ପାରାଦ୍ବୀପ: ଗୋଟିଏ ପରେ ଗୋଟିଏ ହୋଇ ଟଳି ପଡ଼ୁଛନ୍ତି କାଉ । ଏଣେତେଣେ ହୋଇ ପଡ଼ିଛି କାଉମାନଙ୍କ ମୃତଦେହ । ଗଛରେ ବସିଥିବା କାଉଗୁଡିକ ହଠାତ୍ ତଳକୁ ଖସି ପଡୁଛନ୍ତି । କିଛି ସମୟ ଘୁମାଇବା ପରେ ମରିଯାଉଛନ୍ତି । ତେବେ ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ସହରରେ କାଉ ମଡ଼କ ଦେଖିବାକୁ ମିଳିଛି । ସହରର ବିଭିନ୍ନ ସ୍ଥାନରେ ଏକାଧିକ କାଉ ମରି ପଡିଥିବା ଜଣାପଡିବା ପରେ ପାରାଦ୍ୱୀପ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଇ ଦିଆଯାଇଛି । କାଉ ମଡକ ଦେଖି ବାର୍ଡ ଫ୍ଲୁ ଆଶଙ୍କାରେ ପାରାଦ୍ୱୀପ ସହରବାସୀ ।
ବାର୍ଡ ଫ୍ଲୁ ଭୟ:
ପାରାଦ୍ବୀପରେ କାଉ ମଡ଼କ ଦେଖିବାକୁ ମିଳିଛି । ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ନିରଞ୍ଜନ ବେହେରାଙ୍କ କହିବା ଅନୁଯାୟୀ, ପାରାଦ୍ୱୀପରେ ବାର୍ଡ ଫ୍ଲୁକୁ ନେଇ ଯେଉଁ ଗୁଜବ ସୃଷ୍ଟି ହୋଇଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ । ପାରାଦ୍ୱୀପବାସୀ ଏହାକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ । ଶୀତଦିନେ ବିଭିନ୍ନ ପ୍ରଜାତିର ପକ୍ଷୀ ମରିଯାଆନ୍ତି । ଶୀତ ଦିନେ ଥଣ୍ଡା ସହ୍ୟ କରିବାର କ୍ଷମତା ପକ୍ଷୀମାନଙ୍କ ପାଖରେ କମ୍ ଥାଏ। । ବର୍ତ୍ତମାନ ପ୍ରବଳ ଶୀତ ପଡ଼ୁଥିବାରୁ ପକ୍ଷୀମାନେ ଏହାକୁ ସହ୍ୟ କରି ପାରୁନାହାଁନ୍ତି । ବିଶେଷ ଭାବରେ କାଉ ଗୁଡିକର ମୃତ୍ୟୁ ହେଉଛି । ଯାହାକୁ ବାର୍ଡ ଫ୍ଲୁ ବୋଲି କହିବା ଅନୁଚିତ । ପାରାଦ୍ୱୀପରେ କୌଣସି କୁକୁଡ଼ା ଫାର୍ମ ନାହିଁ । ଆଖପାଖ, କୁଜଙ୍ଗ, ତିର୍ତ୍ତୋଲ, ଜଗତସିଂହପୁରରୁ ପାରାଦ୍ୱୀପକୁ କୁକୁଡ଼ା ଆସିଥାଏ । କୁକୁଡ଼ା ଫାର୍ମ ନଥିବାରୁ ପାରାଦ୍ୱୀପରେ ବାଡ଼ ଫ୍ଲୁ ବ୍ୟାପିବାର ସମ୍ଭାବନା ବହୁତ କମ । ବାର୍ଡ ଫ୍ଲୁକୁ ନେଇ ପାରାଦ୍ୱୀପ ସହରରେ ଯେଉଁଭଳି ଗୁଜବ ସୃଷ୍ଟି ହେଉଛି ଏଥିରେ ବିଶ୍ୱାସ ନ କରିବାକୁ ପ୍ରାଣୀ ଚିକିତ୍ସକ ଡା ନିରଞ୍ଜନ ବେହେରା କହିଛନ୍ତି ।
ପରୀକ୍ଷା ପାଇଁ ଲ୍ୟାବ ଗଲା ନମୂନା:
ଏନେଇ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ନିରଞ୍ଜନ ବେହେରା କହିଛନ୍ତି, "ପ୍ରତ୍ୟେକ ବର୍ଷ ଶୀତଦିନେ ବିଭିନ୍ନ ପ୍ରଜାତିର ପକ୍ଷୀ ମରୁଥିବା ଦେଖାଯାଉଛି । ଥଣ୍ଡା ଅଧିକ ପଡୁଥିବାରୁ କାଉମାନଙ୍କର ମୃତ୍ୟୁ ହେଉଛି । ଶୀତ ଦିନେ ଥଣ୍ଡା ସହିବା ଶକ୍ତି ପକ୍ଷୀମାନଙ୍କ ପାଖରେ କମ ଥାଏ। ତେଣୁ ପ୍ରବଳ ଥଣ୍ଡା କାରଣରୁ କିଛି କାଉଙ୍କ ମୃତ୍ୟୁ ହୋଇଛି । ବାର୍ଡଫ୍ଲୁର ଭୟ ନାହିଁ । ଏହି ଘଟଣାକୁ ନେଇ କୌଣସି ଭୟଭୀତ ହେବାର ନାହିଁ । ବାର୍ଡ ଫ୍ଲୁ ପାଇଁ କିଛି ଆତଙ୍କିତ ହେବାର ନାହିଁ । ପ୍ରାଣୀ ବିଭାଗ ପକ୍ଷରୁ ମୃତ ପକ୍ଷୀଙ୍କ ନମୂନା ସଂଗ୍ରହ କରାଯାଇ ଲ୍ୟାବକୁ ପଠାଯାଇଛି । ରିପୋର୍ଟ ଆସିଲା ପରେ କାଉ ମୃତ୍ୟୁର କାରଣ ଜଣାପଡିବ ।"
ଇଟିଭି ଭାରତ, ଜଗତସିଂହପୁର