ଟଏଲେଟରେ ପଡିଛନ୍ତି ଅସହାୟ ଭାଇନା ! ସରକାରଙ୍କୁ ଶୁଭୁନି ଡାକ - ଜଟଣୀ ବସ ଷ୍ଟାଣ୍ଡରେ ଅସହାୟ ରୋଗୀ
🎬 Watch Now: Feature Video
ଖୋର୍ଦ୍ଧା: ବଞ୍ଚିବା ପାଇଁ ମଣିଷ ସଂଘର୍ଷ କରିବା କଥା ଆପଣ ମାନେ ଶୁଣିଥିବେ ନିଶ୍ଚୟ । କିନ୍ତୁ କେବେ ମଣିଷ ମରିବା ପାଇଁ ସଂଘର୍ଷ କରିବା କଥା ଶୁଣିଛନ୍ତି କି ? ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୌରାଞ୍ଚଳରେ । ରାଜଧାନୀ ଉପକଣ୍ଠ ଜଟଣୀ ସହର ହରି ଭାଇନା ଛକ ନିକଟ ଜଟଣୀ ବସ ଷ୍ଟାଣ୍ଡର ପୁରୁଷ ଶୌଚାଳୟ ଭିତରେ ଜରାଜୀନ୍ନ ଅବସ୍ଥାରେ ମୃତ୍ୟୁକୁ ଅପେକ୍ଷା କରିଛନ୍ତି ଭାଇନା । ରୋଗଗ୍ରସ୍ତ ହୋଇ ପଡିରହିଥିବା ବ୍ୟକ୍ତିଙ୍କର ନାଁ କେହି ଜାଣିନଥିବା ବେଳେ ତାଙ୍କୁ ଭାଇନା ବୋଲି ସମସ୍ତେ ଡାକନ୍ତି । ତାଙ୍କ ଘର ଆସ୍କା ବୋଲି ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଜଣାପଡିଛି ।
ଭାଇନା ଜଟଣୀରେ ଦୀର୍ଘ ବର୍ଷ ହେବ ଦିନ ମଜୁରିଆ କାମ କରି ପେଟ ପୋଷନ୍ତି । ଆଉ ରାତିରେ ବସ ଷ୍ଟାଣ୍ଡ ଭିତରେ କିମ୍ବା କାହା ବାରଣ୍ଡାରେ ଶୁଅନ୍ତି । ତେବେ ଗତ ୨୦ ଦିନ ହେବ ତାଙ୍କ ଦେହ ଭୀଷଣ ଖରାପ ହେବାରୁ ସେ ଆଉ ଉଠିବସି ପାରୁନାହାନ୍ତି । ବସ ଷ୍ଟାଣ୍ଡ ଶୌଚାଳୟ ଭିତରେ ପଡି ରହିଛନ୍ତି । ସ୍ଥାନୀୟ ଲୋକେ ଭାଇନାଙ୍କୁ ଖାଇବାକୁ ଖାଦ୍ୟ ଦେଲେ ମଧ୍ୟ ସେ ଖାଇ ପାରୁନାହାନ୍ତି । ତେବେ ସମସ୍ତଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ସରକାରଙ୍କ ମାଳ ମାଳ ଯୋଜନା ଯେମିତି ଭାଇନାଙ୍କ ପରିସ୍ଥିତିକୁ ଦେଖି ଉପହାସ କରୁଛି । ଘଟଣା ସମ୍ପର୍କରେ ଖବର ପାଇ ଆମେ ପହଞ୍ଚିବା ବେଳକୁ ଜଟଣୀ ପୌର ପ୍ରଶାସନ ପକ୍ଷରୁ ତରବରିଆ ଭାବେ ତାଙ୍କୁ ସେଠାରୁ ନେଇ ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।
ତେବେ ଦୀର୍ଘ ୨୦ ଦିନ ଧରି କିପରି ଏହି ଭାଇନାଙ୍କ ସମ୍ପର୍କରେ ପ୍ରଶାସନ କିଛି ଜାଣିପାରିନଥିଲା, ତାହା ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ ଜଟଣୀ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ପଟ୍ଟନାୟକ ଏହି ବ୍ୟକ୍ତିଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା