୁ ସେମାନଙ୍କୁ କେବଳ ଶୋଷଣ ଓ ପ୍ରତାରଣା କରିଛି । ମିଥ୍ୟା ପ୍ରତିଶୃତି ଦେଇ ଠକି ଚାଲିଛି । ସରକାର କେନ୍ଦୁପତ୍ର  ତୋଳାଳୀଙ୍କୁ 100 ପ୍ରତିଶତ ବୋନସ ଓ ସିଜିନାଲ୍‌ ଷ୍ଟାଫ୍‌ଙ୍କୁ ଅତିକମରେ 25 ପ୍ରତିଶତ ଇଂସେଂଟିଭ ପ୍ରଦାନ କରିବା କଥା । କିନ୍ତୁ ଏପର୍ଯ୍ୟନ୍ତ ସିଜିନାଲ ଷ୍ଟାଫଙ୍କ ଦରମା ବୃଦ୍ଧି ହେଲା ନାହିଁ । ସର୍ବନିମ୍ନ ମଜୁରୀ ଚାରିବର୍ଷ ହେଲା ବୃଦ୍ଧି ହୋଇନାହିଁ । ଝିଅ ବାହାଘର, ଚିକିତ୍ସା ସହାୟତା, ଶିକ୍ଷା ସହାୟତା ସରକାର ବନ୍ଦ କରିଦେଇଛନ୍ତି । ଏହା ପୁଣି କେବେ ଲାଗୁ ହେବ ବୋଲି କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସମ୍ପାଦକ ପାଣିଗ୍ରାହୀ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କହିଛନ୍ତି ।

 
ଇଟିଭି ଭାରତ, ନୂଆପଡ଼ା

For All Latest Updates

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.