ଭୁବନେଶ୍ବର: ରାଜ୍ଯରେ ବିଭିନ୍ନ ସ୍ଥାନରେ ଧାନ କିଣାକୁ ନେଇ ଚାଷୀ ଅସନ୍ତୋଷ ପ୍ରକାଶ ପାଉଥିବା ଦେଖିବାକୁ ମିଳିଛି । ‘ଏଫଏକ୍ୟୁ’ ମାନର ଧାନକୁ ନେଇ ଚାଷୀ ଏବଂ ସରକାର ମଧ୍ୟରେ ଏକ ପ୍ରକାର ଦ୍ବନ୍ଦ୍ବ ସୃଷ୍ଟି ହୋଇଛି । ଚାଷୀ ତାଙ୍କର ଧାନକୁ ‘ଏଫଏକ୍ୟୁ’ ମାନର ଦର୍ଶାଉଥିବା ବେଳେ ମଣ୍ଡିରେ ଲାଗିଥିବା ଗ୍ରେନ୍ ଆନାଲାଇଜର ମେସିନ୍ ଏହାକୁ ଗ୍ରହଣ କରୁନାହଁ ବୋଲି ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସୁଛି । ଏହି ପ୍ରସଙ୍ଗରେ ଆଜି ଯୋଗାଣ ମନ୍ତ୍ରୀ କହିଛନ୍ତି, ସରକାର ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି । କିଛି ସ୍ଥାନରେ ଚାଷୀଙ୍କୁ ଏ ସମ୍ପର୍କରେ ଉସକା ଯାଉଛି ।
- ଚଷୀଙ୍କୁ ‘FAQ’ ସମ୍ପର୍କରେ ବିଭ୍ରାନ୍ତ କରାଯାଉଛି: ଯୋଗାଣ ମନ୍ତ୍ରୀ
ଏ ସମ୍ପର୍କରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି,‘‘ରାଜ୍ୟରେ ଧାନ ସଂଗ୍ରହ ଠିକ୍ ଭାବେ ଚାଲିଛି । କାଁ ଭାଁ କେଉଁଠି ଗଣ୍ଡଗୋଳିଆ ସ୍ଥିତି ଦେଖାଦେଇଛି । ଲୋକମାନଙ୍କୁ କିଛି ନେତା ଉସୁକାଉଛନ୍ତି । ମଣ୍ଡିରେ ଯେଉଁମାନର ଧାନ ଦେଲେ ମଧ୍ୟ 31ଶହ ଟଙ୍କା ମିଳିବ ବୋଲି ଚାଷୀଙ୍କୁ ବିଭ୍ରାନ୍ତ କରାଯାଉଛି । ଆମେ ପୂର୍ବରୁ କହିସାରିଛୁ, ମଣ୍ଡିରେ କେବଳ ‘ଏଫ୍ଏକ୍ୟୁ’ ମାନର ଧାନ ବିକ୍ରି ହୋଇପାରିବ । ଧାନର ରଙ୍ଗ ଚେଞ୍ଜ୍ ହେଲେ ମଧ୍ୟ ଆମେ ଗ୍ରହଣ କରୁଛୁ । କିନ୍ତୁ ଧାନ ବହୁତ ଖରାପ ହୋଇଯାଇଥିଲେ ଆମେ ନେଇପାରିବୁ ନାହିଁ । ସେପରି ସେହି ଧାନ ଚାଉଳ ହେଲା ପରେ ମାର୍କେଟରେ ଚାଲିବ ନାହିଁ । ଧାନ ଫସଲ କ୍ଷତି ହୋଇଥିବା ମାମଲାରେ ସରକାର ସହୟତା ଦେଉଛନ୍ତି । ତା’ ପରେ ମଧ୍ୟ କ୍ଷତିଗ୍ରସ୍ତ ଚାଉଳକୁ କେମିତି ସରକାର ଗ୍ରହଣ କରିବେ । ଆମେ ‘FAQ’ ମାନର ଧାନ ହିଁ ମଣ୍ଡିକୁ ଆଣିବାକୁ ଚାଷୀଙ୍କୁ ଅନୁରୋଧ କରୁଛୁ ।’’
