ବ୍ରହ୍ମପୁର/ଭୁବନେଶ୍ବର: 2024ରେ ଆସିନଥିଲେ ବିଦେଶୀ ଅତିଥି । ହେଲେ ବର୍ଷେ ପରେ 2025ରେ କରିଛନ୍ତି କମବ୍ୟାକ୍ । ବିଶ୍ୱାସ, ଭରସା ନେଇ କାହିଁ କେତେ ଦୂରରେ ଧାଇଁ ଆସିଛନ୍ତି ନିଜ ପରିବାର ବଂଶ ବୃଦ୍ଧି ପାଇଁ । ସୁବିସ୍ତୀର୍ଣ୍ଣ ବେଳାଭୂମିକୁ ନିଜର ରହଣିସ୍ଥଳ କରି ଦେଇଛନ୍ତି ଗଣ ଅଣ୍ଡାଦାନ । ଆଉ 45ରୁ 50 ଦିନ ପରେ ଅଣ୍ଡାରୁ ଫୁଟିବେ କୁନି କୁନି ବିଦେଶି ଅତିଥି । ଆମେ କହୁଛୁ ବିରଳ ପ୍ରଜାତିର ଅଲିଭ ରିଡଲେ କଇଁଛ କଥା । ଆସନ୍ତୁ ଜାଣିବା ଅଣ୍ଡାଦାନର ପୂରା ପ୍ରକ୍ରିୟା ।
ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ ଆରମ୍ଭ ହୋଇଯାଇଛି ଅଲିଭ ରିଡଲେ କଇଁଛଙ୍କ ଗଣ ଅଣ୍ଡାଦାନ । ମାଆ କଇଁଛମାନେ ଗଭୀର ସମୁଦ୍ରରୁ ଆସି ଋଷିକୂଲ୍ୟା ମୁହାଣରେ ଅଣ୍ଡା ଦେଇ, ଅଣ୍ଡାକୁ ବାଲିରେ ଘୋଡେଇ ପୁଣି ଥରେ ଫେରିଯାଉଛନ୍ତି ସମୁଦ୍ରକୁ । ଆଉ 45ରୁ 50 ଦିନ ପରେ ଅଣ୍ଡାରୁ ଛୁଆ ଫୁଟି ପୁଣି ସମୁଦ୍ର ଆଡକୁ ମୁହାଁଇବେ କୁନି କୁନି ସାମୁଦ୍ରିକ କଇଁଛ ଅଲିଭ ରିଡଲେ । ଆଉ ଏହି ବିଦେଶୀ ଅତିଥିଙ୍କ ଗଣ ଅଣ୍ଡାଦନକୁ ଗୁରୁତ୍ୱର ସହ ନେଇଛନ୍ତି ସରକାର । ହାତକୁ ନିଆଯାଇଛି ଏକାଧିକ ପଦକ୍ଷେପ । ଖାଲି ସେତିକି ନୁହେଁ, ଓଡିଶା ଉପକୂଳ ହେଉଛି ସମଗ୍ର ବିଶ୍ୱରେ ଅଲିଭ ରିଡ଼ଲେ କଇଁଛ ଗଣ ଅଣ୍ଡାଦାନ ପାଇଁ ସର୍ବୋତ୍ତମ ସ୍ଥାନ । ସାରା ବିଶ୍ୱରେ ଏତେ ମାତ୍ରରେ ବେଳାଭୂମି ଥିଲେ ମଧ୍ୟ ଓଡିଶା ଉପକୂଳକୁ ଅଣ୍ଡାଦନ ପାଇଁ ପସନ୍ଦ କରିଥାନ୍ତି ଅଲିଭ ରିଡ଼ଲେ କଇଁଛ ।
ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣରେ ଆରମ୍ଭ ହୋଇଯାଇଛି ବିରଳ ପ୍ରଜାତି ଅଲିଭ ରିଡଲେ କଇଁଛଙ୍କ ଗଣ ଅଣ୍ଡାଦାନ । ଗତ ରବିବାରଠାରୁ(ଫେବୃଆରୀ ୧୫ ତାରିଖ) ହଜାର ହଜାର ସଂଖ୍ୟାରେ ଅଲିଭ ରିଡଲେ କଇଁଛ ଆସି ଗଣ ଅଣ୍ଡାଦାନରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ବଙ୍ଗୋପସାଗରର ଗଭୀର ସମୁଦ୍ର ମଧ୍ୟରୁ ବାହାରି କଇଁଛମାନେ ବିଳମ୍ବିତ ରାତ଼୍ରରୁ ଋଷିକୂଲ୍ୟା ମୁହାଣରେ ପହଞ୍ଚି ଗଣ ଅଣ୍ଡାଦାନ କରିବା ପରେ ସୂର୍ଯ୍ୟୋଦୟ ହେବା ପରେ ପୁଣି ସମୁଦ୍ରକୁ ଚାଲି ଯାଉଥିବା ଦେଖିବାକୁ ମିଳିଛି । ଏହି ଅଣ୍ଡାଗୁଡିକ କିଭଳି ସୁରକ୍ଷିତ ଭାବରେ ବେଳାଭୂମିର ବାଲୁକାରାଶି ମଧ୍ୟରେ ରହିବ ? ସେଥିରୁ ଶିଶୁ ଶାବକ ଜନ୍ମ ନେଇ ଯେପରି ସମୁଦ୍ରରେ ସେମାନଙ୍କ ଯାତ୍ରା ଆରମ୍ଭ କରିବେ ? ସେ ନେଇ ବନବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଋଷିକୂଲ୍ୟା ମୁହାଣରେ ବିଦେଶୀ ଅତିଥିଙ୍କ ଗଣଅଣ୍ଡାଦାନ-
ଗଞ୍ଜାମ ଋଷିକୂଲ୍ୟା ମୁହାଣକୁ ଆସିଛନ୍ତି ବିରଳ ପ୍ରଜାତିର ଏହି ଅତିଥି କୁହାଯାଉଥିବା ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛ । ଯାହାକି ଏହି ଅତିଥିଙ୍କ ଗଣ ଅଣ୍ଡାଦାନକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗଞ୍ଜାମ ଜିଲ୍ଲାର ରଷିକୁଲ୍ୟା ନଦୀ ମୁହାଣ । ଗଭୀର ସମୁଦ୍ରରୁ ବିଳମ୍ବିତ ରାତିରେ ଋଷିକୂଲ୍ୟା ମୁହାଣକୁ ଉଠି ଆସିଥାନ୍ତି କଇଁଛ । ମୁଖ୍ୟତଃ ଗତ ନଭେମ୍ୱର ଓ ଡିସେମ୍ୱର ମାସରେ ଏହି ସମୁଦ୍ରିକ କଇଁଛମାନେ ନିଜର ସୁରକ୍ଷିତ ସ୍ଥାନ ଭାବରେ ଚାଲିଆସିଥାନ୍ତି ଗଞ୍ଜାମ ଉପକୂଳକୁ । ଦୀର୍ଘ ଦିନ ଧରି ବଙ୍ଗୋପସାଗରର ଗଭୀର ସମୁଦ୍ର ମଧ୍ୟରେ ଯୋଡା ଯୋଡା ହୋଇ ରହୁଥିବା କଇଁଛମାନେ ଦକ୍ଷିଣା ପବନକୁ ଅପେକ୍ଷା କରି ରହିଥାନ୍ତି । ନିଜର ଅନୁକୂଳ ପାଗକୁ ମିଳିବା ପରେ କଇଁଛମାନଙ୍କ ଏଭଳି ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଉଥିବା ବେଳେ ପ୍ରାୟ ଏକସପ୍ତାହରୁ ୧୦ ଦିନ ବା ଅଧିକା ଦିନ ଧରି ଚାଲିଥାଏ ଏହି ଗଣଅଣ୍ଡାଦାନ ।

କିପରି ଅଣ୍ଡାଦାନ କରିଥାନ୍ତି ଅଲିଭ ରିଡଲେ କଇଁଛ -
ଦକ୍ଷିଣା ପବନକୁ ଅପେକ୍ଷା କରି ରହିଥିବା ବିରଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଛ ଗଣ ଅଣ୍ଡାଦାନ ପାଇଁ ସେମାନଙ୍କ ଅନୁକୂଳ ପାଗକୁ ଅପେକ୍ଷା କରି ରହିଥାନ୍ତି । ଗଭୀର ସମୁଦ୍ର ମଧ୍ୟରୁ ବାହାରି ରଷିକୁଲ୍ୟା ନଦୀର ମୁହାଣର ବେଳାଭୂମିରେ ପହଞ୍ଚିବା ପରେ ନିଜର ପଛପଟେ ରହିଥିବା ଦୁଇ ଗୋଡ଼ରେ ବେଳାଭୂମିର ବାଲୁକାରାଶିରେ ପ୍ରାୟ ଦେଢ ପୁଟ ଗଭୀର ଭାବେ ଗାତ ଖୋଳିଥାନ୍ତି । ଏହାପରେ ପ୍ରତ୍ୟେକ ଅଲିଭ ରିଡଲେ କଇଁଛମାନେ ପ୍ରାୟ ୧୨୦ ରୁ ୧୬୦ ଗୋଟି ଅଣ୍ଡା ଦେଇଥାନ୍ତି । ଅଣ୍ଡା ଦେବା ପରେ ପୁଣି ନିଜର ପଛ ଗୋଡ଼ରେ ହିଁ ଅଣ୍ଡା ଭର୍ତ୍ତି ହୋଇ ରହିଥିବା ଗାତକୁ ପୋତି ଦେଇ ପୁଣି ଗୁରୁଣ୍ଡି ହୋଇ ସମୁଦ୍ରକୁ ଚାଲି ଯାଇଥାନ୍ତି । ପ୍ରତେକ କଇଁଛଙ୍କର ଅଣ୍ଡାଦାନ ସମୟ ପ୍ରାୟ ୪୫ ମିନିଟ୍ ବା ତାଠାରୁ ଅଧିକ ସମୟ ଲାଗୁଥିବା ଦେଖିବାକୁ ମିଳିଥାଏ ।

ଗୋଟିଏ ବର୍ଷ ବ୍ୟବଧାନରେ ଗଣଅଣ୍ଡାଦାନ-
ଗତବର୍ଷ ରଷିକୁଲ୍ୟା ମୁହାଣକୁ ବିରଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଛଙ୍କ ଆଗାମନ ହୋଇଥିଲେ ମଧ୍ୟ ସେମାନେ ଜଳବାୟୁର ପରିବର୍ତ୍ତନ ହେଉ ବା ଅନ୍ୟ କୌଣସି କାରଣ ପାଇଁ ଗଣ ଅଣ୍ଡାଦାନ ଦେଖିବାକୁ ମିଳିନଥିଲା । ଯାହାକି ଏହାକୁ ନେଇ ବନ ବିଭାଗଠାରୁ ଆରମ୍ଭ କରି ପରିବେଶବିତ୍ ଏବଂ ସ୍ଥାନୀୟ ଅଞ୍ଚଳର ମତ୍ସଜୀବୀଙ୍କ ସମେତ ଅନେକ ଚିନ୍ତା ପ୍ରକଟ କରିଥିଲେ । ଗୋଟିଏ ବର୍ଷ ବ୍ୟବଧାନରେ ପୁଣିଥରେ ଚଳିତବର୍ଷ ଦେଖାଦେଇଛି ଗଣ ଅଣ୍ଡାଦାନ ।

