ବିଭିନ୍ନ ଦାବି ନେଇ କେନ୍ଦୁପତ୍ର ତୋଳାଳିଙ୍କ ବିକ୍ଷୋଭ - କେନ୍ଦୁପତ୍ର ତୋଳାଳିଙ୍କ ବିକ୍ଷୋଭ ପ୍ରଦର୍ଶନ
🎬 Watch Now: Feature Video
ଦେବଗଡ: ବିଭିନ୍ନ ଦାବି ନେଇ ପୁଣି ରାସ୍ତାକୁ ଓହ୍ଲାଇଲେ କେନ୍ଦୁପତ୍ର ତୋଳାଳି । ଦେବଗଡରେ ଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ଘେରାଉ କଲେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ । କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ ପ୍ରଦାନ, କେଏଲଡିବି ବୈଠକ ଆୟୋଜନ, କନ୍ୟା ବିବାହ ଆର୍ଥିକ ସହାୟତା ପ୍ରଦାନ, କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ଭଳି ବିଭିନ୍ନ ଦାବି ନେଇ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଶତାଧିକ ମହିଳା ଓ ପୁରୁଷ କେନ୍ଦୁପତ୍ର ତୋଳାଳି ଏଥିରେ ସାମିଲ ହୋଇଥିଲେ । ସଂଘର ରାଜ୍ୟ ସଭାପତି ବିଜୟ କୁମାର ମହାନ୍ତି ଓ ସଂପାଦକ ମହମ୍ମଦ ମୃତ୍ତୁଜାଙ୍କ ନେତୃତ୍ଵରେ ପ୍ରଥମେ ଦେବଗଡ ସହର ଗୋପାଳଜୀଉ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା । ସଂଘ ପକ୍ଷରୁ ରାଜ୍ୟର 22ଟି ଜିଲ୍ଲାର 19ଟି ଡିଭିଜନରେ ଏଭଳି ବିକ୍ଷୋଭ ପ୍ରଦର୍ଶନ ପର୍ଯ୍ୟାୟ କ୍ରମେ କରାଯିବ ବୋଲି ସୂଚନା ଦିଆଯାଇଛି । ସାଧାରଣ ସଭା ପରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା ।
ଇଟିଭି ଭାରତ, ଦେବଗଡ