thumbnail

Hockey World Cup 2023: ଭାରତ ପାଇଁ କର ବା ମର ସ୍ଥିତି, ନ୍ୟୁଜିଲାଣ୍ଡକୁ ହରାଇ କ୍ୱାର୍ଟର ଲକ୍ଷ୍ୟରେ ଭାରତ

By

Published : Jan 21, 2023, 4:10 PM IST

Updated : Feb 3, 2023, 8:39 PM IST

ରାଉରକେଲା: ରୋମାଞ୍ଚକର ସ୍ଥିତିରେ ହକି ବିଶ୍ବକପ । ଶେଷ ଲିଗ ମ୍ୟାଚ ପର୍ଯ୍ୟନ୍ତ କହିବା ମୁସ୍କିଲ ଥିଲା ଯେ କେଉଁ ଦଳ କ୍ବାର୍ଟର ଫାଇନାଲକୁ ସିଧାସଳଖ ଯିବ ଏବଂ କେଉଁ ଦଳ ପ୍ରି କ୍ବାର୍ଟର ଫାଇନାଲ ଖେଳିବ । ତେବେ ସମସ୍ତ ସମୀକରଣ ଶେଷ ହୋଇଛି । ଗତକାଲି ରାଉରକେଲାରେ ହକି ବିଶ୍ବକପ ୨୦୨୩ର ଶେଷ ଲିଗ ମ୍ୟାଚ ଖେଳ ସରିଛି । କେଉଁ ଦଳ କ୍ବାର୍ଟର ଫାଇନାଲ ଖେଳିବ ଏବଂ କେଉଁ ଦଳ ପ୍ରି କ୍ବାର୍ଟର ଫାଇନାଲ (କ୍ରସ୍ ଓଭର) ଖେଳିବ ତାହାର ଚୂଡାନ୍ତ ତାଲିକା ଆସିଯାଇଛି । ତେବେ ଆସନ୍ତାକାଲି (ରବିବାର) ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଖେଳିବ ପ୍ରି କ୍ବାର୍ଟର ଫାଇନାଲ୍ ।  

କ୍ଵାର୍ଟର ଫାଇନାଲ ଯିବାକୁ ରବିବାର ଜୋରଦାର ସଙ୍ଘର୍ଷ କରି ଖେଳ ପ୍ରଦର୍ଶନ କରିବେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ । ତେବେ ଭାରତୀୟ ହକି ଦଳର ସମର୍ଥକ ଆଶା କରିଛନ୍ତି ଯେ ଭାରତ ନିଶ୍ଚିତ ନ୍ୟୁଜିଲାଣ୍ଡକୁ ପରାସ୍ତ କରି କ୍ବାର୍ଟର ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇ ବିଶ୍ବକପ ଟ୍ରଫି ପାଇଁ ଗୋଟିଏ ପାଦ ଆଗକୁ ବଢିବ । ତେବେ ଚିନ୍ତାର ବିଷୟ ଯେ ଭାରତୀୟ ମିଡ ଫିଲ୍ଡର ହକି ତାରକା ହାର୍ଦ୍ଦିକ ସିଂହ ଆହତ ହୋଇ ବିଶ୍ବକପରୁ ସମ୍ପୂର୍ଣ୍ଣ ବାଦ ପଡିଛନ୍ତି । ହାର୍ଦ୍ଦିକଙ୍କ ଅନୁପସ୍ଥିତି କାରଣରୁ ମନପ୍ରୀତ ସିଂହଙ୍କ ଉପରେ ୱେଲ୍ସ ବିପକ୍ଷ ମ୍ୟାଚରେ ଚାପ ବଢିଥିଲା । ତେଣୁ ହାର୍ଦ୍ଦିକଙ୍କ ଜାଗାରେ ଦଳରେ ସ୍ଥାନ ପାଇଛନ୍ତି ନୂଆ ଖେଳାଳି ରାଜକୁମାର ପାଲ । ତେବେ ବର୍ତ୍ତମାନ ହାର୍ଦ୍ଦିକଙ୍କ ଜାଗାରେ ସେ କିଭଳି ଫିଟ ହେବେ ଏବଂ ମିଡ ଫିଲ୍ଡରେ ଭାରତକୁ ଅଟାକ କରିବାକୁ କିଭଳି ସାହାଯ୍ୟ କରିବେ ତାହା ଦେଖିବାକୁ ବାକି ରହିଲା ।

ସମସ୍ତ ଭାରତୀୟ ପ୍ରଶଂସକଙ୍କ ଆଶା ଯେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ସିଧାସଳଖ କ୍ବାର୍ଟର ଫାଇନାଲକୁ ଉତ୍ତୀର୍ଣ୍ଣ ହେଉ । ତେବେ କିଭଳି ଭଲ ବ୍ୟବଧାନରେ ନ୍ୟୁଜିଲାଣ୍ଡ ଦଳକୁ ହରାଇବାକୁ ହେବ ସେନେଇ ରଣନୀତି ଆରମ୍ଭ କରିଛି ଭାରତୀୟ ହକି ଦଳ । ଆସନ୍ତାକାଲି ପ୍ରି କ୍ବାର୍ଟର ଫାଇନାଲରେ କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ମ୍ୟାଚ ମାଲେସିଆ ଏବଂ ସ୍ପେନ ମଧ୍ୟରେ ହେବ ଏବଂ ଦ୍ବିତୀୟ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ । ୨୩ ତାରିଖରେ ପ୍ରଥମ ମ୍ୟାଚ ଆର୍ଜେଣ୍ଟିନା ଏବଂ ସାଉଥ କୋରିଆ ଏବଂ ଦ୍ବିତୀୟ ମ୍ୟାଚ ଫ୍ରାନ୍ସ ଏବଂ ଜର୍ମାନୀ ମଧ୍ୟରେ ହେବ । ତେବେ ଏମାନଙ୍କ ମଧ୍ୟରୁ ଯେଉଁ ଟିମ୍‌ ଜିତିବ ସେହି ଟିମ୍‌ ସିଧାସଳଖ କ୍ବାର୍ଟର ଫାଇନାଲ ଖେଳିବ ।  

ମାଲେସିଆ ଏବଂ ସ୍ପେନ ମଧ୍ୟରେ ଯିଏ ଜିତିବ ସେ ଅଷ୍ଟ୍ରେଲିଆ ସହ ପ୍ରଥମ କ୍ବାର୍ଟର ଫାଇନାଲ ଖେଳିବ ଏବଂ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଯିଏ ଜିତିବ ସେ ବିଶ୍ବ ବିଜୟୀ ବେଲଜିୟମ ସହ ଦ୍ବିତୀୟ କ୍ବାର୍ଟର ଫାଇନାଲ ଖେଳିବ । ଅନ୍ୟ ପକ୍ଷରେ ଆର୍ଜେଣ୍ଟିନା ଏବଂ ସାଉଥ କୋରିଆ ମଧ୍ୟରୁ ଯିଏ ବିଜୟୀ ହେବ ସେ ନେଦରଲାଣ୍ଡ ଏବଂ ଫ୍ରାନ୍ସ ଓ ଜର୍ମାନୀ ମଧ୍ୟରେ ଯିଏ ବିଜୟୀ ହେବ ସେ ଇଂଲଣ୍ଡ ସହ ତୃତୀୟ ଏବଂ ଚତୁର୍ଥ କ୍ବାର୍ଟର ଫାଇନାଲ ଖେଳିବ । ଜାନୁଆରୀ ୨୪ ଏବଂ ୨୫ରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ହେବ କ୍ବାର୍ଟର ଫାଇନାଲ ମ୍ୟାଚ । ସମସ୍ତ ଲୋକଙ୍କ ଆଶା ଯେ ଭାରତ ନ୍ୟୁଜିଲାଣ୍ଡକୁ ହରାଇ ବେଲଜିୟମ ସହ କ୍ବାର୍ଟର ଫାଇନାଲ ଖେଳୁ ଏବଂ ସେଠାରେ ବେଲଜିୟମକୁ ହରାଇଲେ ଆମେ ସିଧାସଳଖ ସେମି ଫାଇନାଲରେ ପ୍ରବେଶ କରୁ ।

ଇଟିଭି ଭାରତ, ରାଉରକେଲା 

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.