କେନ୍ଦ୍ରାପଡା: ଓଲଟିଲା ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ନେଇ ଯାଉଥିବା ବୋଲେରୋ (ଗାଡ଼ି) । ଭାରସାମ୍ୟ ହରାଇ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେବା ପରେ ରାସ୍ତା କଡ଼ ନାଳକୁ ଓଲଟିଲା ପରୀକ୍ଷାର୍ଥୀଙ୍କ ବୋଲେରୋ । ଏଭଳି ଏକ ଅଘଟଣ ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ । ଏହି ଘଟଣାରେ ଆହାତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି ।
- ଓଲଟିଲା ମାଟ୍ରିକ ପରୀକ୍ଷାର୍ଥୀଙ୍କ ବୋଲେରୋ:
ରାଜନଗର, ବାଘମାରୀ ପଞ୍ଚାୟତ ବିବେକାନନ୍ଦ ହାଇସ୍କୁଲର ୧୦ ଜଣ ଛାତ୍ର ଓ ଜଣେ ଛାତ୍ରୀ ଡାଙ୍ଗମାଳ ସ୍ଥିତ ନାଗା ନାରାୟଣ ବିଦ୍ୟାପୀଠକୁ ପରୀକ୍ଷା ଦେବା ପାଇଁ ତାଳଚୁଆରୁ ଏକ ବୋଲେରୋ ଗାଡ଼ିରେ ବାହାରିଥିଲେ । ତେବେ କୃଷ୍ଣନଗର ଠାରେ କୌଣସି କାରଣରୁ ଏକ ସାଇକେଲ ଚାଳକଙ୍କୁ ଧକ୍କା ଦେଇଥିଲା । ଏହାପରେ ଗାଡିଟି ଭାରସାମ୍ୟ ହରାଇ ନାଳ ଭିତରକୁ ଖସି ପଡ଼ିଥିଲା । ଉକ୍ତ ଗାଡ଼ିରେ ୧୨ ଜଣ ଛାତ୍ରଛାତ୍ରୀ ଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ତାଳଚୁଆ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ, ସାଇକେଲ ଚାଳକ ସୁବୋଧ୍ୟ ମଣ୍ଡଳଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି । ସେପଟେ କିଛି ଛାତ୍ରଛାତ୍ରୀ ଗୁରୁତର ଅବସ୍ଥାରେ ଡାଙ୍ଗମାଳ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସା ପରେ ଛାତ୍ରଛାତ୍ରୀମାନେ ୧୫ ମିନିଟ ବିଳମ୍ବରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ ।
- ଏମିତି କହିଲେ ଆହତ ଛାତ୍ର:
ତେବେ ଦୁର୍ଘଟଣା ସମ୍ପର୍କରେ ଆହତ ଛାତ୍ର ଦୟାନନ୍ଦ ଭୂୟାଁ କହିଛନ୍ତି," ଆମେ ବୋଲେରୋ ଗାଡ଼ିରେ ପରୀକ୍ଷା କେନ୍ଦ୍ରକୁ ଯାଉଥିଲୁ । ଏହି ସମୟରେ ଜଣେ ବୃଦ୍ଧ ଲୋକ ଯାହାଙ୍କୁ କମ୍ ଶୁଭାଯାଏ । ସେ ଗାଡ଼ି ସାମ୍ନାକୁ ଆସିଯାଇଥିଲେ । ଏହି ସମୟରେ ଡ୍ରାଇଭର ଷ୍ଟିଅରିଂକୁ ଡ଼ାହାଣ ପଟକୁ ବୁଲାଇ ଦେବାରୁ ଗାଡିଟି ରାସ୍ତା କଡରେ ଥିବା ନାଳ ଭିତରକୁ ଓଲଟି ପଡିଥିଲା । ଆମେ ପ୍ରାଥମିକ ଚିକିତ୍ସା ପରେ ୧୫ ମିନିଟ ବିଳମ୍ବରେ ପରୀକ୍ଷା ଦେବାକୁ ଯାଇଥିଲୁ । ହେଲେ ପରୀକ୍ଷା କେନ୍ଦ୍ରରେ ଅସୁସ୍ଥତା ଅନୁଭବ କରି ପାଠ ଭୁଲିଯାଇ କିଛି ଲେଖି ପାରିଲୁ ନାହିଁ । "
ଇଟିଭି ଭାରତ, କେନ୍ଦ୍ରାପଡ଼ା