Bahanaga Train Tragedy: ଦ୍ବାଦଶ କ୍ରିୟା ସମ୍ପନ୍ନ, ମୃତକଙ୍କ ଉଦ୍ଦେଶ୍ୟରେ ୫୦୦୮ ଦୀପ ଦାନ - ଦୀପ ଦାନ
🎬 Watch Now: Feature Video
ବାଲେଶ୍ବର: ବାହାନଗା ରେଳ ଦୁର୍ଘଟଣାକୁ ଆଜି ୧୨ ଦିନ ପୁରିଛି । ଆଜି ଦ୍ବାଦଶ କ୍ରିୟା କର୍ମରେ ସକାଳେ ୧୦୮ କଳସ ଶୋଭାଯାତ୍ରା ସହ ସନ୍ଧ୍ୟାରେ ୫୦୦୮ ଦୀପ ଦାନ କରାଯାଇଛି। ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ବାହାନଗାଠାରେ ସବୁ ବର୍ଗର ଲୋକମାନେ ଏକାଠି ହୋଇ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମୃତକମାନଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ ଦଶାହ, ଏକାଦଶାହ କର୍ମ ପରେ ମଙ୍ଗଳବାର ଦ୍ଵାଦଶ କ୍ରିୟା କରାଯାଇଛି।
ଦଶାହ କର୍ମରେ ସମସ୍ତ ରୀତିନୀତି ଅନୁସାରେ ୧୩୦ଜଣ ଲଣ୍ଡା ହୋଇଥିବା ବେଳେ ଏକାଦଶାହରେ ବିଶ୍ବଶାନ୍ତି ମହାଯଜ୍ଞ ସାଙ୍ଗକୁ ସର୍ଵଧର୍ମ ସମନ୍ବୟ ସାମୁହିକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ସେହିପରି ଆଜି ଦ୍ଵାଦଶ କ୍ରିୟା କର୍ମରେ କଳସ ଶୋଭାଯାତ୍ରା ସାଙ୍ଗକୁ ଦୀପଦାନ କରାଯାଇଛି। କଳସ ଶୋଭାଯାତ୍ରା ସ୍କୁଲ ପଡିଆରୁ ବାହାରି ଗୋସେଇଁ ପୋଖରୀ ଯାଏଁ ଯାଇ ସେଠାରେ କଳସ ବୁଡାଇ ପୁଣି ଯଜ୍ଞ ମଣ୍ଡପକୁ ଫେରିଥିଲେ । ସେହିପରି ସନ୍ଧ୍ୟାରେ ୫୦୦୮ ଦୀପଦାନ କରାଯାଇଛି । ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସତ୍ତ୍ବେ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହା ବି ପଢନ୍ତୁ- 11days of Train Tragedy: ସେଦିନ ଶୁଭୁଥିଲା ଆର୍ତ୍ତ ଚିତ୍କାର, ଆଜି ଶୁଭୁଛି ହରିନାମ
ସୂଚନା ଥାଉ କି ଏକାଦଶାହ କାର୍ଯ୍ୟରେ ସର୍ଵଧର୍ମ ସମନ୍ଵୟରେ ପ୍ରାର୍ଥନା, ଯଜ୍ଞ, ହୋମ, ଆଦି ଅନୁଷ୍ଠିତ ହୋଇଥିଲା । ମୁସଲିମ ସମ୍ପ୍ରଦାୟର ମୌଲାନାମାନଙ୍କ ଦ୍ବାରା କୋରାନ ପାଠ କରାଯାଇଥିଲା । ସେହିପରି ଖ୍ରୀଷ୍ଟିଆନ ସମ୍ପ୍ରଦାୟ ପକ୍ଷରୁ ଈଶ୍ବରଙ୍କ ପାଖରେ ମୃତକଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରାଯାଇଥଲା । ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଫାଦରମାନେ ପ୍ରାର୍ଥନାରେ ଯୋଗ ଦେଇଥିଲେ। ସେହିପରି ବାହାନଗା ଅଞ୍ଚଳରେ ଧାର୍ମିକ ପରିବେଶ ସୃଷ୍ଟି ଲାଗି ବାହାନଗା, ସୋର ଅଞ୍ଚଳବାସୀ ଓ ବାଲେଶ୍ବର ସାମାଜିକ ସଂଗଠନର କର୍ମକର୍ତ୍ତା ସକାଳ ୫ଟାଠାରୁ ବିଶ୍ବଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଥିଲା । ଯେଉଁଥିରେ ସବୁ ବର୍ଗର ଲୋକମାନେ ସାମିଲ ହୋଇ ଏକ ଆଧ୍ୟାତ୍ମିକ ପରିବେଶ ଭିତରେ ମୃତକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଇଟିଭି ଭାରତ, ବାଲେଶ୍ବର