ଚଳିତବର୍ଷ ରେକର୍ଡ ସଂଖ୍ୟକ ଗଣଅଣ୍ଡାଦାନ ହେବ ବୋଲି ଆଶା ରଖିଛନ୍ତି ରଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତି ସମ୍ପାଦକ ରବିନ୍ଦ୍ରନାଥ ସାହୁ । ବନବିଭାଗର ତଥ୍ୟ ଅନୁଯାୟୀ ଗତ ୨୦୧୬-୧୭ ରେ ୩ ଲକ୍ଷ ୭୦ ହଜାର ଅଲିଭ ରିଡ଼ଲେ କଇଁଛ ଗଣ ଅଣ୍ଡାଦାନରେ ସାମିଲ ହୋଇଥିବା ବେଳେ, ୨୦୧୭ -୧୮ ରେ ୪ ଲକ୍ଷ ୮୨ ହଜାର , ୨୦୧୯-୨୦ ରେ ୩ ଲକ୍ଷ ୨୩ ହଜାର କଇଁଛ ଗଣ ଅଣ୍ଡାଦାନରେ ସାମିଲ ହୋଇଥିଲେ । ୨୦୨୦-୨୧ରେ ବହୁ କମ୍ ସଂଖ୍ୟକ କଇଁଛ ଅଣ୍ଡାଦାନ କରିଥିବା ବେଳେ ଗଣ ଅଣ୍ଡାଦାନ ହୋଇନଥିବା ବେଳେ ୨୦୨୨-୨୩ ମସିହାରେ ହୋଇଥିବା ଗଣଅଣ୍ଡାଦାନରେ ୫ ଲକ୍ଷ ୫୦ ହଜାର, ୨୦୨୩-୨୪ ମସିହାରେ ୬ ଲକ୍ଷ ୩୭ ହଜାର କଇଁଛ ଗଣ ଅଣ୍ଡାଦାନ କରିଥିଲେ । ୨୦୨୪-୨୫ରେ ଗଣ ଅଣ୍ଡାଦାନ ହୋଇନଥିଲା । ହେଲେ ଚଳିତବର୍ଷ ପୁଣି ଥରେ ଗଣ ଅଣ୍ଡାଦାନ ଆରମ୍ଭ ହୋଇଛି । ଗଣ ଅଣ୍ଡାଦାନ କିଭଳି ସୁରୁଖୁରୁରେ ହେବ ସେ ନେଇ ଗତ କିଛି ମାସ ହେଲା ବିଭିନ୍ନ ସଙ୍ଗଠନ ଠାରୁ ଆରମ୍ଭ କରି ସ୍ବେଚ୍ଛାସେବୀମାନଙ୍କ ପକ୍ଷରୁ ଋଷିକୂଲ୍ୟା ମୁହାଣକୁ ସଂପୂର୍ଣ୍ଣ ଭାବରେ ସଫେଇ କରାଯାଇଥିଲା । କଇଁଛମାନଙ୍କ ଗଣ ଅଣ୍ଡାଦାନଠାରୁ ଆରମ୍ଭ କରି ଅଣ୍ଡାରୁ ଛୁଆ ବାହାରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ସହଯୋଗ କରିଥାନ୍ତି ସ୍ଥାନୀୟ ଅଞ୍ଚଳର ମତ୍ସଜୀବୀଙ୍କଠାରୁ ଆରମ୍ଭ କରି ସ୍ବେଚ୍ଛାସେବୀ ମାନେ ।

କେଉଁ ବର୍ଷ କେତେ ଅଲିଭ ରିଡଲେ କଇଁଛଙ୍କ ଗଣ ଅଣ୍ଡାଦାନ ?
- ୨୦୧୬-୧୭- ୩, ୭୦,୦୦୦
- ୨୦୧୭ -୧୮- ୪,୮୨,୦୦୦
- ୨୦୧୯-୨୦- ୩,୨୩,୦୦୦
- ୨୦୨୦-୨୧- ଗଣ ଅଣ୍ଡାଦାନ ହୋଇନଥିଲା
- ୨୦୨୨-୨୩ - ୫,୫୦,୦୦୦
- ୨୦୨୩-୨୪- ୬,୩୭,୦୦୦
- ୨୦୨୪-୨୫- ଗଣ ଅଣ୍ଡାଦାନ ହୋଇନଥିଲା

ପୋଡ଼ାମପେଟାଠାରୁ ବଟେଶ୍ୱର ବେଳାଭୂମି ଉପରେ ବନବିଭାଗର ସ୍ୱତନ୍ତ୍ର ନଜର-
ରାଜ୍ୟର ତିନୋଟି ସ୍ଥାନକୁ ନିଜର ସୁରକ୍ଷିତସ୍ଥଳ ଭାବରେ ବାଛି ନେଇଥିବା ବିରଳ ପ୍ରଜାତିର ଅଲିଭ୍ ରିଡଲେ କଇଁଛମାନଙ୍କ ପ୍ରତ୍ୟେକ ବର୍ଷ ଆଗମନ ହେଉଥିବା ବେଳେ, " ଚଳିତବର୍ଷ ରାଜ୍ୟର ପ୍ରଥମ ଗଣଅଣ୍ଡାଦାନ ରଷିକୁଲ୍ୟା ମୁହାଣରେ ଆରମ୍ଭ ହୋଇଛି । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ବନ ବିଭାଗ ପକ୍ଷରୁ ଖଲ୍ଲିକୋଟ ରେଞ୍ଜର ରଷିକୁଲ୍ୟା ମୁହାଣାର ପୋଡାମପେଟାଠାରୁ ବଟେଶ୍ୱର ବେଳାଭୂମି ଉପରେ ବନବିଭାଗ ପକ୍ଷରୁ ସ୍ୱତନ୍ତ୍ର ନଜର ରଖାଯାଇଥିବା" କହିଛନ୍ତି ବ୍ରହ୍ମପୁର ବନଖଣ୍ଡର ଡିଏଫଓ ଶନି ଖୋଖର । ବନ ବିଭାଗ ପକ୍ଷରୁ ଏନେଇ ୨୪ ଘଣ୍ଟିଆ ପ୍ରେଟ୍ରୋଲିଂ କରାଯାଉଥିବା ବେଳେ ୧୫ ଦିନ ପୂର୍ବରୁ ବିଚ୍ ଫେନସିଙ୍ଗ୍ କରାଯାଇଛି । ଏପରିକି ଆର୍ଜିପଲ୍ଲୀଠାରୁ ପ୍ରାୟାଗୀ ପର୍ଯ୍ୟନ୍ତ ପ୍ରାୟ ୨୦ କିଲୋମିଟର ବେଳାଭୂମିକୁ ନୋ ଫିସିଙ୍ଗ୍ ଜୋନ୍ ଭାବରେ ଚିହ୍ନଟ କରାଯାଇଛି । ଏପରିକି ରଷିକୁଲ୍ୟା ମୁହାଣଠାରୁ ପ୍ରୟାଗୀ ପର୍ଯ୍ୟନ୍ତ ନୋ ପ୍ଲାଷ୍ଟିକ୍ ଜୋନ୍ କରାଯାଇଛି । ମୁଖ୍ୟତଃ ଅଲିଭ୍ ରିଡଲେ ଅଣ୍ଡାଦାନରେ ସାମିଲ ହେବାକୁ ରହିଥିବା ସଂପୂର୍ଣ୍ଣ ଅଞ୍ଚଳକୁ ୫୦ଟି ସେଗମେଣ୍ଟରେ ବିଭକ୍ତ କରାଯାଇଛି । ନିୟମିତ ଭାବେ ଦୁଇ ଜଣ ଲେଖାଏଁ ପ୍ରତ୍ୟେକ ସେଗମେଣ୍ଟରେ ପ୍ରାୟ ଶହେ ଜଣ କାର୍ଯ୍ୟ କରି ସଂପୂର୍ଣ୍ଣ ଭାବରେ କଇଁଛଙ୍କର ଗଣନାଠାରୁ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେଉଥିବା କୁହାଯାଇଛି । ଚଳିତବର୍ଷର ପ୍ରଥମ ଦିନରେ ୧୧୩୯୦ ଗୋଟି କଇଁଛ ଆସି ଗଣ ଅଣ୍ଡାଦାନ କରିଥିବା ବେଳେ ୨ୟ ଦିନରେ ୭୯ ହଜାର କଇଁଛ ଆସି ଗଣ ଅଣ୍ଡାଦାନରେ ସାମିଲ ହୋଇଛନ୍ତି ।

ଗଣ ଅଣ୍ଡାଦାନର ୩୨ ବର୍ଷର ରେକର୍ଡ ଭାଙ୍ଗିପାରେ -
ରଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତିର ସମ୍ପାଦକ ରବିନ୍ଦ୍ରନାଥ ସାହୁ 'ଇଟିଭି ଭାରତ' ସହିତ ଆଲୋଚନା ସମୟରେ କହିଛନ୍ତି, "ରଷିକୁଲ୍ୟା ମୁହାଣରେ ଚଳିତବର୍ଷର ଅଲିଭ୍ ରିଡଲେଙ୍କ ଗଣ ଅଣ୍ଡାଦାନ ଆରମ୍ଭ ହୋଇଛି । ଚଳିତଥର ଏହା ୩୨ ବର୍ଷର ଗଣ ଅଣ୍ଡାଦାନ ରେକର୍ଡ ଭାଙ୍ଗିବ । ମୁଖ୍ୟତଃ ଫେବୃଆରୀ ମାସର ଦ୍ୱିତୀୟ ସପ୍ତାହରୁ ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ଏହି ଗଣଅଣ୍ଡାଦାନେ ହେଉଥିବା ଦେଖାଯାଏ । ହେଲେ ଚଳିତବର୍ଷ ଏହି ଗଣଅଣ୍ଡାଦାନ ଆରମ୍ଭ ହୋଇଥିବାରୁ ଅଲିଭ୍ ରିଡଲେଙ୍କ ପ୍ରଥମ ପସନ୍ଦ ଗଞ୍ଜାମର ରଷିକୁଲ୍ୟା ମୁହାଣ ହୋଇଥିବା ଦେଖାଯାଇଛି । ଚଳିତବର୍ଷ ପରି ୨୦୧୭ ମସିହାରେ ମଧ୍ୟ ଅନୁରୂପ ଭାବରେ ଏହି ସମୟରେ ହିଁ ଗଣଅଣ୍ଡାଦାନ ହୋଇଥିଲା ଫେବୃୟାରୀ ୨ୟ ସପ୍ତାହ ପରେ । ଏଣୁ ଚଳିତଥର କଇଁଛମାନେ ରେକର୍ଡ ସଂଖ୍ୟାରେ ଗଣ ଅଣ୍ଡାଦାନ କରିବେ ।"
ପ୍ରଥମ ଦିନରେ ଡାଇନାମିକ୍ ବେଳାଭୂମିକୁ ଆସିଥିଲେ କଇଁଛ –
ରଷିକୁଲ୍ୟା ମୁହାଣରେ ଚଳିତବର୍ଷ ଆରମ୍ଭ ହୋଇଥିବା ଗଣ ଅଣ୍ଡାଦାନର ପ୍ରଥମ ଦିନରେ ରଷିକୁଲ୍ୟା ମୁହାଣର ନୂଆଁ ପୋଡାମପେଟା ନିକଟରେ ରହିଥିବା ଡାଇନାମିକ୍ ବେଳାଭୂମିକୁ ଆସିଥିଲେ କଇଁଛ ମାନେ । ଯାହାକି ସେହି ସ୍ଥାନରେ ପ୍ରଥମ ଗଣଅଣ୍ଡାଦାନ ଆରମ୍ଭ ହୋଇଥିଲା । ଯାହାକି ଦ୍ୱିତୀୟ ଦିନରେ ଅଳେଶ୍ୱର ପର୍ଯ୍ୟନ୍ତ ରହିଥିବା ୬ ରୁ ୭ କିଲୋମିଟର ବେଳାଭୂମିରେ ଅଣ୍ଡାଦାନ ହୋଇଛି । ଯାହାକି ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ଏହି ଅଣ୍ଡାଦାନ ପ୍ରକ୍ରିୟା ଜାରି ରହିବ । ଅଣ୍ଡାଦାନ ପରେ ବେଳାଭୂମିରେ ପ୍ରାୟ ୫୦ ଦିନ ପରେ ସେହି ଅଣ୍ଡାରୁ କୁନି ଶିଶୁ ଶାବକ ଜନ୍ମ ହେବା ପର୍ଯ୍ୟନ୍ତ ଯେଉଁ ସମୟ ଲାଗିବ ସେହି ଅଣ୍ଡାର ସୁରକ୍ଷା ଦାୟିତ୍ୱରେ ବନ ବିଭାଗର କର୍ମଚାରୀ ରହିବେ ।

"ଗତବର୍ଷ ଅଲିଭ ରିଡ଼ଲେ କଇଁଛଙ୍କ ଗଣ ଅଣ୍ଡାଦାନ ହୋଇନଥିବା ଯୋଗୁଁ ନିରାଶ ହୋଇଥିଲେ ପର୍ଯ୍ୟଟକ ମାନେ । ଯଦିଓ ପର୍ଯ୍ୟଟକ ମାନଙ୍କୁ କଇଁଛଙ୍କ ନିକଟକୁ ଛଡ଼ା ଯାଉନଥିଲା ତଥାପି ସେମାନେ ଦୂରରେ ରହି ଦେଖିଥିଲେ । ବର୍ତ୍ତମାନ ଚଳିତ ବର୍ଷ ପୁଣି ଥରେ କଇଁଛ ମାନେ ଗଣ ଅଣ୍ଡାଦାନ କରିଥିବା ଯୋଗୁଁ ପର୍ଯ୍ୟଟକ ମାନେ ଋଷିକୂଲ୍ୟା ମୁହାଣ ନିକଟକୁ ଆସି ଦୂରରେ ରହି କଇଁଛଙ୍କ ଅଣ୍ଡାଦାନକୁ ଦେଖୁଛନ୍ତି । ସେପଟେ କଇଁଛଙ୍କ ସୁରକ୍ଷିତ ଗଣ ଅଣ୍ଡାଦାନ ନିମନ୍ତେ ବନବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୋଡମପେଟାରୁ ପ୍ରୟାଗୀ ପର୍ଯ୍ୟନ୍ତ ଜାଲ ବିଛାଯାଇଛି । ଯାହାଫଳରେ କଇଁଛଙ୍କ ଅଣ୍ଡାକୁ କେହି ପଶୁ ନଷ୍ଟ କରିପାରିବେ ନାହିଁ । ପ୍ରାୟ ତିନି ମାସ ଧରି ଅଣ୍ଡା ଗୁଡିକୁ ସେଭଳି ବାଲି ମଧ୍ୟରେ ରହିବା ପରେ ସେଥିରୁ ଛୁଆ ବାହାରିବ । ଆଉ ଛୁଆ ବାହାରି ସମୁଦ୍ରକୁ ଯିବା ପର୍ଯ୍ୟନ୍ତ ବନବିଭାଗ ସେମାନଙ୍କ ସୁରକ୍ଷା ନିମନ୍ତେ ସମସ୍ତ ପ୍ରକାରର ବ୍ୟବସ୍ଥା କରିଛି," ବୋଲି କହିଛନ୍ତି ବ୍ରହ୍ମପୁର ଡିଏଫଓ ଶନି ଖୋଖର।

ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ଚିନ୍ତା-
- ହିଲର୍ ଦ୍ବୀପରେ କ୍ଷେପଣାସ୍ତ୍ର ପରୀକ୍ଷଣ ଏବଂ ଆଲୋକର ବ୍ୟବହାର ହ୍ରାସ
ଚଳିତ ବର୍ଷ ୨୬୧ କଇଁଛ ମୃତ
ପ୍ରତିବର୍ଷ ପରି ଚଳିତ ବର୍ଷ ସାମୁଦ୍ରିକ କଇଁଛ ଅଲିଭ୍ ରିଡଲେ ଅଣ୍ଡାଦେବା ପାଇଁ ଓଡ଼ିଶା ଉପକୂଳକୁ ଫେରିବା ପରେ ରାଜ୍ୟ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବାଲେଶ୍ଵରଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଅଞ୍ଚଳରେ ସେମାନଙ୍କ ସୁରକ୍ଷା ଓ ନିରାପଦ ଅଣ୍ଡାଦାନ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଜଙ୍ଗଲ ବିଭାଗ, ସାମୁଦ୍ରିକ ପୋଲିସ, ତଟରକ୍ଷୀ ବାହିନୀ, ମତ୍ସ୍ୟ ବିଭାଗ, ଜିଲ୍ଲା ପ୍ରଶାସନ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ସ୍ଥାନୀୟ ଗୋଷ୍ଠୀଙ୍କ ମିଳିତ ପ୍ରୟାସରେ ଆରମ୍ଭ ହୋଇଛି ସ୍ବତନ୍ତ୍ର ଅଭିଯାନ । ସମୁଦ୍ର କୁଳିଆ ଗ୍ରାମଗୁଡିକରେ ଅଲିଭ ରିଡଲେଙ୍କ ସୁରକ୍ଷା ସଂପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା, ସେମାନଙ୍କ ଅଣ୍ଡାଦାନ ଅଂଚଳକୁ ପରିଷ୍କାର କରାଯିବା ସହ ନିରାପଦ ଅଣ୍ଡାଦାନକୁ ସୁନିଶ୍ଚିଚ କରାଯାଉଛି ।

ଉପକୂଳରେ ପାଟ୍ରୋଲିଂ:
ଏଥରେ ଉପକୂଳବର୍ତ୍ତୀ ଅଞ୍ଚଳରେ ନିୟମିତ ପାଟ୍ରୋଲିଂ କରାଯାଉଛି । ଲୁଣା ଜଙ୍ଗଲ ବନ୍ୟପ୍ରାଣୀ ବନଖଣ୍ଡ, ରାଜନଗର ପକ୍ଷରୁ ସହାୟତା ନିମନ୍ତେ ଚାରୋଟି ଡଙ୍ଗା ଭଡ଼ାରେ ଆସିଥିବା
