ପ୍ରଶାନ୍ତ ମୁଦୁଲିଙ୍କ ବାସଭବନରେ ଜମିଲା ହୋଲି ଉତ୍ସବ, ବିରୋଧି ଶିବିର ଖାଁ ଖାଁ - ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି

🎬 Watch Now: Feature Video

thumbnail

By

Published : Mar 8, 2023, 8:03 PM IST

ଜଗତସିଂହପୁର: ଜିଲ୍ଲାର ବିଭିନ୍ନ ସ୍ଥାନରେ ରଙ୍ଗର ପର୍ବ ହୋଲି ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଛି । କାଁ ଭାଁ ବିଶୃଙ୍ଖଳାକୁ ଛାଡିଦେଲେ ଜିଲ୍ଲାବାସୀ ହୋଲି ଉତ୍ସବକୁ ଆଡମ୍ବର ସହ ପାଳନ କରିଥିଲେ । କୋରୋନା କଟକଣା ଯୋଗୁଁ ଦୀର୍ଘ ୩ ବର୍ଷ ହେଲା ହୋଲି ଉତ୍ସବ ପାଳନ ହେଉନଥିଲା । ଚଳିତ ବର୍ଷ କୋରୋନା କଟକଣା ହଟିଥିବାରୁ ବିଭିନ୍ନ ସ୍ଥାନରେ ରଙ୍ଗର ପର୍ବ ହୋଲିକୁ ଲୋକେ ଧୁମଧାମରେ ପାଳନ କରିଛନ୍ତି । ସେହିଭଳି ରାଜନୈତିକ ଦଳର ନେତାମାନେ ମଧ୍ୟ କର୍ମୀମାନଙ୍କ ଗହଣରେ ହୋଲି ଉତ୍ସବ ପାଳନ କରିଥିବା ଦେଖିବାକୁ ମିଳିଛି ।

ଜଗତସିଂହପୁର ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ତାଙ୍କ ସିପିସ୍ଥିତ ଦଳୀୟ କାର୍ଯ୍ୟାଳୟରେ ହୋଲି ଉତ୍ସବ ପାଳନ କରିଥିଲେ । ହଜାର ହଜାର ବିଜେଡି କର୍ମୀ ଓ ସମର୍ଥକ ପ୍ରଶାନ୍ତ ମୁଦୁଲିଙ୍କୁ ଭେଟି ରଙ୍ଗ ଲଗାଇଥିଲେ । ସେହିପରି ବିଧାୟକ ମଧ୍ୟ କର୍ମୀମାନଙ୍କୁ ଅବିର ଲଗାଇ ଶୁଭେଚ୍ଛା ଜଣାଇଥିଲେ । ବିଜେଡି ଦଳୀୟ କାର୍ଯ୍ୟାଳୟରେ ମଧ୍ୟ କର୍ମୀଙ୍କୁ ମିଠା ଓ ଦହିବରା ବାଣ୍ଟିଥିଲେ ବିଧାୟକ । ତେବେ ଜଗତସିଂହପୁର ସହର ହୋଲିର ରଙ୍ଗରେ ରଙ୍ଗାଇତ ହୋଇଥିବା ବେଳେ ବିରୋଧି ଦଳ କଂଗ୍ରେସ ଓ ବିଜେପି କାର୍ଯ୍ୟାଳୟରେ ହୋଲି ଉତ୍ସବ ପାଳିତ ହୋଇନଥିବା ଦେଖିବାକୁ ମିଳିଥିଲା ।  

ଜଗତସିଂହପୁର ଥାନା ଛକ ନିକଟରେ ଥିବା ବିଜେପି କାର୍ଯ୍ୟାଳୟ ଖାଁ ଖାଁ ଲାଗୁଥିବା ବେଳେ ଜିଲ୍ଲା ସଭାପତି କିମ୍ବା କୌଣସି ଦଳୀୟ କର୍ମୀଙ୍କୁ ଦେଖିବାକୁ ମିଳିନଥିଲା । ସେହିପରି ସିପିସ୍ଥିତ କଂଗ୍ରେସର ଜନ ସମ୍ପର୍କ କାର୍ଯ୍ୟାଳୟରେ ମଧ୍ୟ କୌଣସି କଂଗ୍ରେସ କର୍ମୀ କିମ୍ବା ନେତାଙ୍କୁ ଦେଖିବାକୁ ମିଳିନଥିଲା । ଜଗତସିଂହପୁରର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବି ବିଶ୍ବାଳ ଗତ କିଛିଦିନ ହେବ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହୁଥିବା ବେଳେ ଆଜି ମଧ୍ୟ କର୍ମୀଙ୍କ ଗହଣରେ ହୋଲି ପାଳନ ପାଇଁ ଆସି ନଥିଲେ ।  

କେତେକ କଂଗ୍ରେସ କର୍ମୀ ସିପିସ୍ଥିତ ଜନସମ୍ପର୍କ କାର୍ଯ୍ୟାଳୟକୁ ଯାଇ ନେତାଙ୍କ ଅନୁପସ୍ଥିତ ଦେଖି ଫେରି ଆସିଥିଲେ । ସେହିପରି ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କୁ ମଧ୍ୟ ଆଜି ଦେଖିବାକୁ ମିଳିନଥିଲା । ଫଳରେ କର୍ମୀମାନେ ନିରାଶ ହୋଇ ଫେରିଥିଲେ । ହୋଲି ପର୍ବକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବାକୁ ଜଗତସିଂହପୁର ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ସୁରକ୍ଷା କର୍ମୀ ମୁତୟନ କରାଯିବା ସହିତ ଅସାମାଜିକ ଆଡା ଉପରେ ନଜର ରଖା ଯାଇଥିଲା । ତେବେ ମୋଟାମୋଟି ଜଗତସିଂହପୁର ଜିଲ୍ଲାରେ ଶାନ୍ତି ଓ ଶୃଙ୍ଖଳାର ସହିତ ହୋଲିପର୍ବକୁ ଜିଲ୍ଲାବାସୀ ପାଳନ କରିଥିବା ଜଣାପଡିଛି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.