- 23 ଲକ୍ଷ ମେଟ୍ରିକ୍ ଧାନ କିଣା ସରିଲାଣି: ଯୋଗାଣ ମନ୍ତ୍ରୀ
ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି,‘‘ ଭଲ ଗୁଣବତ୍ତାର ଧାନ ଆଣିଲେ ଚାଷୀ ସଠିକ୍ ମୂଲ୍ୟ ପାଇବେ । ଏବେ ସୁଦ୍ଧା ପ୍ରାୟ 23 ଲକ୍ଷ ମେଟ୍ରିକ୍ ଧାନ କିଣା ସରିଲାଣି । କମ ଦାମରେ ଧାନ କିଣି ଗଛିତ ରଖିଲେ ଚଢ଼ାଉ ହେବ । ଯେଉଁଠି କଳାବଜାରୀ ହେଉଛି, ସେଠାରେ ତୁରନ୍ତ ଚଢ଼ାଉ ହେଉଛି । ସେଥିପାଇଁ ସବୁ ଜିଲ୍ଲାରେ ଜିଲ୍ଲାପାଳଙ୍କୁ ଦାୟିତ୍ଵ ଦିଆଯାଇଛି । ଚାଷୀଙ୍କୁ ଯେମିତି କିଛି ଅସୁବିଧାର ସମ୍ମୁଖୀନ ହେବାକୁ ନପଡେ ସେଥିପାଇଁ ଆମେ ଧ୍ୟାନ ଦେଉଛୁ । ଅଦିନିଆ ବର୍ଷାରେ ଯେଉଁ ଧାନ ନଷ୍ଟ ହୋଇଛି ତାକୁ ମଣ୍ଡିକୁ ଆଣନ୍ତୁ ନାହିଁ ।’’
ଏହା ମଧ୍ୟ ପଢନ୍ତୁ:- ୧୧ ଦିନରେ ରାଜ୍ୟରେ ଆଖି ବୁଜିଲେଣି ୧୦ ଚାଷୀ - FARMERS DEATH ODISHA |
- କ୍ଷତିପୂରଣ ପ୍ରଦାନ ଆରମ୍ଭ ହୋଇସାରିଲାଣି: ରାଜସ୍ବ ମନ୍ତ୍ରୀ
ସେପଟେ ଅଦିନିଆ ବର୍ଷାରେ ଫସଲହାନୀ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,‘‘30 ପ୍ରତିଶତରୁ ଅଧିକ କ୍ଷତି ହୋଇଥିଲେ ଫସଲକୁ କ୍ଷତିପୂରଣ ତାଲିକାଭୁକ୍ତ କରାଯାଉଛି । ସେହି ବାବଦକୁ 292 କୋଟି ଟଙ୍କାର କ୍ଷତିପୂରଣ ରାଶି କ୍ଷତିଗ୍ରସ୍ତ ଜିଲ୍ଲା ଗୁଡିକୁ ପଠାଯାଇଛି । କ୍ଷତିପୂରଣ ରାଶି ବଣ୍ଟନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଗଲାଣି । କେବଳ ଧାନ ନୁହେଁ, ପନିପରିବା, ଚିନାବାଦାମ, କପା ଚାଷୀଙ୍କୁ ମଧ୍ୟ କ୍ଷତିପୂରଣ ଦିଆଯାଉଛି । ଯେଉଁ ଚାଷୀମାନେ ବୀମା କରିଛନ୍ତି ସେମାନେ ଦୁଇଗୁଣା କ୍ଷତିପୂରଣ ପାଇବେ ।’
’
ଇଟିଭି ଭାରତ, ଭୁବନେଶ୍ବର