ବେଳେ ବନ ବିଭାଗର ଗୋଟିଏ ଟ୍ରଲର (ଏମ୍ ଏଲ୍ ଅଲିଭିଆ) ଏବଂ ଡିପିସିଏଲ୍ ଦ୍ବାରା ଯୋଗାଇ ଦିଆଯାଇଥିବା ଏକ ଟ୍ରଲରକୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। ବାଲେଶ୍ବର ଜଙ୍ଗଲ ବିଭାଗ ପକ୍ଷରୁ ଡାଗରାରୁ ବାହବଳପୁର ପର୍ଯ୍ୟନ୍ତ ଉପକୂଳ ନିରୀକ୍ଷଣରେ ଦୁଇଟି ପେଟ୍ରୋଲ ଡଙ୍ଗା ନିୟୋଜିତ ହୋଇଛି । ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଧାମରା ଏବଂ ଚାନ୍ଦବାଲି ଉପକୂଳରେ ବନ ବିଭାଗର ଏକ ଦ୍ରୁତ ଏବଂ ମୋଟର ଚାଳିତ କାଠ ବୋଟ ଯୋଗେ ପାଟ୍ରୋଲିଂ କରାଯାଉଛି । ପୁରୀ ପକ୍ଷରୁ ଚନ୍ଦ୍ରଭାଗାଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ଉପକୂଳରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଯୋଗାଇ ଦିଆଯାଇଥିବା ସିଡବୋଟରେ ପାଟ୍ରୋଲିଂ କରାଯାଉଛି।
ମିଳିତ ସାମୁଦ୍ରିକ ପାଟ୍ରୋଲିଂ-
ବାଲେଶ୍ବର ଜଙ୍ଗଲ ବିଭାଗ ପକ୍ଷରୁ ଡାଗରାରୁ ବାହବଳପୁର ପର୍ଯ୍ୟନ୍ତ ଉପକୂଳ ନିରୀକ୍ଷଣରେ ଦୁଇଟି ପେଟ୍ରୋଲ ଡଙ୍ଗା ନିଯୋଜିତ ହୋଇଛି । ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଧାମରା ଏବଂ ଚାନ୍ଦବାଲି ଉପକୂଳରେ ବନ ବିଭାଗର ଏକ ଦ୍ରୁତ ମୋଟର ବୋଟ ଏବଂ ମୋଟର ଚାଳିତ କାଠ ବୋଟ ଯୋଗେ ପାଟ୍ରୋଲିଂ କରାଯାଉଛି । ପୁରୀ ପକ୍ଷରୁ ଚନ୍ଦ୍ରଭାଗାଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ଉପକୂଳରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ମତ୍ସ୍ୟ ବିଭାଗ ଦ୍ବାରା ଯୋଗାଇ ଦିଆଯାଇଥବା ସିଡବୋଟ୍ ରେ ପାଟ୍ରୋଲିଂ କରାଯାଉଛି । ସମୁଦ୍ର ଭିତରେ ସାମୁଦ୍ରିକ ପୋଲିସ, ମତ୍ସ୍ୟ ବିଭାଗ ଏବଂ ତଟରକ୍ଷୀ ବାହିନୀ ସହଯୋଗରେ ଦୈନିକ ମିଳିତ ପାଟ୍ରୋଲିଂ କରାଯାଉଛି । ବାବୁବାଲି, ମାଡେଲି, ଧାମରା ଏବଂ ଦେବୀ ନଦୀ ମୁହାଣରେ ପାଟ୍ରୋଲିଂ ଅଫଶୋର କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି।

ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା-
ନିରବଚ୍ଛିନ୍ନ କଇଁଛ ସୁରକ୍ଷା ତଥା ଅଣ୍ଡାଦାନ ପ୍ରକ୍ରିୟାକୁ ନିଶ୍ଚିତ କରିବା ପାଇଁ ୬ଟି ବନଖଣ୍ଡରେ 2ଟି ଅନସୋର ଓ 5ଟି ଅଫସୋର କଇଁଛ ସୁରକ୍ଷା ଶିବିର ସ୍ଥାପନ କରାଯାଇଛି । ସେଗୁଡିକ ହେଲା-
ବ୍ରହ୍ମପୁର ଜଙ୍ଗଲ ବିଭାଗ 11ଟି ଶିବିର (ଗୋଖରକୁଦା, ପୋଡମପେଟା ଓ ଋଷିକୂଲ୍ୟା ପର୍ଯ୍ୟନ୍ତ)
ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ୫ଟି ଶିବିର (ନନ୍ଦଳା, ଅରଖକୁଦା, ସାତପଡ଼ା ପର୍ଯ୍ୟନ୍ତ)
ରାଜନଗର ହେନ୍ତାଳ ବଣ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ 17ଟି ଶିବିର (ଗହିରମଥା, ହାବେଳି ଖଟି ଏବଂ ଏକାକୁଲା ସହିତ)
