କୋର୍ଟରେ ମୁହଁ ଖୋଲିଲେ ଅର୍ଚ୍ଚନା, ଗଣମାଧ୍ୟମକୁ ଦେଲେ ବିସ୍ଫୋରକ ବୟାନ
🎬 Watch Now: Feature Video
ଭୁବନେଶ୍ବର: କୋର୍ଟରେ ହାଜର ବେଳେ ମୁହଁ ଖୋଲିଛନ୍ତି ଅର୍ଚ୍ଚନା ନାଗ । କୋର୍ଟ ଭିତରେ ଓ ବାହାରେ ମଧ୍ୟ ମୁହଁ ଖୋଲି ଅନେକ ବିସ୍ଫୋରକ କଥା କହିଛନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ପ୍ରଥମେ କୋର୍ଟ ଭିତରେ ଶ୍ରଦ୍ଧାଞ୍ଜଳିଙ୍କୁ ଟାର୍ଗେଟ କରିଥିଲେ ଅର୍ଚ୍ଚନା । ତାଙ୍କ ପାଇଁ ଆଉ ଶ୍ରଦ୍ଧାଞ୍ଜଳି ପାଇଁ ଆଇନ ସମାନ କି ନାହିଁ ବୋଲି ଜଜଙ୍କୁ ପ୍ରଶ୍ନ କରିବା ସହିତ କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରି ଶ୍ରଦ୍ଧାଞ୍ଜଳି ହାଜର ହେଉନଥିବାରୁ ଏନେଇ କିଛି ପଦକ୍ଷେପ ନେବାକୁ ଜଜଙ୍କୁ ଅନୁରୋଧ କରିଥିଲେ ଅର୍ଚ୍ଚନା । ଆଉ କୋର୍ଟରୁ ବାହାରି ମଧ୍ୟ ଗଣମାଧ୍ୟମ ଆଗରେ ଅନେକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଏହି ଚର୍ଚ୍ଚିତ ମହିଳା ।
ଆଜି EDର PMLA କେସ ଆଧାରରେ ଭୁବନେଶ୍ବର CBI କୋର୍ଟରେ ହାଜର ହୋଇଥିଲେ ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ । ଓଲ୍ଡ ଟାଉନର ଜଣେ ଲୁଗା ବ୍ୟବସାୟୀଙ୍କ ନାଁ ନେଇ ତାଙ୍କ ସହିତ ଶ୍ରଦ୍ଧାଞ୍ଜଳି ହନିମୁନ ଯାଇଥିବା କହିଛନ୍ତି ଅର୍ଚ୍ଚନା । ଏପରିକି ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁ ନେଇ ସେ ୨୩ ବର୍ଷର ଝିଅ ସହ ହୋଟେଲକୁ ଯାଇଥିବା କହିବା ସହ କିଏ ଶ୍ରଦ୍ଧାଞ୍ଜଳିଙ୍କୁ ଘଣ୍ଟ ଘୋଡାଉଛି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ତେବେ ପୋଲିସ ତାଙ୍କୁ ଅତ୍ୟାଚାର କରୁଛି କି ପ୍ରଶ୍ନରେ ସେ କହିଛନ୍ତି, "ଆପଣମାନେ ଜାଣିପାରୁଥିବେ ।" ତେବେ ଏଭଳି କିଛି ଚାଞ୍ଚଲ୍ୟକର ବୟାନ ଅର୍ଚ୍ଚନା କହିବାକୁ ଚାହୁଁଥିବା ବେଳେ ପୋଲିସ ତାଙ୍କୁ ଘଉଡ଼ାଇ ନେଇଥିଲା ।
ତେବେ ଅର୍ଚ୍ଚନାଙ୍କ ଏଭଳି ମନ୍ତବ୍ୟ ପରେ ଏବେ ଏହାକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କିଏ ସେହି ଲୁଗା ବ୍ୟବସାୟୀ ଏବଂ ଶ୍ରଦ୍ଧାଞ୍ଜଳିଙ୍କ ସହ ତାଙ୍କର କଣ ରହିଛି ସମ୍ପର୍କ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ । ଯେହେତୁ ଖଣ୍ଡଗିରି କେସରେ ଅର୍ଚ୍ଚନା ଅଭିଯୋଗକାରୀ, ତେଣୁ ଏହା ପଛରେ କିଏ ଷଡ଼ଯନ୍ତ୍ରକାରୀ ଯାହାଙ୍କୁ ନିଶାନା କରି ଅର୍ଚ୍ଚନା ଏଭଳି ପ୍ରଶ୍ନ କରିଥିଲେ । ସେପଟେ ଅର୍ଚ୍ଚନା ଆହୁରି ଅନେକ କିଛି କହିବାକୁ ଚାହୁଁଥିବା ବେଳେ ପୋଲିସ ତାଙ୍କୁ କହିବାକୁ ଦେଇନଥିଲା ।
ଇଟିଭି ଭାରତ, ଭୁବନେଶ୍ବର