ଭୁବନେଶ୍ବର/ ନୟାଗଡ଼/ ନିଆଳି: ଆଜି ପବିତ୍ର ଫାଲଗୁନ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ଜାଗର ଯାତ୍ରା ବା ମହାଶିବରାତ୍ରି । ଆଜିର ପବିତ୍ର ଦିନରେ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ସମସ୍ତ ଶୈବପୀଠ । ଏକାମ୍ର କ୍ଷେତ୍ରରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ଭୋର ୩ଟାରୁ ମନ୍ଦିର ଖୋଲାଯିବା ସହ ୩ଟା ୩୦ରେ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ଦର୍ଶନ ଆରମ୍ଭ ହୋଇଛି । ୪ଟାରୁ ୫ଟା ଯାଏଁ ସେବାୟତଙ୍କ ପରିବା ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପରେ ୫ଟାରୁ ଚାଲିଛି ସାହଣ ମେଳା ଦର୍ଶନ ।
ଲିଙ୍ଗରାଜଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ:
ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ରାଜ୍ୟର ସମସ୍ତ ଶୈବପୀଠ । ଜାଗର ଯାତ୍ରା ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରକୁ ବେଶ ଆକର୍ଷଣୀୟ ଭାବେ ସଜାଯାଇଛି । ରାଜଧାନୀ ସମେତ ରାଜ୍ୟର କୋଣାନୁକୋଣରୁ ଭକ୍ତମାନେ ଆସି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରୁଛନ୍ତି । ଆଜିର ଦିନରେ ପ୍ରଭୁଙ୍କ କରୁଣା ଲାଭ ସହ କୃପାଭିକ୍ଷ କରି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ସକାଳୁ ସକାଳୁ ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କର ପ୍ରବଳ ଭିଡ ଲାଗିଛି । ଜନସମୁଦ୍ର ପାଲଟିଛି ଲିଙ୍ଗରାଜ ମନ୍ଦିର ପରିସର । ସେପଟେ ମହାଶିବରାତ୍ରିକୁ ନେଇ ରଙ୍ଗୋଲିରେ ସଜେଇ ହୋଇଛି ମନ୍ଦିର ପ୍ରାଙ୍ଗଣ । ଦିନ ୧୧ ପର୍ଯ୍ୟନ୍ତ ଗର୍ଭଗୃଗରେ ଦର୍ଶନ କରିବେ ଶ୍ରଦ୍ଧାଳୁ । ଏହା ପରେ ଗର୍ଭଗୃହ ଶୁଦ୍ଧ କରାଯିବ ସହ ଠାକୁରଙ୍କ ପୂଜା ନୀତି ଆରମ୍ଭ ହେବ । ୧୧ଟା ପରଠାରୁ ଶ୍ରଦ୍ଧାଳୁ ଆଡ଼କାଠି ଠାରେ ଦିନ ତମାମ ଦର୍ଶନ କରିବେ । ସନ୍ଧ୍ୟା ଧୂପ ପରେ ପ୍ରଭୁଲିଙ୍ଗରାଜଙ୍କ ମହାଦୀପ ଉଠିବ ବୋଲି ସେବାୟତ କହିଛନ୍ତି ।
ଖୋର୍ଦ୍ଧା ଜିଲ୍ଲାପଳ ଚଞ୍ଚଳ ରଣା କହିଛନ୍ତି, "ଚଳିତବର୍ଷ ଜାଗର ଅବସରରେ ଲିଙ୍ଗରାଜ ମନ୍ଦିରରେ ଆକଳନ ଠାରୁ ଅଧିକ ଭକ୍ତଙ୍କ ଭିଡ ଲାଗିଛି । ଯାହାକୁ ନେଇ ଭିଡ ନିୟନ୍ତ୍ରଣ ସାମାନ୍ୟ କଷ୍ଟ ହୋଇଛି । ତଥାପି ପୋଲିସ ପ୍ରଶାସନ ଓ ଅଧିକାରୀ ଶୃଙ୍ଖଳିତ ଦର୍ଶନ କରାଇବା ପାଇଁ ଲାଗିଛନ୍ତି । ୧୧ଟା ପରେ ସାହାଣମେଳା ଦର୍ଶନ ପରେ ବ୍ୟବସ୍ଥିତ ହୋଇଯିବ ଭିଡ । ଆଡ଼କାଠି ଠାରେ ଧାଡ଼ି ଦର୍ଶନ ଚଞ୍ଚଳ ହେବ । ଶୃଙ୍ଖଳିତ ନୀତିକାନ୍ତିକୁ ମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁତ୍ଵ ଦିଆଯାଇଛି । ମନ୍ଦିର ନୀତିକାନ୍ତି କିଭଳି ସୁରୁଖୁରୁରେ ହେବ ତାକୁ ନେଇ ସେବାୟତଙ୍କ ସହ ମଧ୍ୟ ସକାଳୁ ଆଲୋଚନା କରାଯାଇଛି । ଏବେ ସୁଦ୍ଧା ସବୁ ସଠିକ୍ ଓ ନିର୍ଦ୍ଧାରିତ ସମୟରେ ଚାଲିଛି ।"

ଭୁବନେଶ୍ବର ଡିସିପି ପିନାକ ମିଶ୍ର କହିଛନ୍ତି, " ଆଶାଠାରୁ ଅଧିକ ଭକ୍ତଙ୍କ ଯୋଗୁଁ ଭିଡ ନିୟନ୍ତ୍ରଣ ହୋଇପାରିଲା ନାହିଁ । ହେଲେ ସ୍ଥିତି ସୁଧୁରୁଛି । ପୋଲିସ ଫୋର୍ସ ଲାଗିଛନ୍ତି । ରାତି ଆମପାଇଁ ଅଧିକ ଚାଲେଞ୍ଜ । ଆମେ ପ୍ରସ୍ତୁତ ହେଉଛୁ । ଧିରେ ଧିରେ ସ୍ଥିତି ନିୟନ୍ତ୍ରଣ ହେବ। ରାତି ୩ ଟା ରୁ ଏବେ ସୁଦ୍ଧା ୫୦ ହଜାର ଭକ୍ତ ଦର୍ଶନ କରି ସାଇଲେଣି । ଗୋଟିଏ ଦ୍ୱାରରେ ଲୋକମାନେ ଯିବା ଆସିବ କରିବା ଦ୍ୱାରା ଭିଡ ଅସମ୍ଭାଳ ହୋଇପଡ଼ିଲା ।"
ଲଡୁବାବାଙ୍କ ପୀଠରେ ମହାଶିବରାତ୍ରି:
ମହାଶିବରାତ୍ରି ତଥା ଜାଗର ଯାତ୍ରା ପାଇଁ ନୟାଗଡ଼ର ପ୍ରଶିଦ୍ଧ ଶୈବ୍ୟକ୍ଷେତ୍ର ଶରଣକୁଳର ଲଡୁବାବାଙ୍କ ପୀଠ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଛି। ହର ହର ମହାଦେବ ଧ୍ଵନିରେ ଉତ୍ସବ ମୁଖର ହୋଇଛି ମନ୍ଦିର ପରିସର । ଭୋର 4ଟାରୁ ଲଡୁବାବାଙ୍କ ପାଖରେ ସ୍ଵତନ୍ତ୍ର ପୁଜାନୀତି ଆରମ୍ବ ହୋଇଛି । ସ୍ନାନ ଅବକାଶ, ମଇଲମ ଓ ଭୋଗନୀତି ପରେ ଲଡୁବାବାଙ୍କ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଲଡୁବାବାଙ୍କ ମନ୍ଦିର ପରିସରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବାରୁ ଦର୍ଶନ ପାଇଁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ଲମ୍ବା ଧାଡ଼ିରେ ଶ୍ରଦ୍ଧାଳୁମାନେ ଯାଇ ଲଡୁବାବାଙ୍କୁ ଦର୍ଶନ କରୁଛନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦିନ ତମାମ ଲଡୁବାବାଙ୍କ ଦର୍ଶନ ଜାରୀ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ସଂନ୍ଧ୍ୟାରେ ବାବାଙ୍କ ପାଖରେ ଆଳତୀ କରାଯିବା ପରେ ବେଢା ପରିକ୍ରମା କରାଯାଇରାତି ସାଢ଼େ ଦଶଟାରେ ବାବାଙ୍କର ବେଢ଼ା ପରିକ୍ରମା ପରେ 12ଟାରେ ମନ୍ଦିର ମହାଦୀପ ଉଠିବ । ଚଳିତ ବର୍ଷ ଲଡୁବାବାଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତ ସମାଗମ ହୋଇଛି ।
ଏହା ମଧ୍ୟ ପଢନ୍ତୁ.. କାହିଁକି ପାଳନ ହୁଏ ମହାଶିବରାତ୍ରି ? ଜାଣନ୍ତୁ ମହାଦୀପର ବିଶେଷତ୍ବ ମହାକୁମ୍ଭ ମେଳା ୨୦୨୫ର ଶେଷ ଦିନ, ମହାଶିବରାତ୍ରି ଅବସରରେ ବୁଡ ପକାଉଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ |
ନିଆଳି ଶୋଭନେଶ୍ବର ଶୈବପୀଠରେ ମହାଶିବରାତ୍ରି:
ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ବିଭିନ୍ନ ଶୈବପୀଠ । ପ୍ରାଚୀ ତଟରେ ଅଷ୍ଟଶମ୍ଭୁ ଶୈବପୀଠ ସମେତ କଟକ ଜିଲ୍ଲା ନିଆଳି ବ୍ଳକ ଶୋଭନେଶ୍ବର ଶୈବପୀଠରେ ଭକ୍ତଙ୍କ ଲାଗିଛି ଗହଳି । ବିଳମ୍ବିତ ରାତିରେ ଉଠିବ ମହାଦ୍ବୀପ ।
ଇଟିଭି ଭାରତ, ଭୁବନେଶ୍ବର/ ନୟାଗଡ଼/ ନିଆଳି