ବାଲେଶ୍ବର ଜଙ୍ଗଲ ବିଭାଗ ପକ୍ଷରୁ 10ଟି ଶିବିର (ଡଗରା, କୀର୍ତ୍ତନିଆ ଓ ବାହବଳପୁର)
ଭଦ୍ରକ ଜଙ୍ଗଲ ବିଭାଗ ପକ୍ଷରୁ ଶିବିର (ଧାମରାରୁ ଚାନ୍ଦବାଲି ପର୍ଯ୍ୟନ୍ତ)
ପୁରୀ ଜଙ୍ଗଲ ବିଭାଗ ପକ୍ଷରୁ 15ଟି ଶିବିର (ଅସ୍ତରଙ୍ଗଠାରୁ ଆରମ୍ଭ କରି ଦେବୀ ନଦୀ ମୁହାଣ ପର୍ଯ୍ୟନ୍ତ)
Nature’s wonder at Podampeta Beach! Thousands of Olive Ridley turtles return home for mass nesting—a breathtaking cycle of life and resilience. @CMO_Odisha@IPR_Odisha
— Collector & District Magistrate, Ganjam (@Ganjam_Admin) February 18, 2025
#OliveRidley #MassNesting #Ganjam #IncredibleIndia pic.twitter.com/xmebOgVOg2
ଏହି ଶିବିରଗୁଡ଼ିକ କଇଁଛମାନଙ୍କର ଗତିବିଧି ତଥା ଅଣ୍ଡାଦାନ ପକ୍ରୀୟା ଉପରେ ନଜର ରଖିବା, ବିଶୃଙ୍ଖଳାକୁ ରୋକିବା ଏବଂ ଶିକାରୀ ତଥା ବୁଲା କୁକୁର ମାନଙ୍କ ଦ୍ବାରା ଉପୁଜୁଥିବା ସମ୍ଭାବ୍ୟ ବିପଦର ମୁକାବିଲା କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛନ୍ତି । ଏହାବ୍ୟତୀତ, ବ୍ରହ୍ମପୁର ଡିଭିଜନରେ 5 କିଲୋମିଟର ବ୍ୟାପୀ ବେଳାଭୂମିରେ ଅସ୍ଥାୟୀ ତାର ବାଡ଼ ଲଗାଯାଇଛି, ଯାହାଦ୍ବାରା ଅଣ୍ଡାଦାନ ନିମନ୍ତେ ଉଦ୍ଧୃତ ଅଞ୍ଚଳକୁ ମାନବ ଏବଂ ପଶୁଙ୍କ ପ୍ରବେଶରୁ ରକ୍ଷା କରାଯାଇପାରୁଛି । ଏହା ସହିତ ପର୍ଯ୍ୟଟକଙ୍କ ଗତିବିଧିକୁ ନିୟନ୍ତ୍ରଣ କରିବା ଏବଂ ଅନାବଶ୍ୟକ ବିଶୃଙ୍ଖଳାକୁ ରୋକିବା ପାଇଁ ଗୋଖରକୁଦା ଏବଂ ପୋଡାମପେଟା ନିକଟରେ ଫାଟକ ନିର୍ମାଣ କରାଯାଇଛି ।
ନିରାପଦ ଅଣ୍ଡାଦନ ପାଇଁ ବ୍ୟାପକ ଭିତ୍ତିଭୂମି ସୃଷ୍ଟି ସହ ବେଳାଭୂମି ସଫେଇ-
ଉପକୂଳବର୍ତ୍ତୀ ବେଳାଭୂମି, ଯେଉଁଠାରେ ଅଲିଭ୍ ରିଡଲେମାନେ କୂଳକୁ ଆସି ବସା ବାନ୍ଧିଥାନ୍ତି, ସେଗୁଡ଼ିକୁ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ, ମାଛଧରା ଜାଲ ଏବଂ ଅନ୍ୟାନ୍ୟ ଭଗ୍ନାବଶେଷ ହଟାଇବା ପାଇଁ ବ୍ୟବସ୍ଥିତ ଭାବେ ସଫା କରାଯାଇଛି । ବ୍ରହ୍ମପୁର ଜଙ୍ଗଲ ବିଭାଗ ପକ୍ଷରୁ ଗୋପାଳପୁର, ମାର୍କୋଣ୍ଡି ଏବଂ ପୋଡାମପେଟା ପର୍ଯ୍ୟନ୍ତ ଅଲିଭ ରିଡଲେଙ୍କର ହଟସ୍ପଟ୍ କୁହାଯାଉଥିବା 5 କିଲୋମିଟର ବ୍ୟାପି ବେଳାଭୂମି ସଫା କରାଯାଇଛି ।
#OliveRidley turtles have started arriving in large numbers for yet another nature's grand spectacle along the #Odisha’s coast. As amazing #OliveRidleys arrive for the annual arribada, urge everyone to make collective efforts to conserve the endangered species by protecting their… pic.twitter.com/FY9dwbrTKQ
