ବିଦାୟ ନେଉଛନ୍ତି ଅଗ୍ରପୂଜ୍ୟ ଗଣପତି, ଆଧୁନିକ ବାଜାରେ କମ୍ପୁଛି କେନ୍ଦ୍ରାପଡା - ବିଘ୍ନ ବିନାଶକ ଅଗ୍ରପୂଜ୍ୟଙ୍କ ଭସାଣ
🎬 Watch Now: Feature Video
Published : Sep 24, 2023, 7:53 PM IST
କେନ୍ଦ୍ରାପଡ଼ା: ବିଘ୍ନ ବିନାଶକ ଅଗ୍ରପୂଜ୍ୟଙ୍କ ଭସାଣ ଓ ମେଲଣ ଉତ୍ସବ ପାଇଁ ଚଳଚଞ୍ଚଳ ସହର । ଗତ ମଙ୍ଗଳବାର ଠାରୁ ୬ଦିନ ଧରି ସହରର ୨୯ଟି ମଣ୍ଡପରେ ପୂଜା ପାଉଥିବା ଗଜାନନ ଗଣେଶଙ୍କ ଭସାଣ ଉତ୍ସବ ଆଜି ପୂର୍ବାହ୍ନ ୧୦ ଟାରୁ ଆରମ୍ଭ ହୋଇଛି । ସମସ୍ତ ମେଢ ଅପରାହ୍ନ ୫ଟା ସୁଦ୍ଧା ପୁରୁଣା ବସଷ୍ଟାଣ୍ଡର ମେଲଣ ପଡ଼ିଆରେ ପହଞ୍ଚିଛି । ଏହି ଭସାଣ କାର୍ଯ୍ୟକ୍ରମ ରାତି ୧୦ଟା ସୁଦ୍ଧା ଶେଷ କରିବା ପାଇଁ ନିର୍ଦ୍ଦେଶ ରହିଥିବାରୁ ଗଣେଶ ପୂଜା ସମନ୍ବୟ ସମିତି ସମସ୍ତ ପୂଜା ମଣ୍ଡପର କର୍ମକର୍ତ୍ତାଙ୍କୁ ଦିଆଯାଇଥିବା ସମୟ ମଧ୍ୟରେ ଭସାଣ କାର୍ଯ୍ୟକ୍ରମ ଶେଷ କରିବାକୁ ଅନୁରୋଧ କରିଛନ୍ତି ।
ଏହି ଭସାଣକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ୯ ପ୍ଲାଟୁନ ପୋଲିସ ଫୋର୍ସ,୧୫ଜଣ ଇନସିପେକ୍ଟର, ଜଣେ ଏଏସପି, ୫ଜଣ ଡିଏସପି ଓ ନିଜେ ଆରକ୍ଷୀ ଅଧିକ୍ଷକ ପୂଜାର ଭସାଣ ଉତ୍ସବରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏହି ଭସାଣ କାର୍ଯ୍ୟକ୍ରମରେ ଜିଲ୍ଲା ଓ ରାଜ୍ୟର ବହୁ ନାମିଦାମି ବାଦ୍ୟଯନ୍ତ୍ର ପାର୍ଟି ଯୋଗ ଦେଇଥିବା ବେଳେ ପାରମ୍ପରିକ ବାଦ୍ୟ ପାର୍ଟି ସେମାନଙ୍କର ଜଲୱା ଦେଖାଉଛନ୍ତି ।
ଏହା ବି ପଢନ୍ତୁ- କାଳ ପାଲଟିଲା ଭସାଣ ଉତ୍ସବ, ବାଣ ବିସ୍ଫୋରଣରେ ଆହତ ହେଲେ ଦେଖଣାହାରୀ
ମଦ୍ୟପ ଓ ଅସାମାଜିକ ବ୍ୟକ୍ତିମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ସ୍ପେଶାଲ ସ୍କ୍ବାର୍ଡ ବ୍ୟବସ୍ଥା କରାଯାଇଛି । ସେହିଭଳି ସାଦା ପୋଷାକରେ ପୋଲିସ ମୁତୟନ ହୋଇଛନ୍ତି । ସହରର ୪ଟି ସ୍ଥାନରେ ଅସ୍ଥାୟୀ ପୋଲିସ ବିଟ ହାଉସ ପ୍ରତିଷ୍ଠା କରାଯାଇ କଡା ନଜର ରଖାଯାଇଛି ବୋଲି ସୂଚନା ଦେଇଛନ୍ତି ଆଡିସନାଲ ଏସପି । ୧୯୯୯ ମସିହାରୁ ଏହି ଭସାଣ ଓ ମେଳଣ ଉତ୍ସବ ଚାଲି ଆସୁଥିବା ବେଳେ ଆଗକୁ ଗଣପର୍ବ ଥିବାରୁ ଗଣନାଥଙ୍କ ଏହି ପୂଜୋତ୍ସଵ ପାଇଁ ଛାତ୍ରଛାତ୍ରୀ ଓ ଯୁବକମାନେ ଆର୍ଥିକ ସାହାଯ୍ୟ କରିଥାନ୍ତି ।
ଇଟିଭି ଭାରତ, କେନ୍ଦ୍ରାପଡ଼ା