ରତଲାମ: ମହାଶିବରାତ୍ରି ଅବସରରେ ସମଗ୍ର ଦେଶରେ ବିଭିନ୍ନ ଶୈବାଳୟରେ ଭକ୍ତଙ୍କ ଭିଡ । ବେଲପତ୍ର ସାଙ୍ଗକୁ ଶିବଙ୍କ ପ୍ରିୟ ଦୁଦୁରା ଧରି ଶିବାଳୟରେ ପହଞ୍ଚୁଛନ୍ତି ଭକ୍ତ । ପ୍ରିୟ ଜିନିଷ ମହାଦେବଙ୍କୁ ଅର୍ପଣ କରି ମନସ୍କାମନା ପୂର୍ଣ୍ଣ କରିବେ ଭକ୍ତ । ଏହି ଅବସରରେ ଆମେ ଆପଣଙ୍କୁ କହିବୁ ବାବା ଭୋଳାନାଥଙ୍କ ଭୁଲ ଭୁଲୈୟା ମନ୍ଦିର ବିଷୟରେ । ଏହି ମନ୍ଦିର ମଧ୍ୟ ପ୍ରଦେଶ ରତଲାମର ବିଲପାଙ୍କ ଗାଁରେ ରହିଛି । ଏଠାରେ ଭଗବାନ ଶିବ ବିରୁପାକ୍ଷ ମହାଦେବଙ୍କ ନାଁରେ ବିରାଜିତ ଅଛନ୍ତି । 64ଟି ସ୍ତମ୍ଭରେ ବାସ୍ତୁକଳା ସହ ମନ୍ଦିରଟି ଏଭଳି ନିର୍ମିତ ହୋଇଛି ଯେ ଗଣିବା ବ୍ୟକ୍ତି ଗଣନା ହିଁ ଭୁଲିଯିବ । ଏଥିପାଇଁ ଏହି ମନ୍ଦିରର ନାଁ ହେଉଛି ଭୁଲ ଭୁଲୈୟାଁ ମନ୍ଦିର ।
ମହାଶିବରାତ୍ରିରେ ହେଉଥିବା ଯଜ୍ଞ ଓ ପୂର୍ଣ୍ଣାହୁତିରେ ମିଳୁଥିବା ଖିରୀ ଭୋଗ ପ୍ରସାଦ ରୂପେ ଗ୍ରହଣ କରି ନିସନ୍ତାନ ଦମ୍ପତିଙ୍କ ସନ୍ତାନ ପ୍ରାପ୍ତି ହେଉଥିବା ବିଶ୍ବାସ ରହିଛି । ଭଗବାନ ବିରୁପାକ୍ଷ ମହାଦେବଙ୍କ ଆଶୀର୍ବାଦ ପ୍ରାପ୍ତି ପାଇଁ ଏଠାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ପହଞ୍ଚିଥାନ୍ତି ।
ରତଲାମରୁ ପାଖାପାଖି 20 କିଲୋମିଟର ଦୂର ବିଲପାଙ୍କ ଗାଁରେ ଭଗବାନ ବରୁପାକ୍ଷ ମହାଦେବଙ୍କ ପ୍ରାଚୀନ ମନ୍ଦିର ରହିଛି । ମନ୍ଦିର ପୂଜାାରୀ ଦୁର୍ଗାଶଙ୍କର ଓଝା କହିଛନ୍ତି ‘‘ଇତିହାସକାରଙ୍କ ଅନୁସାରେ ପ୍ରାଚୀନ କାଳରୁ ଏହି ମନ୍ଦିର ରହିଛି । ପାଖାପାଖି ଏକ ହଜାର ବର୍ଷ ପୂର୍ବେ ଗୁଜୁରାଟର ରାଜା ସିଦ୍ଧରାଜ ଜୟ ସିଂ ଏହାକୁ ପ୍ରତିଷ୍ଠା କରିଥିଲେ । ପରମାର କାଳ ଓ ମୌର୍ଯ୍ୟ କାଳର ବାସ୍ତୁଶିଳ୍ପ ଏହି ମନ୍ଦିରରେ ଦେଖିବାକୁ ମିଳେ । ଯେଉଁଥିରୁ ଏହି ମନ୍ଦିର ବହ ପୁରୁଣା ବୋଲି ଅନୁମାନ କରାଯାଉଛି । ଏଠାରେ ଏତେ ସଂଖ୍ୟାରେ ସ୍ତମ୍ଭ ରହିଛି ଯେ ଏହାର ଗଣନା କରିବା ସମ୍ଭବ ନୁହେଁ । ଏହି ପ୍ରାଚୀନ ଓ ଚମତ୍କାରିତା ମନ୍ଦିରରେ ମନସ୍କାମନା ପୂରଣ ହେଉଥିବାରୁ ଶ୍ରଦ୍ଧାଳୁ ଏଠାରେ ମାନସିକ ପୂରଣ କରିଥାନ୍ତି । ଖାସକରି ସନ୍ତାନ ପ୍ରାପ୍ତି ପାଇଁ ଶ୍ରଦ୍ଧାଳୁ ଦୂର ଦୁରାନ୍ତରୁ ଏଠାକୁ ଆସିଥାନ୍ତି ’’।
ଏହା ମଧ୍ୟ ପଢନ୍ତୁ କାହିଁକି ପାଳନ ହୁଏ ମହାଶିବରାତ୍ରି ? ଜାଣନ୍ତୁ ମହାଦୀପର ବିଶେଷତ୍ବ
ଏହା ମଧ୍ୟ ପଢନ୍ତୁ ମହାକୁମ୍ଭ ମେଳା ୨୦୨୫ର ଶେଷ ଦିନ, ମହାଶିବରାତ୍ରି ଅବସରରେ ବୁଡ ପକାଉଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ
- ଭୁଲ ଭୁଲୈୟା ସ୍ତମ୍ଭ
ବିଲପାଙ୍କ ଗାଁ ସ୍ଥିତ ଭଗବାନ ବିରୂପାକ୍ଷଙ୍କ ମନ୍ଦିରରେ ଥିବା ଭୁଲ ଭୁଲୈୟା ସ୍ତମ୍ଭ ଯୋଗୁଁ ଏହି ମନ୍ଦିର ପ୍ରସିଦ୍ଧି ଲାଭ କରିଛି । ଦେଖିବାକୁ ଗଲେ ଏହି ମନ୍ଦିରରେ 64ଟି ସ୍ତମ୍ଭ ରହିଛି । କିନ୍ତୁ ଏହି ସ୍ତମ୍ଭକୁ ଗଣିବା ମାତ୍ରେ କେବେ ଏହା କମିଯାଇଥାଏ ତ ପୁଣି କେବେ ବଢିଯାଏ । ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ବି ମନ୍ଦିରରେ ପହଞ୍ଚି ସ୍ତମ୍ଭର ସଂଖ୍ୟା ଗଣିବା ପାଇଁ ପ୍ରୟାସ କରି ଅସଫଳ ହୁଅନ୍ତି । ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ ଅନେକ ଲୋକେ ଏହି ସ୍ତମ୍ଭକୁ ଗଣିବା ପାଇଁ ଉଦ୍ୟମ କରି ଫେଲ୍ ମାରିଛନ୍ତି । ସ୍ତମ୍ଭର ଏଭଳି ଭୁଲ ଭୁଲୈୟା ବଡ ବଡ ଗଣିତଜ୍ଞଙ୍କ ମୁଣ୍ଡ ଖରାପ କରିଦେବ ।

- ଖିରୀରୁ ସନ୍ତାନ ପ୍ରାପ୍ତି
ଭଗବାନ ବିରୂପାକ୍ଷ ମନ୍ଦିରରେ ପ୍ରତିବର୍ଷ ମହାଶିବରାତ୍ରି ଅବସରରେ ଏକ ସ୍ବତନ୍ତ୍ର ଯଜ୍ଞର ଆୟୋଜନ କରାଯାଇଥାଏ । ମାନ୍ୟତା ରହିଛି ଯେ ଯଜ୍ଞର ପୂର୍ଣ୍ଣାହୁତି ପରେ ପ୍ରସାଦ ସ୍ବରୂପ ଖିରୀ ବଣ୍ଟନ କରାଯାଇଥାଏ । ଏହି ଖିରୀ ସେବନ ଦ୍ବାରା ଶତ ପ୍ରତିଶତ ସନ୍ତାନ ପ୍ରାପ୍ତି ହୋଇଥାଏ । ସନ୍ତାନ ପ୍ରାପ୍ତି ହେବାର ମାନସିକ ପୂରଣ ପରେ ଏଠାରେ ପହଞ୍ଚି ଛୋଟ ଛୋଟ ଶିଶୁଙ୍କୁ ମିଠା, ଫଳ ଓ ଅନ୍ୟ ସାମଗ୍ରୀ ବାଣ୍ଟିଥାନ୍ତି । ରାଜସ୍ଥାନର ପରିବାର ମନସ୍କାମନା ପୂରଣ ହେବା ପରେ ମଞ୍ଜୁ କହିଛନ୍ତି ‘‘ଗତ ବର୍ଷ ଏଠାରୁ ଖିରୀ ପ୍ରସାଦ ନେଇଥିଲୁ । ଭଗବାନ ଶିବ ଆମ ପରିବାରର କୋଳ ଖୁସିରେ ଭରି ଦେଇଛନ୍ତି’’ । କେବଳ ଏହି ପରିବାର ନୁହେଁ ମଞ୍ଜୁଙ୍କ ଭଳି ଅନେକ ପରିବାର ଭଗବାନ ବିରୂପାକ୍ଷ ମହାଦେବଙ୍କ ପ୍ରତି ଆସ୍ଥା ପ୍ରକଟ କରିଛନ୍ତି ।
- କେମିତି ବିରୂପାକ୍ଷ ମହାଦେବ ମନ୍ଦିରରେ ପହଞ୍ଚିବେ ?
ଭଗବାନ ବିରୁପାକ୍ଷ ମହାଦେବ ମନ୍ଦିର ରତଲାମର ବିଲପାଙ୍କ ଗାଁରେ ରହିଛି । ମହୁ ନିମଚ ଚାରି ଥାକିଆ ରାସ୍ତାରେ ଧରାଡ ଟୋଲ ନିକଟ ବିଲପାଙ୍କ ଗାଁକୁ ସଡକ ମାର୍ଗରେ ଯାଇପାରିବେ । ରତଲାମ ରେଳ ଷ୍ଟେସନରୁ ଏହାର ଦୂରତା ପାଖାପାଖି 20 କିଲୋମିଟର ରହିଛି । ମହାଶିବରାତ୍ରି ଅବସରରେ ପୁଣିଥରେ ଶ୍ରଦ୍ଧାଳୁଙ୍କ ଭିଡ ଏଠାରେ ଜମିବାରେ ଲାଗିଛି । ଖାସକରି ଯଜ୍ଞ ପୂର୍ଣ୍ଣାହୁତିରେ ମିଳୁଥିବା ଖିରୀ ପ୍ରସାଦ ପାଇବା ପାଇଁ ଶ୍ରଦ୍ଧାଳୁ ଏଠାରେ ପହଞ୍ଚିଥାନ୍ତି ।