— Naveen Patnaik (@Naveen_Odisha) February 18, 2025
ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କଇଁଛ ବସା ବାନ୍ଧୁଥିବା ରମ୍ଭାଠାରୁ ଆରମ୍ଭ କରି ନନ୍ଦଳା, ଚିଲିକା, ସାତପଡା, ଅରଖକୁଦା ପର୍ଯ୍ୟନ୍ତ 60 କିଲୋମିଟର ବ୍ୟାପୀ ବେଳାଭୂମି ଅଂଚଳରେ ବଡ଼ ଧରଣର ସଫେଇ କରାଯାଇଛି । ରାଜନଗର ହେନ୍ତାଳ ବଣ ବିଭାଗ (ବନ୍ୟପ୍ରାଣୀ) ଚିଞ୍ଚିରିଠାରୁ ସାତଭାୟା ଏବଂ ସତଭାୟାଠାରୁ ହାବେଳି ଖାଟି ମଧ୍ୟରେ ଆବର୍ଜନା ମୁକ୍ତ ବାସସ୍ଥଳୀ ସୁନିଶ୍ଚିତ କରିବା ଲାଗି 2.5 କିମି ସଫେଇ କାର୍ଯ୍ୟ କରାଯାଇଥିବା ବେଳେ ବାଲେଶ୍ବର ଜଙ୍ଗଲ ବିଭାଗ ପକ୍ଷରୁ ୫ କିମି ବେଳାଭୂମି ସଫା କରାଯାଇଛି । ସେହିପରି ଭଦ୍ରକ ଜଙ୍ଗଲ ବିଭାଗ ପକ୍ଷରୁ 6 କିମି ଏବଂ ପୁରୀ ଜଙ୍ଗଲ ବିଭାଗ ପକ୍ଷରୁ 5 କିମି ଉପକୂଳ ବେଳାଭୂମି ସଫେଇ କରାଯାଇଛି ।
କୃତ୍ରିମ ହ୍ୟାଚେରୀ ଏବଂ କଇଁଛ ଅଣ୍ଡା ସୁରକ୍ଷା-
ପ୍ରାକୃତିକ ଦୁର୍ବିପାକ, ଶିକାରୀ ଏବଂ ଲୋକମାନଙ୍କ କବଳରୁ କଇଁଛ ଅଣ୍ଡାଗୁଡିକୁ ରକ୍ଷା କରିବା ପାଇଁ ବ୍ରହ୍ମପୁର ଏବଂ ରାଜନଗରରେ ଛଅଗୋଟି କୃତ୍ରିମ ହ୍ୟାଚେରୀ କରାଯାଇଛି । ଗହୀରମଥାରେ ଅତିରିକ୍ତ ଅସ୍ଥାୟୀ ହ୍ୟାଚେରୀ ନିର୍ମାଣ କରାଯାଇଛି । ଫେବୃଆରୀ 7, 2025 ସୁଦ୍ଧା, 25 ଟି ଅଣ୍ଡାଦାନ କ୍ଷେତ୍ରରୁ ମୋଟ 2,854 ଟି ଅଣ୍ଡା ସଂଗ୍ରହ କରାଯାଇଛି ଏବଂ ସେଗୁଡିକୁ ଯତ୍ନ ସହକାରେ ଇନକ୍ୟୁବେଟ କରାଯାଉଛି ।
କଇଁଛ ମୃତ୍ୟୁ ଏକ ପ୍ରମୁଖ କାରଣ-
ଉପରୋକ୍ତ ସଂରକ୍ଷଣ ପ୍ରୟାସ ସତ୍ତ୍ୱେ, କଇଁଛ ମୃତ୍ୟୁହାର ଏକ ଚିନ୍ତାର ବିଷୟ ହୋଇ ରହିଛି । ତିନୋଟି ଡିଭିଜନରେ ଚଳିତ ଋତୁରେ ଏର୍ଯ୍ୟନ୍ତ 261 ଗୋଟି କଇଁଛଙ୍କର ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି । ଏହାର କାରଣଗୁଡ଼ିକ ମଧ୍ୟରେ ମାଛଧରା ଜାଲରେ ଆକହିକ ଭାବରେ ଫଶିବା ଏବଂ ଶିକାର ଇତ୍ୟାଦି ଅନ୍ୟତମ । ଜଙ୍ଗଲ ବିଭାଗ, ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ସହାୟତାରେ, ବେଳାଭୂମିର ସ୍ବଚ୍ଛତା ବଜାୟ ରଖିବା ଏବଂ ପ୍ରଦୂଷଣକୁ ରୋଳିବା ପାଇଁ ମୃତ କଇଁଛଙ୍କ ମୃତଦେହକୁ ବ୍ୟବସ୍ଥିତ ଢଙ୍ଗରେ ପୋତିଦିଆ ଯିବାର ବ୍ୟବସ୍ଥା କରାଯାଇଛି । ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ (ସମୁଦ୍ର)ରେ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଅଛି ଏବଂ ଅଲିଭରିଚଲେ କଇଁଛଙ୍କ ସଂଗମସ୍ଥଳ ମଧ୍ଯରେ ବେଆଇନ ଭାବେ ବିଭିନ୍ନ ସମୟରେ ମାଛ ମାରୁଥିବା 16ଟି ଟ୍ରଲରକୁ ଜବତ କରାଯିବା ସହ 166 ଜଣଙ୍କୁ ଗିରଫ କରାଯାଇଛି।
ଗଞ୍ଜାମରୁ ସମୀର ଆଚାର୍ଯ୍ୟ ଏବଂ ଭୁବନେଶ୍ବରରୁ ବିକାଶ ଦାସଙ୍କ ରିପୋର୍ଟ, ଇଟିଭି ଭାରତ